ପୃଷ୍ଠା:Malunira Fula O Anyanya Galpa.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଣାମ କରି କହିଲା, "ମହାଶୟ, ମୋର ସମସ୍ତ କୁଶଳ । ଆପଣଙ୍କର ମହାନ୍ ଉପଦେଶ ପାଇ ମୁଁ ଆପଣଙ୍କ ନିକଟରେ ଋଣୀ । ଆପଣ ଦେଖାଇ ଦେଇଥିବା ବାଟରେ ଯାଇ ମୋର ବହୁତ ଉପକାର ହୋଇଛି । ଅନେକବାର ଗୋଟିଏ ଚତୁର୍ଭୁଜ ବିଶିଷ୍ଟ ସୁନ୍ଦର ମୂର୍ତ୍ତି ମୋର ମେଣ୍ଢା ଦେହରେ ମୁଁ ଦେଖିବାକୁ ପାଉଛି ଏବଂ ତାହା ମୋତେ ପରମ ଆନନ୍ଦ ଦେଉଛି ।"

ଶିଶୁସୁଲଭ ବିଶ୍ୱାସ ଓ ଅକପଟତା ବଳରେ ଈଶ୍ୱରଙ୍କୁ ଲାଭ କରାଯାଇପାରେ ।

କୂପମଣ୍ଡୁକ

କୂଅରେ ଗୋଟାଏ ବେଙ୍ଗ ରହି ମନେ ମନେ ଗର୍ବ କରୁଥିଲା ଯେ କୂଅଠାରୁ ଆଉ ବଡ଼ କିଛି ନାହିଁ । କୂଅରେ ପହଁରି ସେ ବେଶ ଆନନ୍ଦ ପାଏ ଓ ପୋକ ଜୋକ ଆସି ପଡ଼ିଲେ ତାଙ୍କୁ ଖପ୍ କରି ମାଡ଼ି ବସି ଖାଇଯାଏ । ସମୁଦ୍ରର ଏକ ବେଙ୍ଗ ଆସି କୂଅରେ ପଡ଼ିଲା । କୂଅ ବେଙ୍ଗ ଭାବିଲା, ଶିକାର ଆସି ଯାଇଚି । ଲମ୍ଫ ଦେଇ ତା ପାଖରେ ପଡ଼ିଚି ତ ଦେଖିଲା, ସେ ତା'ଠାରୁ ଏକ ବଡ଼ ବେଙ୍ଗଟିଏ । କୂଅ ବେଙ୍ଗର ବର୍ଣ୍ଣ କଳା । ଏ ବେଙ୍ଗ ତା'ଠାରୁ ତୋଫା । ଟିକିଏ ହଳଦିଆ ରଙ୍ଗ । ସେ ଚମକି ପଡ଼ିଲା । ମାତ୍ର ସେ ତାକୁ ଭୟ କରୁଚି, ଏଇଟା ଧରା ପଡ଼ିଗଲେ, ତାର ମାନ ସମ୍ମାନ ଚାଲିଯିବ । ସେ କୂଅଟାର ରାଜା କି ନା !

ଖୁବ୍ ଗମ୍ଭୀର ଭାବରେ ସେ ମୋଟା ଗଳାରେ ସାଗରର ବେଙ୍ଗକୁ ପଚାରିଲା, "ତୁମେ କିଏ ହୋ, କାହିଁକି ଏଠାକୁ ଆସିଚ ?"