ପୃଷ୍ଠା:Malunira Fula O Anyanya Galpa.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜଗାର ମନରେ ଆନନ୍ଦର ସୀମା ରହିଲା ନାହିଁ । ସେହି ମୁହୂର୍ତ୍ତରେ ସେ ବଣକୁ ଯାଇ ଭୂତ ମନ୍ତ୍ର ଜପ କରିବାକୁ ଲାଗିଲା । ଅଳ୍ପ ସମୟ ଜପ କରିଛି କି ନାହିଁ ଗୋଟିଏ ବିରାଟ ଭୂତ ତା' ଆଗରେ ଆସି ଠିଆ ହୋଇଗଲା । ଭୂତର ଚେହେରା ଦେଖି ଜଗା ଭୟରେ ମୂର୍ଚ୍ଛା ହୋଇଯିବା ଉପରେ । ଶେଷରେ ମନରେ ସାହସ ବାନ୍ଧି ସେ ତା ଆଡ଼କୁ ଚାହିଁଲା । ଭୂତ କହିଲା, "କାହିଁକି ମୋତେ ଡାକିଲୁ ?"

ଜଗା କହିଲା, "ଆଜିଠାରୁ ତୁ ମୋର ଚାକର ହେବୁ । ମୁଁ ଯାହା କହିବି, ତୁ ତାହା କରିବୁ । ଯଦି ନ କରିପାରୁ, ତୋତେ ମାରି ପକାଇବି ।"

ଭୂତ କହିଲା, "ମୁଁ ତୋ କଥାରେ ରାଜି ଅଛି, କିନ୍ତୁ, ଗୋଟିଏ ସର୍ତ୍ତରେ ।"

ଜଗା କହିଲା, "କି ସର୍ତ୍ତ ?"

ଭୂତ କହିଲା, "ମୁଁ ତୋ'ର ଆଦେଶ ପାଳନ କରି ନ ପାରିଲେ ତୁ ମୋତେ ମାରି ପକାଇବୁ । ବିନା କାମରେ ତୁ ମୁହୂର୍ତ୍ତେ ମାତ୍ର ମୋତେ ବସାଇ ରଖି ପାରିବୁ ନାହିଁ । ଯଦି କାମ ଦେଇ ନ ପାରୁ, ତା'ହେଲେ ତତ୍‌କ୍ଷଣାତ୍ ମୁଁ ତୋ'ର ମୁଣ୍ଡ ମୋଡ଼ିଦେବି ।"