ପୃଷ୍ଠା:Malunira Fula O Anyanya Galpa.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ସାଧୁଙ୍କର ଶିଷ୍ୟ ହୋଇଗଲା । ସାଧୁ ତାକୁ ମନ୍ତ୍ର ଦେଇ କହିଲେ, "ଏଇଟି ପ୍ରତିଦିନ ଜପ କରିବୁ । କୌଣସି ପ୍ରାଣୀକୁ ହିଂସା କରିବୁ ନାହିଁ ।" ଏହା କହି ସାଧୁ ଚାଲିଗଲେ ।

ଖୁବ୍ ଭକ୍ତିରେ ସାପ ଗୁରୁ ଦେଇଥିବା ମନ୍ତ୍ର ଜପ କରିବାକୁ ଲାଗିଲା । ସେଦିନଠାରୁ ସେ ଆଉ କାହାରିକୁ କାମୁଡ଼ିଲା ନାହିଁ । କିଛି ଦିନ ବିତିଗଲା । ଗଉଡ଼ ପିଲାମାନେ ଦେଖିଲେ ଯେ ସାପଟା ଫଣା ଟେକି ଆଉ ମାରିବାକୁ ଆସୁ ନାହିଁ । ଗାଈ, ବାଛୁରୀ ନିକଟକୁ ଗଲେ ମଧ୍ୟ କିଛି କରୁ ନାହିଁ । ସେମାନେ ଦୂରରୁ ଥାଇ ତାକୁ ଟେକା ମାରିବାକୁ ଲାଗିଲେ । ସାପ ସେମାନଙ୍କ ଆଡ଼କୁ ଫେରି ଚାହିଁଲା ନାହିଁ । ପିଲାମାନେ ବୁଝିଲେ ଯେ ଏସବୁ ବାବାଜିଙ୍କ ମନ୍ତ୍ରର ଗୁଣ । ଧୀରେ ଧୀରେ ସେମାନଙ୍କର ସାହସ ବଢ଼ିବାକୁ ଲାଗିଲା । ଦିନେ ସେମାନେ ତା' ନିକଟକୁ ଯାଇ ଠେଙ୍ଗାରେ ଏପରି ପାହାରେ ପକାଇଲେ ଯେ ସାପଟା ମରେ ନ ମରେ । ସମସ୍ତେ ଭାବିଲେ ସେ ମରିଗଲା । ଗୋଟାଏ ଦୁଷ୍ଟ ପିଲା ଲାଞ୍ଜ ଧରି ଟେକି ତାକୁ ଦୂରକୁ ଫୋପାଡ଼ିଦେଲା ।

ସାପଟା କିନ୍ତୁ ମରି ନ ଥିଲା । ମାଡ଼ ଖାଇ ଏକାବେଳକେ ଅଜ୍ଞାନ ହୋଇ ପଡ଼ିଥିଲା । ବହୁତ ରାତିକୁ ତା'ର ଜ୍ଞାନ ଫେରି ଆସିଲା । ତା'ପରେ ଧୀରେ ଧୀରେ ଅତି କଷ୍ଟରେ ନିଜ ଗାତ ଭିତରକୁ ଯାଇ ପଡ଼ି ରହିଲା । କିଛିଦିନ ଦେହରେ ପୀଡ଼ା ଯୋଗୁଁ ଏପାଖ ସେପାଖ ହୋଇ ପାରିଲା ନାହିଁ । ତା'ପରେ ଆସ୍ତେ ଆସ୍ତେ ଉଠିଲା । ଗଉଡ଼ ପିଲାମାନଙ୍କ ଭୟରେ ସେ ଦିନବେଳେ ଗାତ ବାହାରକୁ ଆସେ ନାହିଁ । ରାତିରେ ଖାଇବା ଖୋଜିବାପାଇଁ ବାହାରକୁ ଆସେ ।

ସାପକୁ ଆଉ କେହି ଦେଖିବାକୁ ପାଇଲେ ନାହିଁ । ସମସ୍ତେ ମନେକଲେ, ମରିଗଲା । ବହୁଦିନ ପରେ ସେହି ସାଧୁ ପୁଣି ଥରେ ସେହି ବାଟେ ଯାଉଥିଲେ । ତାଙ୍କୁ ଚିହ୍ନିପାରି ଗଉଡ଼ ପିଲାମାନେ ଖୁବ୍ ଭକ୍ତିରେ ପ୍ରଣାମ କଲେ ଓ କହିଲେ, "ବାବାଜି ମାହାପୁରୁ, ସେ ସାପଟା ମରିଗଲା ।" ଏ କଥାରେ ସାଧୁଙ୍କର ବିଶ୍ୱାସ ହେଲା ନାହିଁ । ସେ ଜାଣିଥିଲେ ଯେ ମନ୍ତ୍ରର ସାଧନା ଶେଷ ହେବାଯାଏଁ ସାପ ମରିବ ନାହିଁ । ସେ ସାପ ଗାତ ନିକଟକୁ ଯାଇ ଜୋର୍‌ରେ ଡାକିବାକୁ ଲାଗିଲେ । ଗୁରୁଙ୍କ ଡାକ ଶୁଣି ସାପ ଗାତ ବାହାରକୁ ଆସି ତାଙ୍କୁ ପ୍ରଣାମ କଲା । ଏତେଦିନ ପରେ ଗୁରୁଙ୍କୁ ଦେଖିବାକୁ ପାଇ ସାପ ମନରେ ଭାରି ଆନନ୍ଦ । ଗୁରୁ ପଚାରିଲେ, "ବାବା, କେମିତି ଅଛୁ ?"

ସାପ କହିଲା "ଆପଣଙ୍କ ଦୟାରେ ଖୁବ୍ ସୁଖରେ ମୋ ଦିନ କଟିଯାଉଛି ।"

ଗୁରୁ ପଚାରିଲେ "ତା' ହେଲେ ତୁ ଏତେ ଦୁର୍ବଳ ଦେଖାଯାଉଛୁ କାହିଁକି ?"

ଗୁରୁଙ୍କ ଉପଦେଶ ଓ ସାଧନାର ଗୁଣରୁ ସାପ ମନରୁ ସମସ୍ତ ହିଂସାଭାବ ଚାଲିଯାଇଥିଲା । ଗଉଡ଼ ଟୋକାମାନେ ତାକୁ ଯେ ଟେକା ଓ ଠେଙ୍ଗାରେ ମାରିଥିଲେ, ତାହା ସେ ସଂପୂର୍ଣ୍ଣ ଭାବରେ ଭୁଲିଯାଇଥିଲା ।

ସାପ କହିଲା, "ହିଂସା କରିବାପାଇଁ ଆପଣ ମନା କରିଥିଲେ । ତେଣୁ ଗଛରୁ ପଡ଼ୁଥିବା ପତ୍ର ଓ ଶୁଖିଲା ଘାସ ଏ ସବୁ ଖାଉଛି । ସେଥିପାଇଁ ବୋଧହୁଏ ଏପରି ଦୁର୍ବଳ ଦେଖାଯାଉଛି ।"