ପୃଷ୍ଠା:Malunira Fula O Anyanya Galpa.pdf/୩୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଈଶ୍ୱର ଏହି ଗରିବ ବିଚାରୀଟି ପ୍ରତି ସଦୟ ହେଲେ । ସେଇଦିନ ରାତିରେ ସେ ବେଶ୍ୟାଟି ମରିଗଲା ।

ସନ୍ନ୍ୟାସୀ ମଧ୍ୟ ସେଇ ଦିନ ରାତିରେ ଦେହତ୍ୟାଗ କଲେ । ତାଙ୍କ ଦେହରୁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ସନ୍ନ୍ୟାସୀ ନରକପଥରେ ଚାଲିଲେ ।

ସନ୍ନ୍ୟାସୀ ବେଶ୍ୟାର ଆତ୍ମା ସ୍ୱର୍ଗ ପଥରେ ଯିବାର ଦେଖି ଚିତ୍କାର କରିଉଠିଲେ, "ପାପିନୀ, ତୁ ପୁଣି ସ୍ୱର୍ଗକୁ ଯାଉଛୁ ? ତୁ ଯେଉଁ ପାପ କରିଚୁ, ତା'ର ଗଣନା ନାହିଁ । ଯେଉଁ ଗୋଡ଼ି ପକାଇ ମୁଁ ତାକୁ ଗଣିଥିଲି, ସେ ଏତେ ବଡ଼ ଗଦାରେ ପରିଣତ ହୋଇଚି ! ଆଉ ମୋ' କଥା ମୁଁ କହୁଛି । ମୁଁ ଜଣେ ପବିତ୍ର ସନ୍ନ୍ୟାସୀର ଜୀବନ ଯାପନ କରୁଥିଲି । କେବେହେଲେ କୌଣସି ପାପ କରି ନାହିଁ । ମୋତେ ନରକରେ ପକାଇ ସେହି ଈଶ୍ୱର ତୋତେ ସ୍ୱର୍ଗକୁ ନେଉଛନ୍ତି । ବୁଝିଲି, ଏଣିକି ଆଉ ସଂସାରରେ ଧର୍ମ ନାହିଁ ।"

ବିଷ୍ଣୁଦୂତମାନେ ସନ୍ନ୍ୟାସୀଙ୍କୁ ବେଶି ପାଟି ନ କରିବାପାଇଁ ବୁଝାଇ କହିଲେ, "ହେ ସନ୍ନ୍ୟାସୀ, ତୁମେ ଏପରି ଉତ୍ତ୍ୟକ୍ତ ହୁଅ ନାହିଁ । ଈଶ୍ୱର ତାଙ୍କର ନ୍ୟାୟ ବିଚାରରେ କେବେହେଲେ ଭୁଲ କରନ୍ତି ନାହିଁ । ତୁମର ଜୀବନ ଥିଲା ବାହାରକୁ ଦେଖାଇ ହେବା । ଯେତେବେଳେ ତୁମେ ସାଧୁର ପୋଷାକ ପିନ୍ଧିଥିଲ, ତାହା କେବଳ ନିଜର ନାଁ ପାଇଁ । ଯଶ ପାଇଁ । ଦେଖ, ସେଠି ତୁମର ମୃତଦେହ ପଡ଼ିରହିଛି । ତୁମର ସେ ଦେହ ପ୍ରକୃତରେ ପବିତ୍ର । ସେଥିାଇଁ ଲୋକେ ବିମାନ କରି ଫୁଲମାଳରେ ତାକୁ ସଜାଇ ବାଜା ବଜାଇ ଯାଉଛନ୍ତି । ଯେଉଁ ଦେହକୁ ତୁମେ ପବିତ୍ର ଭାବରେ ରଖିଥିଲ, ତାକୁ ତା'ର ଉପଯୁକ୍ତ ସମ୍ମାନ ମିଳିଛି । କିନ୍ତୁ ତୁମେ ନରକକୁ ଯାଉଚ । ଏହି ବେଶ୍ୟାର ଦେହ ବହୁ ପାପ କରିଥିଲା । ଦେଖ, ତା' ଦେହ ଉପରେ କାଉ, ଶାଗୁଣା ବସି ଖୁମ୍ପୁଛନ୍ତି । କେହି ତା'ଦେହକୁ ପୋଡ଼ିବାର କଥା ଭାବୁ ନାହାନ୍ତି । କିନ୍ତୁ ତା'ର ଆତ୍ମା ପବିତ୍ର ଥିଲା । ତେଣୁ ଆମେ ତାକୁ ଈଶ୍ୱରଙ୍କ ପାଖକୁ ନେଇ ଯାଉଛୁ । ତୁମେ ଗଣୁଥିଲ, ଏହି ଗଣିକାର ପାପ ସବୁକୁ ? ନୁହେଁ ? ତୁମେ ତା'ର ପାପକୁ ଗଣୁଥିବାଯୋଗୁଁ, ତା'ର ଅପକର୍ମ ତୁମଠାରେ ଲାଗି ରହିଛି । ତା'ର ହୃଦୟ ଈଶ୍ୱରଙ୍କଠାରେ ଶରଣ ନେଇଥିଲା । ସେ ଅହରହ ଅନୁତାପ କରୁଥିଲା । ତେଣୁ ତାହା ପାପମୁକ୍ତ ହୋଇ ପବିତ୍ର ହୋଇଗଲା । ଆଉ ତୁମେ ସେ ପାପର ଗଣକ ହୋଇଥିବାଯୋଗୁଁ ତା'ର ଭାରା ନିଜ ମୁଣ୍ଡରେ ବହି ଚାଲିଛ ।"

ଅନ୍ୟମାନଙ୍କର ପାପର ଗଣକ ବା ବିଚାରକ ହେବା ସାଧୁ ବା ଭକ୍ତର କାର୍ଯ୍ୟ ନୁହେଁ । ଈଶ୍ୱରଙ୍କ ଲୀଳା କିଏ ବୁଝି ପାରିବ ! ସେ ଆମକୁ ପରିଚାଳିତ କରୁଛନ୍ତି ଓ ପ୍ରତି ମୁହୂର୍ତ୍ତରେ ପରୀକ୍ଷା କରୁଛନ୍ତି । ଆମ ଭିତରେ ଥିବା ଭଲ ଓ ମନ୍ଦ ସେହି କେବଳ ଜାଣି ପାରନ୍ତି । ତେଣୁ ନିଜର ହୃଦୟ ଓ ମନକୁ ପବିତ୍ର ରଖି ଅନ୍ୟମାନଙ୍କ ପ୍ରତି ସଦୟ ହେବା ଏବଂ ସେମାନଙ୍କର ଦୋଷାଦୋଷକୁ ନ ଧରିବା ହେଉଛି ପ୍ରତ୍ୟେକ ସାଧକ, ପ୍ରତ୍ୟେକ ସାଧୁବ୍ୟକ୍ତିର କର୍ତ୍ତବ୍ୟ ।