ପୃଷ୍ଠା:Malunira Fula O Anyanya Galpa.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଲେ । ସବୁ ଦ୍ୱାରରେ ପ୍ରହରୀ । ମଧୁର ବାଦ୍ୟ ଧ୍ୱନି ହେଉଚି । ବନ୍ଦୀମାନେ ପ୍ରଶସ୍ତି ଗାନ କରୁଛନ୍ତି । ମନ୍ତ୍ରୀ ଓ ଅନ୍ୟମାନେ ଅତି ଆଦରରେ ଜଗାକୁ ନେଇ ରାଜସିଂହାସନରେ ବସାଇଲେ । ଜଗା ରାଜା ହେଲା । କିନ୍ତୁ ତେବେ ମଧ୍ୟ ତା' ମନରେ ସୁଖ ନାହିଁ । କାରଣ ଭୂତଟା କେତେବେଳେ ମୁଣ୍ଡ ମୋଡ଼ିଦେବ ଯେ !

ସିଂହାସନ ଆଗରେ ଭୀଷଣ ମୂର୍ତ୍ତି ଠିଆ ହୋଇଚି । ତା'ର ଦି' ଆଖିରେ ନିଆଁ ଜଳୁଚି । କେବଳ ରକ୍ଷା ହୋଇଚି, ରାଜାଙ୍କ ଛଡ଼ା ତାକୁ ଆଉ କେହି ଦେଖିପାରୁ ନାହାନ୍ତି । ଭୂତ କହିଲା, "ଜଗା, ଏବେ ପୁଣି କ'ଣ ?"

ଜଗା ରାଜା ମନେ ମନେ ରାମ ନାମ ଜପୁଚି । ସାରା ଦେହରୁ ପରସ୍ତେ ଝାଳ ବୋହି ଗଲାଣି, ଆଉ କାମ ଖୋଜି ପାଉ ନାହିଁ । ଭୂତ ତ ନିଶ୍ଚୟ ମୁଣ୍ଡ ମୋଡ଼ିଦେବ । ସେ କହିଲା "ଭୂତ ବାବା, ମୋତେ ମୋ' ଗୁରୁଙ୍କ ପାଖକୁ ନେଇ ଯା ।"

ଭୁତ ତାକୁ ଗୁରୁଙ୍କ ପାଖକୁ ନେଇ ଗଲା । ଭୂତ ହାତରେ ମୁକୁଟଟା ଦେଇ ଜଗା କହିଲା, "ଏଇ ନଦୀ କୂଳରେ ବସି ମୋ' ମୁକୁଟକୁ ପହରା ଦେଉଥିବୁ । ମୁଁ ଏଠାକୁ ଆସିବା ପର୍ଯ୍ୟନ୍ତ ତୁ କୁଆଡେ଼ ଯିବୁ ନାହିଁ ।"

ସାଧୁ ଜଗାକୁ ଦେଖି ସବୁ ବୁଝି ପାରିଲେ । ଗୁରୁଦେବଙ୍କୁ ଦେଖି ଜଗା ତାଙ୍କ ପାଦ ଦୁଇଟି ଧରି ଭୋ ଭୋ କାନ୍ଦିବାକୁ ଲାଗିଲା । ସେ କହୁଥାଏ, "ମଲି ଗୁରୁଦେବ । ମରିଗଲି ।"

ଗୁରୁଦେବ କହିଲେ, "ଏ କି କଥା ? କାହିଁକି ମରିବୁ । ତୋ'ର ରାଜ୍ୟ, ରାଜତ୍ୱ କିଏ ଭୋଗ କରିବ ? ମୁଁ ସବୁ ବୁଝି ପାରୁଚି । ଏବେ ଯା, ଗୋଟାଏ କାମ କର । ଆଗରେ ଯେଉଁ କୁକୁରଟା ଶୋଇଚି, ତରବାରି ନେଇ ତା'ର ଲାଙ୍ଗୁଡ଼ଟି କାଟି ନେଇଆ । ତା'ପରେ ତାକୁ ତୋ' ଭୂତକୁ ଦେ । ତାକୁ କହ, ଏଇଟାକୁ ସିଧା କରୁ ।"

ଜଗାରାଜା ସାଧୁଙ୍କୁ ପ୍ରଣାମ କରି କୁକୁରର ଲାଞ୍ଜ କାଟି ଆଣିଲା । ଭୂତ ପାଖରେ ପହଞ୍ଚିବା ମାତ୍ରେ ଭୂତ କହିଲା, "କାମ ଦେ ।"

ଜଗାରାଜା ଖୁସି ହୋଇ କହିଲା, "ସାଙ୍ଗେ ସାଙ୍ଗେ କାମ ଦେଉଛି । ମୋତେ ମୋ' ରାଜବାଟୀକୁ ନେଇ ଯା ।"

ଭୂତ ତାକୁ ରାଜବାଟୀକୁ ନେଇଗଲା । ଭୂତ କହିଲା, "ଏବେ କହ, ମୁଁ କି କାମ କରିବି ?"

ଏଥର ଗୁରୁ କୃପାରେ ଜଗାର ମନରେ ଆନନ୍ଦ । ସେ କହିଲା, "ହେଇଟି ନେ, ଏଇ କୁକୁରର ଲାଞ୍ଜଟା । ଏଇଟା ବଙ୍କା ହୋଇ ଯାଇଚି । ଏହାକୁ ସିଧା କର । ଦେଖ, ଖୁବ୍ ସାବଧାନରେ କରିବୁ । ଏଇଟି ମୋ'ର ବଡ଼ ଦରକାରୀ ଜିନିଷ ।"

ଭୂତ କୁକୁରର ଲାଞ୍ଜକୁ କୌଣସିମତେ ସିଧା କରି ପାରିଲା ନାହିଁ । ଯେତେ ସମୟ ଧରି ସିଧା କରି ରଖେ, ପୁଣି ଛାଡ଼ି ଦେଲେ ସେ ବଙ୍କା ହୋଇଯାଏ । ଶେଷକୁ ଭୂତ ଜଗା ରାଜାର ପାଖରେ ପହଞ୍ଚି ହାତ ଯୋଡ଼ି କହିଲା, "ବାବା, ଏଣିକି ମୋତେ ଛୁଟି ଦିଅ । ତୁମର କାମ ଆଉ ମୋ' ଦ୍ୱାରା ହେବ ନାହିଁ ।"

ଜଗା ରାଜା ତ ସେଇ କଥା ଚାହୁଁଥିଲା । ଭୂତ ପାଖରୁ ରକ୍ଷା ପାଇ ସେ ଆନନ୍ଦରେ ରାଜତ୍ୱ କଲା ।