ପୃଷ୍ଠା:Malunira Fula O Anyanya Galpa.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୟରେ ତା'ର ଆଖି ବୁଜି ହୋଇଗଲା । ଅଳ୍ପ ସମୟ ମଧ୍ୟରେ ରାଜବାଟୀର ଧନଭଣ୍ଡାର ଆଗରେ ଜଗା ଆସି ଉପସ୍ଥିତ । ଏତେ ଧନ, ରତ୍ନ ଦେଖି ଜଗା ଯେ କ'ଣ କରିବ, ଚିନ୍ତା କରିପାରିଲା ନାହିଁ । କିନ୍ତୁ ଭୂତଟାର ଦାଉରେ ସେ କ'ଣ ସ୍ଥିର ହୋଇ କିଛି ଦେଖି ପାରୁଚି ? ଖାଲି "କାମ ଦେ, କାମ ଦେ ।"

ଜଗା କହିଲା, "ଗୋଟାଏ ସିଂହାସନ ତିଆରି କର । ଆଉ ମୋ' ପାଇଁ ରାଜାର ପୋଷାକ ଆଣି ଦେ । ମୋର ପୁରୁଣା ଲୁଗାପଟାତକ ନେଇ ନଈରେ ପକାଇ ଦେଇ ଆ ।"

ଭୂତ ସବୁ କରି ଚାଲି ଆସିଲା । ଜଗା କହିଲା, "ଯା, ମୋ' ସ୍ତ୍ରୀ ପିଲା ସମସ୍ତଙ୍କୁ ଏଠିକି ଘିନିଆ । କିନ୍ତୁ ଦେଖ ବାବା ଭୂତ, ତୋର ଚେହେରା ଟିକିଏ ସୁନ୍ଦର କରି ଯା, ଯେପରିକି ମୋ'ର ଛୁଆ ପିଲା ତୋତେ ଦେଖି ଡରି ନ ଯା'ନ୍ତି ଏବଂ ତାଙ୍କର ପୋଷାକ ପରିଚ୍ଛଦ ସବୁ ରାଜଯୋଗ୍ୟ କରି ନେଇ ଆସିବୁ ।"

ଆଜ୍ଞା ମାତ୍ରକେ କାମ । ଅଳ୍ପସମୟ ମଧ୍ୟରେ ସମସ୍ତେ ଆସି ପହଞ୍ଚିଗଲେ । ସେମାନଙ୍କୁ ଦେଖି ଜଗାର ମନରେ କେଡେ଼ ଆନନ୍ଦ, କିନ୍ତୁ ଭୂତର କାଣ୍ଡ ଦେଖି ତା'ମନରେ ଚିନ୍ତା ପଶିଲାଣି । କହିବା ମାତ୍ରେ ଲକ୍ଷ୍ମୀଛଡ଼ାଟା କଥା ଶେଷ ହେବା ପୂର୍ବରୁ କାମ ଶେଷ କରିଆସୁଚି । ଆଉ କ'ଣ ନୂଆ କାମ ତାକୁ ଦେବାକୁ ହେବ ?

ଭୂତର ଆଖିରେ ନିଆଁ ଜଳୁଚି । କାମ ଦେବାକୁ ହେବ । ଜଗା କହିଲା, "ଦେଖ ବାପ ଭୂତ, ଏତେ ବଡ଼ ରାଜବାଟି ଲୋକ ବାକ ନ ରହିଲେ କ'ଣ ଭଲ ଦିଶୁଚି ? ମୁଁ ହେଲି ରାଜା- ମୋ'ର ମନ୍ତ୍ରୀ, ସେନାପତି, ପାତ୍ର, ମିତ୍ର, ସୈନ୍ୟ, ସାମନ୍ତ ସମସ୍ତଙ୍କୁ ନେଇ ଆ । ରାଜ୍ୟରେ ଦୋକାନ ବସାଇ ଦେ । ତା'ହେଲେ ସିନା ସାଜିବ ।"

ସବୁ ହୋଇଗଲା । ପାତ୍ର, ମିତ୍ର, ମନ୍ତ୍ରୀ, ସେନାପତି ସମସ୍ତେ ଆସି ଦରବାରରେ ହାଜର । ସେମାନଙ୍କୁ ଦେଖି ରାଣୀ ଅନ୍ଦର ମହଲକୁ ଚାଲିଗଲେ । ସିପାହିମାନେ ବାହାରେ ରହି ପହରା