ପୃଷ୍ଠା:Malunira Fula O Anyanya Galpa.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଉଡ଼ୁଣୀ କହିଲା, ""ଡଙ୍ଗାବାଲା ଏ ପର୍ଯ୍ୟନ୍ତ ଶୋଇଛି । ସେ ମୋତେ ନଦୀ ପାର କରି ଦେଇ ନାହିଁ ।

"ତା'ହେଲେ ତୁ କେମିତି ଆସିଲୁ ? ତୋର କ'ଣ ଦୁଇଟା ପକ୍ଷୀ ଲାଗିଗଲା କି ? ମୋତେ ପୁଣି ଫାଙ୍କୁଛୁ ?"

"ଗୋସେଇଁ ମହାପୁରୁ, ମୁଁ ହେଉଛି ମୂର୍ଖ ଲୋକ । ମୁଁ ତୁମକୁ କାହିଁକି ଫାଙ୍କିବି ? ତୁମେ ତ ମୋତେ ଏତେ ଦିନ ପର୍ଯ୍ୟନ୍ତ ଫାଙ୍କି ଦେଇ ଆସିଛ ।"

"ମୁଁ କ'ଣ ଫାଙ୍କି ଦେଇ ଆସିଛି ?"

"ହଁ ତୁମେ ଫାଙ୍କିଛ । ହରିନାମ ଧରି ସହଜରେ ନଦୀ ପାର ହେବା ସମ୍ଭବ; ତାହା ତ ମୋତେ ଏତେ ଦିନ ପର୍ଯ୍ୟନ୍ତ କହି ନ ଥିଲ । ଭାଗ୍ୟକୁ କାଲି ଉପରଓଳି ମୁଁ ଆସିବାରୁ ସିନା ତୁମ କଥା ଶୁଣିବାକୁ ପାଇଲି ।"

ପଣ୍ଡିତ ସବୁ କଥା ବୁଝି ପାରିଲେ । କିନ୍ତୁ ଗଉଡ଼ୁଣୀ ହରିନାମ ଧରି ନଦୀ ପାର ହୋଇ ଆସିଛି ନା କ'ଣ, ତାହା ଦେଖିବାପାଇଁ ତାଙ୍କର ଇଚ୍ଛା ହେଲା । ସେ ଗଉଡ଼ୁଣୀ ସହିତ ନଦୀ ନିକଟକୁ ଆସିଲେ । ଗଉଡ଼ୁଣୀ ହରିନାମ ଧରି ଅନାୟାସରେ ପାଣିରେ ଚାଲିବାକୁ ଲାଗିଲା । ପଣ୍ଡିତ ତା ପଛେ ପଛେ ପାଣିରେ ଓହ୍ଲାଇଲେ । କିନ୍ତୁ ଗଉଡ଼ୁଣୀ ପରି ପଣ୍ଡିତଙ୍କର ସରଳ ବିଶ୍ୱାସ ନାହିଁ । ପଣ୍ଡିତ ମୁହଁରେ ହରିନାମ ଧରିଥା'ନ୍ତି, ତେଣେ ଲୁଗା ଓଦା ହୋଇଯିବ ଏହି ଭୟରେ ହାତରେ ନିଜ ଲୁଗାକୁ ଉଠାଉଥା'ନ୍ତି । ଗଉଡ଼ୁଣୀ ଖୁବ୍ ସହଜରେ ନଦୀ ପାର ହୋଇଗଲା । କିନ୍ତୁ ପଣ୍ଡିତଙ୍କର ତ ସେ ବିଶ୍ୱାସ ନାହିଁ, ସେ ନଦୀରେ ବୁଡ଼ିଗଲେ ।

ସାଧୁ ସଙ୍ଗ

ଜଣେ ଚୋର ରାଜାଘରକୁ ଚୋରି କରିବାକୁ ଯାଇଥିଲା । ରାଜା ରାଣୀ ସେତେବେଳେ କଥାଭାଷା ହେଉଥିଲେ । ଅନ୍ଧାରରେ ଠିଆ ହୋଇ ଚୋର ସବୁ କଥା ଶୁଣୁଥିଲା । ରାଣୀ ରାଜାଙ୍କୁ କହିଲେ, "ତୁମେ ଦିନ ରାତି କେବଳ ରାଜକାର୍ଯ୍ୟରେ ବ୍ୟସ୍ତ ଅଛ, ଏଣେ କିନ୍ତୁ ଝିଅର କଥା କେବେହେଲେ ଚିନ୍ତା କରୁ ନାହଁ ।"

ରାଜା ପଚାରିଲେ, "କାହିଁକି, ଝିଅର କ'ଣ ହୋଇଛି ?"

ରାଣୀ କହିଲେ, "ହବ କ'ଣ ? ଝିଅ ଦିନକୁ ଦିନ ବଡ଼ ହେଉଚି; ସେ ତ ଆଉ ଚିରଦିନ ତୁମ ଘରେ ରହିବ ନାହିଁ । ଶୀଘ୍ର ତା'ର ବିଭାଘରର ବ୍ୟବସ୍ଥା କର ।"

ରାଜା କହିଲେ, "କ'ଣ କରିବି କହ । ଯେତେଗୁଡ଼ିଏ ସମ୍ବନ୍ଧ ଆସୁଚି, କିଛି ତ ତୁମର ମନୋମତ ହେଉ ନାଇଁ । ତା' ହେଲେ ଗୋଟିଏ କଥା କରାଯାଉ ।"

ରାଣୀ ପଚାରିଲେ, "କି କଥା ?"

ରାଜା କହିଲେ, "ତୁମର ଝିଅ ଭାରି ଧର୍ମପରାୟଣା । ଦିନ ରାତି କେବଳ ଦିଅଁ ଦେବତାକୁ