ପୃଷ୍ଠା:Malunira Fula O Anyanya Galpa.pdf/୩୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମୋର ସଂସାରରେ କେହି ନାହାନ୍ତି; ମୁଁ ଜ୍ଞାନହୀନ, ସାଧନହୀନ, ଭକ୍ତିହୀନ । କିଛି ଜାଣେ ନାହିଁ, ଦୟାକରି ଦେଖାଦିଅ !" ମା' ବୋଲି ଡାକିଲେ ଟିକିଏ ଦାବି ବଢ଼ିଯାଏ । କାରଣ ବାପ ଅପେକ୍ଷା ମା' ଉପରେ ଟାଣଟା ବେଶି ଖାଟେ ।

ପିଲାଟି ଗୁଡ଼ି କିଣିବାପାଇଁ ମା'ର କାନି ଟାଣୁଚି । ମା' ଅନ୍ୟ ସ୍ତ୍ରୀ ଲୋକଙ୍କ ସାଙ୍ଗରେ ବସି କଥା ଭାଷା ହେଉଚି ଓ ରାଗରେ କହୁଚି, "ନା ପଇସା ଦେବିନାହିଁ । ଆଉ ବେଶି ଜିଦ୍ କଲେ ଦେଖିବୁ ।" ପିଲା ଶେଷକୁ କିଛି ନ ପାଇ କାନ୍ଦିବା ଆରମ୍ଭ କରି ଦେଉଚି । ଆଉ କି ମା ଥୟ ଧରେ ? "ବସ ଟିକିଏ--ଏ ପିଲାଟିକୁ ଟିକିଏ ଶାନ୍ତକରି ଆସୁଚି ।" ଏକଥା କହି ପିଲାଟିକୁ ନେଇ ବାକ୍ସରୁ ପଇସା ବାହାର କରି ଦେଉଚି । ସେହିପରି ଈଶ୍ୱର । ସେ ତ ମା' ପରି ଆପଣାର । ତାଙ୍କ ଉପରେ ଆମର ଜୋର୍ ଖାଟେ । ଈଶ୍ୱରଙ୍କ ଶରଣାଗତ ହୋଇ ତାଙ୍କୁ ବ୍ୟାକୁଳ ହୋଇ ଡାକିଲେ, କାନ୍ଦିଲେ ସେ ନିଶ୍ଚୟ ଶୁଣିବେ । ତାଙ୍କର କୃପା ମିଳିଯିବ ଏବଂ ଥରେ ତାଙ୍କର କୃପା ମିଳିଲେ ତୁମ ପକ୍ଷରେ ସବୁ ସହଜ ହୋଇଯିବ ।

ବେଶ୍ୟା ଓ ସନ୍ନ୍ୟାସୀ

ଜଣେ ସନ୍ନ୍ୟାସୀ ମନ୍ଦିର ପାଖରେ ଗୋଟିଏ ଘରେ ରହୁଥିଲେ । ଠିକ୍ ସେହି ଘର ସାମନା ଦାଣ୍ଡର ଅନ୍ୟ ପାଖରେ ଜଣେ ବେଶ୍ୟା ରହୁଥିଲା । ସନ୍ନ୍ୟାସୀ ଦେଖନ୍ତି, ପ୍ରତିଦିନ ବେଶ୍ୟା ପାଖକୁ ବହୁ ଲୋକ ଯାଉଛନ୍ତି । ଏତେ ଲୋକ ଏପରି ପାପପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି ଦେଖି ସନ୍ନ୍ୟାସୀଙ୍କର ମନ ଦୁଃଖରେ ଭରିଉଠେ । ଦିନେ ସେ ବେଶ୍ୟାକୁ ଡାକି ଗାଳିଦେଲେ; "ପାପିନୀ, ଦିନ ରାତି ତୁ ଏହିପରି ପାପ କରି ଚାଲିଛୁ । ଯେତେବେଳେ ମରଣ ସମୟ ଆସିବ, ସେତେବେଳେ କ'ଣ କରିବୁ ?"

ବେଶ୍ୟାର ମନକୁ ସନ୍ନ୍ୟାସୀଙ୍କ କଥାଟା ଛୁଇଁଗଲା । ସେ ତା'ର ଭାଗ୍ୟକୁ ନିନ୍ଦାକରି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା, "ହେ ଭଗବାନ, ଏ ପାପରୁ ମୋତେ ଉଦ୍ଧାର କର ।" ପ୍ରତିନିତ୍ୟ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । କିନ୍ତୁ ତା'ର ଚଳିବାପାଇଁ ଅନ୍ୟ ଉପାୟ ନ ଥାଏ । ତେଣୁ ସେ ବାଧ୍ୟ ହୋଇ ସେହି ବାଟରେ ତା'ର ଜୀବିକା ଚଳାଉ ଥାଏ ।

ରାତି ଦିନ ସେ ଈଶ୍ୱରଙ୍କୁ ଭଜି ହେଉଥାଏ । "କେଡେ଼ ଅଭାଗିନୀ ମୁଁ । ଭଗବାନ, ଚଳିବାପାଇଁ ମୋତେ କିଛି ବାଟ ଦେଲ ନାହିଁ । ଶେଷକୁ ମୁଁ ଏଇଆ କଲି ! ମୋତେ ରକ୍ଷାକର, ଉଦ୍ଧାର କର ।"

ସନ୍ନ୍ୟାସୀ ମନେ ମନେ ଭାବିଲେ, "ମୁଁ ଏତେ କରି ତାକୁ କହିଲି, ଏ ବୃତ୍ତି ଛାଡ଼ି ଦେବାପାଇଁ । ସେ ଶୁଣିଲା ନାହିଁ । ଏଣିକି ମୁଁ ଦେଖେ ସେ କେତେ ପାପ କରି ଚାଲିଛି । ପ୍ରତିଦିନ କେତେ ଲୋକ ତା ପାଖକୁ ଯାଉଛନ୍ତି, ମୁଁ ଏଣିକି ଗଣିବି ।"