ପୃଷ୍ଠା:Malunira Fula O Anyanya Galpa.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଣ୍ଡିତେ କହିଛନ୍ତି, ଡେରି ହେଲେ ସେ ଆଉ ଖିର ରଖିବେ ନାହିଁ । ତେଣୁ ଗଉଡ଼ୁଣୀ ବଡ଼ି ସକାଳୁ ଖିର ନେଇ ପଣ୍ଡିତଙ୍କ ଘରକୁ ଯିବାପାଇଁ ବାହାରି ପଡ଼ିଲା । ବହୁତ ଡକାଡକି କରି ମଧ୍ୟ ଯେତେବେଳେ ଡଙ୍ଗାବାଲା ଏତେ ସକାଳୁ ନିଦରୁ ଉଠିପାରିଲା ନାହିଁ, ଗଉଡ଼ୁଣୀ ମନେମନେ ଭାବିଲା, ପଣ୍ଡିତ ପରା କାଲି କହୁଥିଲେ, ହରିନାମ ଧରି ଅକ୍ଳେଶରେ ସମୁଦ୍ର ପାର ହୋଇ ପାରିବ ! ହରିନାମରେ ଜଣେ ଯଦି ସମୁଦ୍ର ପାର ହୋଇପାରେ, ତା ହେଲେ ଏ ନଦୀକୁ ତ ଅତି ସହଜରେ ପାର ହେବାର କଥା । ମୁଁ କେଡେ଼ ମୂର୍ଖ ! ଏହା ଭାବି ଭାବି ମନେମନେ ସେ ହରିଙ୍କୁ ସ୍ମରଣ କରି ନଦୀକୁ ଓହ୍ଲାଇ ପଡ଼ିଲା । ସରଳ ବିଶ୍ୱାସର କି ଆଶ୍ଚର୍ଯ୍ୟ ମହିମା ! ଗଉଡ଼ୁଣୀ ପାଦରେ ଚାଲିଚାଲି ସହଜରେ ନଦୀ ପାର ହୋଇଗଲା । ଆଜି ଗଉଡ଼ୁଣୀକୁ ବଡ଼ି ଭୋର୍ରୁ ଆସିବା ଦେଖି ପଣ୍ଡିତ ତାକୁ ପଚାରିଲେ, "ଆଜି ଏତେ ସକାଳୁ କିରି ଆସିଗଲୁ ? ଏ ସବୁ ତୋ'ର ଚାତୁରୀ ! ଆଜି ଡଙ୍ଗାବାଲା ତୋତେ କେମିତି ପାର କରିଦେଲା ?"