ପୃଷ୍ଠା:Malunira Fula O Anyanya Galpa.pdf/୩୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


Malunira Fula O Anyanya Galpa.pdf

ସେହି ଦିନଠାରୁ କେତେ ଲୋକ ବେଶ୍ୟା ଘରକୁ ଯାଉଛନ୍ତି, ସତ୍ତ୍ୟାସୀ ତାହା ଗଣିବାକୁ ଲାଗିଲେ । ସେ ଛୋଟ ଛୋଟ ଗୋଡ଼ି ରଖି ଗଣୁଥା'ନ୍ତି । କିଛିଦିନ ଗଲାପରେ ଗୋଡ଼ିର ଗଦା ବଢ଼ିବାକୁ ଲାଗିଲା । ଦିନେ ସେ ବେଶ୍ୟାକୁ ଡାକି ତାକୁ ଗୋଡ଼ି ଗଦାକୁ ଦେଖାଇ କହିଲେ, "ଏ ଗଦାକୁ ଦେଖୁଚୁ ? ଏଥିରେ ତୋ'ର ପାପକୁ ମପା ଯାଇଛି । ମୋ' ଉପଦେଶ ତୁ ମାନିଲୁ ନାହିଁ । ପୂର୍ବେ ଯେପରି ପାପ କରି ଚାଲିଥିଲୁ, ସେହିପରି କରି ଚାଲିଲୁ । ମୋର ସତର୍କତା ସତ୍ତ୍ୱେ ତୋ'ର ପାପର ଏହି ଗୋଡ଼ିଗଦା ହେଉଛି ପ୍ରମାଣ । ଏଥିରୁ ଜାଣ, ତୋ'ପାଇଁ ପରଲୋକରେ କି କଷ୍ଟ, କି ଯନ୍ତ୍ରଣା ରହିଛି । ତୋ'ର କେବେ ମୁକ୍ତି ନାହିଁ । ଯା, ଏଠୁ ବାହାର ।"

ଗୋଡ଼ିର ଗଦାକୁ ଦେଖି ବେଶ୍ୟା ଥରିବାକୁ ଲାଗିଲା । ସେ ଆଖି ବୁଜି କହିଲା, "ହେ ଭଗବାନ ! ମୁଁ କ'ଣ କରିବି ?" ଭୟରେ ଥରି ଥରି ସେ ଘରକୁ ଚାଲିଗଲା । ଆଉ ଦୁଃଖ ସମ୍ଭାଳି ନ ପାରି ସେ କାନ୍ଦିବାକୁ ଲାଗିଲା : "ହେ କୃଷ୍ଣ, ମୋତେ ଏହି ପାପରୁ ରକ୍ଷାକର, ମୋତେ ହାତଧରି ଉପରକୁ ଉଠାଇ ନିଅ । ଯଦି ନେବାର କଥା, ମୋ'ର ଏ ତୁଚ୍ଛ ଜୀବନକୁ ନେଇ ନିଅ ।" ଏହା କହି ସେ ଅଚେତ ହୋଇ ପଡ଼ିଗଲା ।