ପୃଷ୍ଠା:Malunira Fula O Anyanya Galpa.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଖରେ ଯାଇ ବିବାହ ପ୍ରସ୍ତାବ ଦେଲେ । ଚୋର ହଁ କଲା ନାହିଁ କି ନାହିଁ କଲା ନାହିଁ । ଚୁପ୍ ହୋଇ ରହିଲା ।

ରାଜାଙ୍କ ଲୋକମାନେ ଫେରିଯାଇ ରାଜାଙ୍କୁ କହିଲେ, "ମହାରାଜ, କୌଣସି ସାଧୁଙ୍କୁ ଆମେ ରାଜି କରାଇପାରିଲୁ ନାହିଁ । କେବଳ ଜଣେ ଯୁବକ ସାଧୁଙ୍କୁ ପଚାରିବାରୁ ସେ କିଛି ନ କହି ଚୁପ୍ ହୋଇ ରହିଲେ । ଆପଣ ନିଜେ ଯାଇ ଅନୁରୋଧ କଲେ, ସେ ହୁଏତ ରାଜି ହୋଇଯାଇ ପାରନ୍ତି ।"

ଲୋକମାନଙ୍କୁ ସାଙ୍ଗରେ ଧରି ରାଜା ଗଙ୍ଗା କୂଳରେ ପହଞ୍ଚିଲେ । ରାଜାଙ୍କୁ ନିଜେ ଆସିବାର ଦେଖି ଚୋର ମନରେ ଏକ ନୂଆ ଭାବ ଆସିଲା । ରାଜା ନଇଁପଡି ଚୋରକୁ ପ୍ରଣାମ କଲେ ଏବଂ ତାଙ୍କ କନ୍ୟାକୁ ବିବାହ କରିବାପାଇଁ ବହୁ ଅନୁନୟ, ବିନୟ କଲେ । ଶେଷକୁ କହିଲେ, "ବିବାହ ସଙ୍ଗେ ସଙ୍ଗେ ରାଜକନ୍ୟା ସହିତ ରାଜ୍ୟର ଅଧେ ଦେଇଦେବି । ମୋ' ଅନ୍ତେ ଆପଣ ସମସ୍ତ ରାଜ୍ୟର ଅଧିକାରୀ ହେବେ ।"

ଚୋର ସେତେବେଳେ ମନେ ମନେ ଭାବିଲା, "ମୁଁ ଚୋର । ସ୍ୱାର୍ଥ ସିଦ୍ଧିପାଇଁ ସାଧୁ ବେଶରେ ବସିଚି । ଯଦି ପ୍ରକୃତ ସାଧୁ ହୋଇ ପାରନ୍ତି, ତା'ହେଲେ କ'ଣ ହୋଇ ନ ପାରନ୍ତି ? ଏତିକିରେ ଦେଶର ରାଜା ଆସି ପାଦ ତଳେ ପଡୁଛନ୍ତି, ଅଧେ ରାଜ୍ୟ ଦେବାପାଇଁ । ନା, ଆଜିଠାରୁ ପ୍ରକୃତ ସାଧୁ ହେବାକୁ ଚେଷ୍ଟା କରିବି ।"

ରାଜା ବହୁତ ଅନୁନୟ କରି ତାକୁ ରାଜି କରାଇ ପାରିଲେ ନାହିଁ । ଚୋର ବିବାହ କଲା ନାହିଁ । ସେ ସାଧୁମାନଙ୍କ ସାଙ୍ଗରେ ଚାଲିଗଲା ।

ଫଁ ଫଁ

ଏକ ମସ୍ତବଡ଼ ପଡ଼ିଆ । ତା' ଭିତରେ ବଡ଼ ବଡ଼ ଗଛ । ଚାରିପାଖରେ ଗାଆଁ । ପ୍ରତିଦିନ ସକାଳେ ଗାଆଁର ଗଉଡ଼ ପିଲାମାନେ ଗୋରୁ ନେଇ ପଡ଼ିଆକୁ ଚରାଇବାକୁ ଆସନ୍ତି । ସେମାନେ ଗଛ ଛାଇରେ ବସି ମୁଢ଼ି ଚୋବାନ୍ତି, ଖେଳନ୍ତି, ବଂଶୀ ବଜାନ୍ତି ଓ ଗୋରୁମାନେ ଚାରିଆଡେ଼ ଚରି ବୁଲୁଥା'ନ୍ତି । ସେହି ପଡ଼ିଆ ମଝିରେ ଏକ ଭୟଙ୍କର ସାପ ରହୁଥାଏ । ଗାଈ, ବାଛୁରୀ, ମଣିଷ- ଯେ ତା'ର ଗାତ ପାଖକୁ ଯାଏ, ସାପଟା ତାକୁ କାମୁଡ଼ିବାପାଇଁ ଧାଇଁଆସେ । ବାପରେ ବାପ ! ଯେପରି ସାପର ଦେହର ରଙ୍ଗ, ସେମିତି ତା'ର ଫଣା ଓ ସେମିତି ତା'ର ବିଷ ! ଯାହାକୁ ସେ ମାରେ ସେ ସେଇଠି ଚିତ୍କାର କରି ପଡ଼ି ମରିଯାଏ । ସାପ ଭୟରେ ସେ ବାଟେ କେହି ଯିବା ଆସିବା କରନ୍ତି ନାହିଁ ।

ଦିନେ ଜଣେ ସାଧୁ ସେ ବାଟେ ଯାଉଥିଲେ । ପଡ଼ିଆର ଗଉଡ଼ ଟୋକାମାନେ ତାଙ୍କୁ ଚିତ୍କାର କରି ଡାକି କହିଲେ, "ବାବାଜି ମାହାପୁରୁ, ସେ ବାଟେ ଯାଆନ୍ତୁ ନାହିଁ । ସେଠି ଗୋଟାଏ ଭୟଙ୍କର