ପୃଷ୍ଠା:Malunira Fula O Anyanya Galpa.pdf/୩୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗୁରୁ କହିଲେ, "ନା, ଏପରି ଦୁର୍ବଳ ହେଲେ ଚଳିବ ନାହିଁ । ତୁ ମନେ ପକା, ଅନ୍ୟ କିଛି କାରଣ ଅଛି ।"

ଗୁରୁଙ୍କ କଥା ଶୁଣି ସାପ ଭାବିବାକୁ ଲାଗିଲା । ବହୁତ ଭାବି ଭାବି ତା'ର ମନେ ପଡ଼ିଲା, ଗଉଡ଼ ପିଲାଏ ଦିନେ ତାକୁ ଭାରି ମାରିଥିଲେ । ସେ କହିଲା, "ଆଜ୍ଞା, ଆପଣ ଠିକ୍ କହୁଛନ୍ତି । ମୁଁ କାହାରିକୁ ହିଂସା କରୁନାହିଁ ଦେଖି ଦିନେ ଗଉଡ଼ ଟୋକାମାନେ ଠେଙ୍ଗା ଧରି ମୋତେ ମାରିବାକୁ ଲାଗିଲେ । ଅବୋଧ ବାଳକ, ସେମାନେ କ'ଣ ମୋର ମନର ଅବସ୍ଥା ବୁଝି ପାରୁଛନ୍ତି ?"

ଗୁରୁ ସବୁ ବୁଝିପାରିଲେ । ସାପକୁ ଧମକାଇ କହିଲେ, "ତୁ ପୁଣି ଏଡେ଼ ବୋକା ! ହିଂସା କରିବାକୁ ତୋତେ ମୁଁ ବାରଣ କରିଥିଲି । ଫଁ କରିବାକୁ ତ ମନା କରି ନ ଥିଲି । ତୋତେ କେହି ମାରିବାକୁ ଆସିଲେ ଆଜିଠାରୁ ଫଁ କରିବୁ ।"

ଏହା କହି ସାଧୁ ଚାଲିଗଲେ ।

ସେ ଦିନଠାରୁ ସାପ ଦିନବେଳେ ଆହାର ସଂଗ୍ରହ କରିବାପାଇଁ ପଡ଼ିଆରେ ବୁଲିବାକୁ ଆରମ୍ଭକଲା । ଗଉଡ଼ ପିଲାଏ ତାକୁ ଦେଖି ଚିତ୍କାର କରିଉଠିଲେ । "ଆରେ ମରିନିରେ ମରିନି । ପୁଣି ସାପଟା କ'ଣ ବାହାରିଲାଣି, ଚାଲ ତାକୁ ଦେଖିନେବା ।"

ଏହା କହି ପିଲାମାନେ ଠେଙ୍ଗା ଧରି ତାକୁ ମାରିବାକୁ ଚାଲିଲେ । ଯେପରି ସେମାନେ ନିକଟରେ ପହଞ୍ଚିଛନ୍ତି, ସାପ ପ୍ରଥମେ ଯେପରି କରୁଥିଲା, ସେହିରି ଫଣା ଟେକି ଦୌଡ଼ି ଆସିଲା । ଆଉ ଯାଆନ୍ତି କୁଆଡେ଼ ? ବୀର ଦଳ ଭୟରେ ମାଆଲୋ, ବାପାଲୋ ହୋଇ ଯେ ଯୁଆଡେ଼ ପାରିଲେ ପଳାଇଲେ । ସେ ଦିନଠାରୁ ସାପ ପାଖକୁ ଆଉ କେହି ଗଲେ ନାହିଁ । ସାପଟା ନିର୍ଭୟରେ ବୁଲିବାକୁ ଲାଗିଲା ।

ଅର୍ଜୁନଙ୍କ ଗର୍ବ

ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ଅର୍ଜୁନଙ୍କ ହୃଦୟରେ ଥରେ ଗର୍ବ ପ୍ରବେଶ କଲା । ଅର୍ଜୁନ ଭାବିଲେ, ତାଙ୍କର ପ୍ରଭୁ ଓ ସଖାଙ୍କ ପ୍ରତି ଭକ୍ତି ଓ ପ୍ରେମରେ ତାଙ୍କ ସହିତ କେହି ସମାନ ହୋଇ ପାରିବେ ନାହିଁ । ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ସଖାଙ୍କ ହୃଦୟର ଭାବ ଜାଣି ତାଙ୍କୁ ଭ୍ରମଣ ଉଦ୍ଦେଶ୍ୟରେ ସଙ୍ଗରେ ଡାକି ନେଲେ । ସେମାନେ ବେଶୀ ଦୂର ଯାଇ ନାହାନ୍ତି, ଅର୍ଜୁନ ଦେଖିଲେ ଜଣେ ଅଚିହ୍ନା ବ୍ରାହ୍ମଣ ଶୁଖିଲା ଘାସ ଖାଇବାରେ ଲାଗିଛନ୍ତି; କିନ୍ତୁ ତାଙ୍କର ଅଣ୍ଟାରେ ଗୋଟିଏ ଖଣ୍ଡା ଝୁଲୁଛି । ଅର୍ଜୁନ ସଙ୍ଗେ ସଙ୍ଗେ ବୁଝିପାରିଲେ, ସେ ବ୍ରାହ୍ମଣ ହେଉଛନ୍ତି ଜଣେ ପବିତ୍ର ଧର୍ମପ୍ରାଣ ବ୍ୟକ୍ତି ଓ ବିଷ୍ଣୁଙ୍କର ଭକ୍ତ । କୌଣସି ଜୀବକୁ ଆଘାତ ନ ଦେବା ତାଙ୍କର ଶ୍ରେଷ୍ଠ ଧାର୍ମିକ କର୍ତ୍ତବ୍ୟ । ଯେଣୁ ଘାସର ମଧ୍ୟ ଜୀବନ ଅଛି, ସେ ଜିଅନ୍ତା ଘାସକୁ ଛାଡ଼ି ଶୁଖିଲା ଘାସ ଖାଇ ଜୀବନ ଧାରଣ କରୁଛନ୍ତି । ତଥାପି ତାଙ୍କ ପାଖରେ ଖଣ୍ଡାଟିଏ ରହିଚି । ଅର୍ଜୁନ ଏହି ଅସଙ୍ଗତ ଘଟଣା ଦେଖି ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାହିଁ କହିଲେ, "ଏହାର ଅର୍ଥ