ପୃଷ୍ଠା:Malunira Fula O Anyanya Galpa.pdf/୩୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜଣେ ବ୍ରାହ୍ମଣଙ୍କ ଘରେ ଦିଅଁଙ୍କର ସେବା ଥିଲା । ଦିନେ ବ୍ରାହ୍ମଣ କୌଣସି କାମରେ ଘର ଛାଡ଼ି ଅନ୍ୟତ୍ର ଗଲେ । ଗଲାବେଳେ ଛୋଟ ପୁଅଟିକୁ କହିଗଲେ, "ତୁ ଆଜି ଠାକୁରଙ୍କୁ ଭୋଗ ଦେବୁ । ଠାକୁରଙ୍କୁ ନିଜ ହାତରେ ଖୁଆଇବୁ ।" ପିଲାଟି ଠାକୁରଙ୍କୁ ଭୋଗ ଦେଲା । ଦେଖିଲା, ଠାକୁର ଚୁପ୍ ହୋଇ ବସିଛନ୍ତି । କିଛି କହୁ ନାହାନ୍ତି କି ଖାଉ ନାହାନ୍ତି । ପିଲାଟି ବହୁ ସମୟ ଜଗି ବସି ରହିଲା । ଠାକୁର ଉଠୁ ନାହାନ୍ତି । ତା'ପରେ ପାଟି କରି କହିଲା, "ଠାକୁର, ଆସ ଖାଇବ । ବହୁତ ଡେରି ହେଲାଣି । ଆଉ କେତେ ସମୟ ଜଗି ବସିବି? ବସି ପାରିବି ନାହିଁ ।" ଠାକୁର କିଛି କହିଲେ ନାହିଁ । ପିଲାଟି କାନ୍ଦିବା ଆରମ୍ଭ କରିଦେଲା । କହିବାକୁ ଲାଗିଲା, "ଠାକୁର, ବାପା ତୁମକୁ ଖୁଆଇବା ପାଇଁ ମୋତେ କହିଯାଇଛନ୍ତି । ତୁମେ କାହିଁକି ଆସିବ ନାହିଁ, କାହିଁକି ମୋ' ହାତରୁ ଖାଇବ ନାହିଁ, କହ ।" ବ୍ୟାକୁଳ ହୋଇ ବାଳକଟି କିଛି ସମୟ କାନ୍ଦିଚି, ଠାକୁର ହସି ହସି ଆସି ଖାଇବାକୁ ଲାଗିଲେ । ଠାକୁରଙ୍କୁ ଖାଇବାକୁ ଦେଇ ପିଲାଟି ଯିବାରୁ ଘରଲୋକ ପଚାରିଲେ, "ଭୋଗ ସରିଗଲା ତ ଉଠାଇ ନେଇ ଆସିଲୁ ନାହିଁ କାହିଁକି?" ପିଲାଟି ଉତ୍ତର ଦେଲା, ""ଠାକୁର ସବୁ ଖାଇଦେଇଛନ୍ତି ।" ସମସ୍ତେ ଠାକୁର ଘରକୁ ଯାଇ ଅବାକ୍ ହୋଇଗଲେ ।

ଖୁବ୍ ବ୍ୟାକୁଳ ହୋଇ କାନ୍ଦିଲେ ସେ ଦେଖା ଦିଅନ୍ତି । ଆତ୍ମୀୟ ସ୍ୱଜନଙ୍କପାଇଁ ଲୋକ କାନ୍ଦୁଛି । ଟଙ୍କା ପଇସାପାଇଁ ଲୋକ କାନ୍ଦୁଛି । ଈଶ୍ୱରଙ୍କ ପାଇଁ କିଏ କାନ୍ଦୁଛି ? ତିନି ଟାଣ ହେଲେ ଈଶ୍ୱର ଦେଖା ଦିଅନ୍ତି । ଏ ତିନି ଟାଣ କ'ଣ ?

ବିଷୟୀର ବିଷୟ ଉପରେ ଟାଣ । ମା'ର ସନ୍ତାନ ଉପରେ ଟାଣ । ସତୀର ପତି ଉପରେ ଟାଣ । ଏଇ ତିନି ଟାଣ ଯାହାର ଏକାଠି ହେବ, ଈଶ୍ୱରଙ୍କୁ ସେ ପାଇବ । ଅର୍ଥାତ୍ ଈଶ୍ୱରଙ୍କୁ ଖୁବ୍ ଭଲ ପାଇବା ଦରକାର ସମସ୍ତ ହୃଦୟର ସହିତ । ବିଷୟୀ ଯେପରି ତା'ର ବିଷୟକୁ ଭଲପାଏ, ମା' ତା'ର ସନ୍ତାନକୁ, ସତୀ ତା'ର ପତିକୁ । ଏଇ ତିନିଟି ପ୍ରେମ ଏକତ୍ର ହେଲେ ଯାହା ହେବ, ଈଶ୍ୱରଙ୍କପାଇଁ ସେତିକି ପ୍ରେମ ଦରକାର ।

ବାଳକ ଯେପରି ମା'କୁ ନ ଦେଖିଲେ ଦିଗହରା ହୁଏ, ସନ୍ଦେସ୍, ମିଠାଇ ହାତରେ ଦେଲେ ମଧ୍ୟ କିଛି ଶୁଣେ ନାହିଁ, କୌଣସି କଥାରେ ଭୁଲେ ନାହିଁ, ଖାଲି କାନ୍ଦେ ଆଉ କହେ, ମା' ପାଖକୁ ଯିବି-ଈଶ୍ୱରଙ୍କପାଇଁ ଠିକ୍ ସେହିପରି ଆକୁଳତା ଦରକାର । ସଂସାରର ସମସ୍ତ ପ୍ରଲୋଭନ, ଭୋଗ, ସୁଖ ସେତେବେଳେ ତାକୁ ଭୁଲାଇ ପାରେ ନାହିଁ, ଖାଲି ମା' କଥା ମନେ ପଡେ଼, ମା' ସବୁ ଛାଡ଼ି ଦଉଡ଼ି ଆସେ ପୁଅକୁ କୋଳକୁ ନେବାପାଇଁ । ଯେଉଁ ବାଟରେ ଯାଅ- ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ଶାକ୍ତ, ବ୍ରହ୍ମଜ୍ଞାନୀ-ଈଶ୍ୱର ଲାଭପାଇଁ ଆବଶ୍ୟକ ଅନ୍ତରର ଗଭୀର ବ୍ୟାକୁଳତା ।

ସନ୍ତାନର ଯେପରି ପିତା ମାତାଙ୍କ ଉପରେ ଦାବି, ସେହିପରି ଆମର ଈଶ୍ୱରଙ୍କ ଉପରେ ଦାବି । ସେ ଆମକୁ ଜନ୍ମ ଦେଇଛନ୍ତି । ସେ ଆମର ବାପ । ଆମର ମା । ଯେଉଁଦିନୁ ସେ ଆମକୁ ଜନ୍ମ ଦେଇଛନ୍ତି, ସେହିଦିନୁ ତାଙ୍କ ପାଖରେ, ତାଙ୍କ ଘରେ ଆମର ଦାବି ଆସିଗଲା । କେତେବେଳେ ଆମେ ଡାକୁ -"ମା' କଣ ଶୁଣିବୁ ନାହିଁ !" କିମ୍ବା "ହେ ଦୀନନାଥ, ଜଗନ୍ନାଥ--ତୁମ ଛଡ଼ା ତ