ପୃଷ୍ଠା:Malunira Fula O Anyanya Galpa.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧନୀଲୋକ କହିଲା, "ତା'ହେଲେ ଲୁଗାବେପାରୀ ପାଖକୁ ନେଇଯାଅ । ବାଇଗଣ ବେପାରୀ ହୀରାର ମୂଲ୍ୟ କ'ଣ ବୁଝିବ ?"

ଚାକର ଲୁଗାବେପାରୀ ପାଖକୁ ଯାଇ ହୀରା ଦେଖାଇ ପଚାରିଲା, "ଏହାକୁ କିଣିବ କି ? କେତେ ମୂଲ୍ୟ ଦେବ ?"

ବେପାରୀ କହିଲା, "ହଁ, ଭଲ ଜିନିଷଟିଏ । ଏଥିରେ ଗୋଟିଏ ସୁନ୍ଦର ଅଳଙ୍କାର ହେବ । ମୁଁ ଏଥିପାଇଁ ନଅ ଶହ ଟଙ୍କା ଦେବାକୁ ରାଜି ଅଛି ।"

ଚାକର କହିଲା, "ଆଚ୍ଛା, ଭାଇ ଆଉ କିଛି ବଢ଼ାଇ ଦିଅ । ହଜାରେ ଟଙ୍କା ଦିଅ ।"

ଲୁଗାବେପାରୀ ମନା କଲା । କହିଲା, "ଆଉରି ବେଶି ଦର କର ନାହିଁ । ବଜାର ଦର ଯାହା, ତା'ଠାରୁ ମୁଁ ବେଶି କହି ଦେଇଛି । ଇଚ୍ଛା ଅଛି ତ ଦିଅ, ନ ହେଲେ ନାହିଁ ।"

ହସି ହସି ଚାକରଟି ପୁଣି ତା'ର ମୁନିବ ପାଖକୁ ଫେରି ଆସିଲା ।

"ଆଜ୍ଞା, ଲୁଗାବେପାରୀ ନଅଶ' ଟଙ୍କାରୁ ଗୋଟିଏ ଟଙ୍କା ଅଧିକ ଦେବାକୁ ରାଜି ନୁହେଁ, ବଜାର ଦରଠାରୁ ଅଧିକ ଦେଉଛି ବୋଲି ସେ କହିଲା ।"