ପୃଷ୍ଠା:Malunira Fula O Anyanya Galpa.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତନ୍ତୀଠାରେ ଲୋକମାନଙ୍କର ଏପରି ବିଶ୍ୱାସ ଥିଲା ଯେ, ଗରାଖ ସେହି ଦାମ୍ ଦେଇ ଲୁଗା ନେଇ ଯାଉଥିଲେ । ତନ୍ତୀ ଜଣକ ଭଗବାନଙ୍କର ଜଣେ ସଚ୍ଚା ଭକ୍ତ ଥିଲା । ସଂଧ୍ୟା ସମୟରେ ସେ ପୂଜା ପାଠ, ଧ୍ୟାନ ଓ ଭଗବାନଙ୍କର ଗୁଣ କୀର୍ତ୍ତନ କରିବାରେ ଘଣ୍ଟା ଘଣ୍ଟା କଟାଇ ଦେଉଥିଲା ।

ଥରେ ସେ ବହୁତ ରାତି ପର୍ଯ୍ୟନ୍ତ ଶୋଇ ପାରିଲା ନାହିଁ । ପୂଜା ଘରେ ବସି ରହିଥିବା ସମୟରେ ଦଳେ ଡକାୟତ ସେହି ବାଟଦେଇ ଗଲେ । ଜିନିଷ ପତ୍ର ବୋହିନେବାପାଇଁ ସେମାନଙ୍କର ଗୋଟିଏ ଲୋକ ଦରକାର ଥିଲା । ସେମାନେ ତନ୍ତୀକୁ କହିଲେ, "ଆମ ସଙ୍ଗରେ ଚାଲ ।" ଏହା କହି ସେମାନେ ତାର ହାତ ଧରି ଟାଣି ନେଇଗଲେ ।

ଗୋଟିଏ ଘରୁ ଚୋରି କରି ସାରିବା ପରେ ସେମାନେ ତନ୍ତୀ ଉପରେ ବୋଝଟାଏ ଲଦି ଦେଲେ ଓ ତାକୁ ନେଇ ଚାଲି ଯିବାକୁ ହୁକୁମ ଦେଲେ । କିନ୍ତୁ ହଠାତ୍ ପୋଲିସ ଆସି ପହଞ୍ଚିଗଲା । ଡକାୟତମାନେ ଛାଟି ପିଟି ହୋଇ ପଳାଇଗଲେ । କିନ୍ତୁ ବୋଝ ମୁଣ୍ଡାଇଥିବା ତନ୍ତୀକୁ ପୋଲିସ ବାନ୍ଧି ପକାଇଲେ । ସେ ରାତିକପାଇଁ ତାକୁ ଗୋଟିଏ ଘରେ ବନ୍ଦ କରି ରଖାଗଲା ।

ତା' ପରଦିନ ତନ୍ତୀକୁ ମାଜିଷ୍ଟ୍ରେଟଙ୍କ ଅଦାଲତକୁ ଅଣାଗଲା । ଗାଁର ଲୋକମାନେ ଏକଥା ଜାଣିପାରି କୋର୍ଟରେ ହାଜର ହେଲେ । ସେମାନେ ମାଜିଷ୍ଟ୍ରେଟଙ୍କୁ କହିଲେ "ମହାଶୟ, ଏ ଲୋକ କେବେହେଲେ ଡକାୟତି କରି ନ ପାରେ ।" ତା'ପରେ ମାଜିଷ୍ଟ୍ରେଟ ତନ୍ତୀକୁ ଜମାନବନ୍ଦି ଦେବାପାଇଁ କହିଲେ ।

ତନ୍ତୀ କହିଲା, "ମହାଶୟ, ରାମଙ୍କ ଇଚ୍ଛାରେ ମୁଁ ରାତିରେ ଖାଇବା ଶେଷ କଲି । ରାମଙ୍କ ଇଚ୍ଛାରେ ପୂଜା ଘରେ ବସିଥିଲି । ରାମଙ୍କ ଇଚ୍ଛାରେ, ବହୁତ ରାତି ହୋଇଯାଇଥିଲା । ରାମଙ୍କ ଇଚ୍ଛାରେ ମୁଁ ଈଶ୍ୱରଙ୍କ କଥା ଭାବୁଥିଲି ଏବଂ ତାଙ୍କର ମହିମା ଗାନ କରୁଥିଲି । ସେହି ସମୟରେ ରାମଙ୍କ ଇଚ୍ଛାରେ ଦଳେ ଡକାୟତ ସେ ବାଟରେ ଗଲେ । ରାମଙ୍କ ଇଚ୍ଛାରେ ସେମାନେ ମୋତେ ଘୋଷାଡ଼ି ନେଇଗଲେ । ରାମଙ୍କ ଇଚ୍ଛାରେ ସେମାନେ ଗୋଟାଏ ଘରେ ଡକାୟତି କଲେ ଓ ମୋ ଉପରେ ବୋଝଟା ଲଦିଦେଲେ । ଠିକ୍ ସେତିକିବେଳେ ରାମଙ୍କ ଇଚ୍ଛାରେ ପୋଲିସ ପହଞ୍ଚିଗଲେ, ଆଉ ରାମଙ୍କ ଇଚ୍ଛାରେ ମୋତେ ବାନ୍ଧି ପକାଇଲେ । କାଲି ରାତି ସାରା ରାମଙ୍କ ଇଚ୍ଛାରେ ମୋତେ ଗୋଟାଏ ଘରେ ତାଲା ବନ୍ଦ କରି ରଖାଗଲା । ରାମଙ୍କ ଇଚ୍ଛାରେ ଆଜି ସକାଳୁ ମୋତେ ଆପଣଙ୍କ ଇଜଲାସକୁ ଅଣାଯାଇଛି ।" ମାଜିଷ୍ଟ୍ରେଟ୍ ବୁଝି ପାରିଲେ ଯେ, ଲୋକଟା ବଡ଼ ନିରୀହ ଓ ଧାର୍ମିକ । ତେଣୁ ତାକୁ ଛାଡ଼ିଦେଲେ । ଫେରିବା ବାଟରେ ତନ୍ତୀ ତା'ର ସାଙ୍ଗମାନଙ୍କୁ କହିଲା, "ରାମଙ୍କ ଇଚ୍ଛାରୁ ମୁଁ ମୁକ୍ତି ପାଇଗଲି ।"

ତୁମେ ଏ ସଂସାରରେ ଯାହା କର ନା କାହିଁକି, ସବୁ ରାମଙ୍କ ଇଚ୍ଛା ଉପରେ ନିର୍ଭର କରେ । ସବୁ ଦାୟିତ୍ୱ ଈଶ୍ୱରଙ୍କ ଉପରେ ଛାଡ଼ି ଦେଇ ତୁମେ କାମ କରିଯାଅ ।