ପୃଷ୍ଠା:Malunira Fula O Anyanya Galpa.pdf/୪୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଧନୀଲୋକ ଏଥର ଚାକରକୁ ଜଣେ ଅଳଙ୍କାର ବ୍ୟବସାୟୀ ପାଖକୁ ପଠାଇଲେ । ବ୍ୟବସାୟୀଟି ହୀରାଖଣ୍ଡକୁ ଦେଖିବାମାତ୍ରେ କହିଲା, "ମୁଁ ଏହାକୁ ଲକ୍ଷେ ଟଙ୍କା ଦେଇ କିଣି ନେବାକୁ ପ୍ରସ୍ତୁତ ଅଛି ।"

ଯାହାର ପୁଞ୍ଜି ଯେତିକି, ସେ ସେହି ଅନୁସାରେ ମୂଲ୍ୟ ସ୍ଥିର କରେ । ରାମଚନ୍ଦ୍ର ଜଣେ ଅବତାର ପୁରୁଷ ବୋଲି ମାତ୍ର ବାର ଜଣ ଋଷି ଚିହ୍ନି ପାରିଥିଲେ । ଅବତାର ପୁରୁଷଙ୍କୁ ସମସ୍ତେ ଚିହ୍ନି ପାରନ୍ତି ନାହିଁ । କେହି ତାଙ୍କୁ ସାଧାରଣ ଲୋକ, କେହି ବା ତାଙ୍କୁ ସାଧୁ ପୁରୁଷ ବୋଲି ମନେକରନ୍ତି । ଖୁବ୍ ଅଳ୍ପ ଲୋକ ତାଙ୍କୁ ଅବତାର ବୋଲି ଗ୍ରହଣ କରିନିଅନ୍ତି ।

ଜଗା ରାଜା

ଜଗା ଗରିବ ଥିଲା । କିନ୍ତୁ ବଡ଼ ଲୋକ ହେବାର ଇଚ୍ଛା ତା'ର ଖୁବ୍ ବେଶୀ ଥିଲା । ସକାଳୁ ସଞ୍ଜ ପର୍ଯ୍ୟନ୍ତ ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ପରିଶ୍ରମ କରୁଥିଲା । କିନ୍ତୁ ଅବସ୍ଥା ତା'ର କ୍ରମେ ଖରାପ ହେବାକୁ ଲାଗିଲା । ତା'ର ଅବସ୍ଥା ଯେତେ ଖରାପ ହେଲା, ଧନୀ ହେବାର ଇଚ୍ଛା ତା'ର ସେତିକି ବଢ଼ିବାକୁ ଲାଗିଲା ।

କେଉଁଠି କୌଣସି ସାଧୁ ସନ୍ନ୍ୟାସୀ ଆସିବାର ଖବର ପାଇଲେ, ଜଗା ତା'ର ସମସ୍ତ କାମ ଛାଡ଼ିଦେଇ ସାଧୁଙ୍କର ପାଖକୁ ଦଉଡ଼ି ଯାଉଥିଲା । ତା'ର ବିଶ୍ୱାସ ଥିଲା ଯେ, ସାଧୁ ସନ୍ନ୍ୟାସୀମାନେ ତାକୁ ଧନଲାଭର ଉପାୟ ବତାଇଦେବେ । ବହୁ ଦିନ ପରେ ଜଗା ଶୁଣିଲା ଯେ, ଜଣେ ମସ୍ତବଡ଼ ସାଧୁ ଆସିଛନ୍ତି । ସେ ଯାଇ ସାଧୁଙ୍କର ପାଖରେ ଦିନ ରାତି ପଡ଼ି ରହିଲା ଏବଂ ଏକମନରେ ତାଙ୍କର ସେବା କରିବାକୁ ଲାଗିଲା ।

ଜଗାର ସେବାରେ ସନ୍ତୁଷ୍ଟ ହୋଇ ଦିନେ ସାଧୁ ତାକୁ କହିଲେ, "ଜଗା, ତୁମେ କ'ଣ ଚାହଁ ?"

ଜଗା ସାଧୁଙ୍କର ପାଦ ଦୁଇଟି ଧରି କହିଲା, "ଠାକୁର, ମୁଁ ବଡ଼ ଗରିବ । ମୁଁ ଧନ ଚାହେ ।"

ସାଧୁ ହସି ହସି କହିଲେ, "ଆରେ ପାଗଳା, ସାଧୁ ସନ୍ନ୍ୟାସୀମାନେ ଭିକାରି ଲୋକ । ତାଙ୍କୁ ଧନ ମାଗିଲେ କ'ଣ ହେବ ? ତୁ ଆଉ କିଛି ମାଗ ।"

ଜଗା କୌଣସି କଥା ଶୁଣିଲା ନାହିଁ । କାନ୍ଦି କାନ୍ଦି କହିଲା "ଠାକୁର, ମୁଁ ଧନ ଚାହେଁ । ଆଉ କିଛି ଚାହେଁ ନାହିଁ । ମୋତେ ଧନ ଲାଭର ଉପାୟ ବତାଇ ଦିଅନ୍ତୁ ।"

ଜଗାର ଦୁଃଖ ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ କହିଲେ, "ଗୋଟିଏ କାମ କର- -ଭୂତ ସାଧନା । ସେଥିରେ ଗୋଟିଏ ଭୂତ ତୋର ଚାକର ହୋଇ ରହିବ । ତୁ ତାକୁ ଯାହା କରିବାକୁ କହିବୁ, ସେ ସେୟା କରିବ । ଯାହା ଆଣିବାକୁ କହିବୁ, ସେ ତାହା ଆଣିଦେବ । ଏହି ମନ୍ତ୍ର ନେଇ ବଣକୁ ଯାଇ ଜପ କର । ତା' ପରେ ଭୂତ ଆସିବ । ଆଦୌ ଭୟ କରିବୁ ନାହିଁ । ତୋର ସେ କୌଣସି ଅନିଷ୍ଟ କରିବ ନାହିଁ ।"