ପୃଷ୍ଠା:Malunira Fula O Anyanya Galpa.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୋଇ ଶୋଇ ସେ ଦିନଯାକର ଘଟଣା ଭାବିବାକୁ ଲାଗିଲା । ଏହିରି ଭାବୁଥିବା ଅବସ୍ଥାରେ ତା'ମନକୁ ଆସିଗଲା, "ଯଦି ଗୋଟାଏ ବାଘ ଆସି ହଠାତ୍ ମୋତେ ମାଡ଼ି ବସିବ, କ'ଣ ହେବ ?"

ମୁହୂର୍ତ୍ତକ ମଧ୍ୟରେ ଗୋଟାଏ ମହାବଳ ବାଘ କୁଆଡେ଼ ଥିଲା, ହଠାତ୍ ଗର୍ଜନ କରି ଆସି ତାକୁ ମାଡ଼ି ବସିଲା ଓ ତା'ର ବେକକୁ ମୋଡ଼ି ଦେଇ ରକ୍ତ ପିଇବାକୁ ଲାଗିଲା । ଏହିପରି ପଥିକ ବିଚରା ପ୍ରାଣ ହରାଇଲା ।

ସାଂସାରିକ ବାସନାର ଏହା ହିଁ ପରିଣତି । ଧନ, ପୁତ୍ର ଓ ସାଂସାରିକ ଯଶ କାମନା କରି ମନୁଷ୍ୟ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଏ କାମନା କେତେକାଂଶରେ ଯେ ପୂର୍ଣ୍ଣ ନ ହୁଏ ତାହା ନୁହେଁ । କିନ୍ତୁ ମନେ ରଖ, ଏହି ସବୁ କାମନା ପୂରଣ ପଛରେ ରୋଗ, ଶୋକ, ସମ୍ମାନହାନି, ଧନହାନି ରୂପକ ବାଘର ଭୟ ଅଛି, ଯେଉଁ ବାଘ କି ଜୀବନ୍ତ ବାଘଠାରୁ ଶହେ ଗୁଣ ଭୟଙ୍କର !

ପଣ୍ଡିତ ଓ ଗଉଡ଼ୁଣୀ

ଗଙ୍ଗା ନଦୀ କୂଳରେ ଜଣେ ପଣ୍ଡିତ ରହୁଥିଲେ । ପଣ୍ଡିତଙ୍କର ଅଗାଧ ବିଦ୍ୟା; ଦେଶ ବିଦେଶରେ ତାଙ୍କର ନାମ ଡାକ ଥିଲା । ଜଣେ ଗଉଡୁଣୀ ପ୍ରତିଦିନ ସକାଳେ ପଣ୍ଡିତଙ୍କ ଘରେ ଖିର ଦେଉଥାଏ । ଖିର ଦେଉ ଦେଉ ବେଶୀ ବେଳ ହୋଇ ଯାଉଥିବା ଦେଖି ଦିନେ ପଣ୍ଡିତ ଗଉଡ଼ୁଣୀକୁ ଧମକାଇ କହିଲେ, "ଖିର ଦେବାକୁ ତୋର ଏତେ ଡେରି କାହିଁକି ହେଉଛି ? ଆହୁରି ଭୋର୍‌ରୁ ତତେ ଆସି ଖିର ଦେବାକୁ ହେବ ।"

ଗଉଡ଼ୁଣୀ ହାତ ଯୋଡ଼ି କହିଲା, "ଆଜ୍ଞା, ଯେତେ ସକାଳେ ଆପଣ ଚାହିଁବେ, ସେତେ ଶୀଘ୍ର ମୁଁ ଖିର ଦେଇ ପାରିବି । କିନ୍ତୁ ଡଙ୍ଗାବାଲା ତ ନିଦରୁ ଉଠିବାପାଇଁ ବହୁତ ଡେରି କରୁଛି । ସେଥିାଇଁ ମୋର ଆସିବା ମଧ୍ୟ ଡେରି ହୋଇଯାଉଛି ।"

ପଣ୍ଡିତ କହିଲେ, "ସେ କଥା ମୁଁ ଜାଣେ ନାହିଁ । ଆହୁରି ବଡ଼ି ସକାଳୁ ତୁ ଯଦି ଖିର ଦେଇପାରିବୁ ତ ଖିର ରହିବ ନ ହେଲେ ମୁଁ ଆଉ ରଖିବି ନାହିଁ ।"

ମନ ବ୍ୟସ୍ତରେ ଗଉଡ଼ୁଣୀ ଫେରିଗଲା । ତା ଘର ନଦୀ ଆର ପଟରେ । ଅଳସୁଆ ଡଙ୍ଗାବାଲାପାଇଁ ତାର ଏତେ ଚିନ୍ତା ! ସେ ଦିନ ଉପରବେଳା ଖିରର ବାକିଆ ପଇସା ଆଣିବାପାଇଁ ଗଉଡ଼ୁଣୀ ପୁଣି ପଣ୍ଡିତଙ୍କ ଘରକୁ ଗଲା । ଯାଇ ସେ ଦେଖେ ତ ସେଠାରେ ଏକ ବଡ଼ ସଭା ବସିଛି; କେତେ ବଡ଼ ବଡ଼ ଲୋକ ବସିଛନ୍ତି ଏବଂ ପଣ୍ଡିତ ମହାଶୟ ଶାସ୍ତ୍ର ପଢ଼ୁଛନ୍ତି । କେତେ ସୁନ୍ଦର ଚର୍ଚ୍ଚା ହେଉଛି ! ସମସ୍ତେ ଏକ ମନରେ ବସି ଶୁଣୁଛନ୍ତି । ଗଉଡ଼ୁଣୀ ସବୁ କଥା ବୁଝିପାରିଲା ନାହିଁ । ତଥାପି ତାକୁ ଭାରି ଭଲ ଲାଗିଲା । ଗୋଟିଏ ସ୍ଥାନରେ ଠିଆ ହୋଇ ସେ ଶୁଣିବାକୁ ଲାଗିଲା ।

ଶାସ୍ତ୍ରପାଠ କରୁ କରୁ ପଣ୍ଡିତ କହିଲେ, "ଯେ ହରିନାମ ଧରେ, ସେ ଅକ୍ଳେଶରେ ସଂସାର ସାଗର ପାର ହୋଇଯାଏ ।" ଏ କଥାଟା ଗଉଡ଼ୁଣୀର ମନକୁ ପାଇଗଲା । ସେଦିନ ସେ ଖିର ପଇସା ପଣ୍ଡିତଙ୍କୁ ମାଗିଲା ନାହିଁ । କଥାଟା ଭାବି ଭାବି ଘରକୁ ଫେରିଲା ।