ପୃଷ୍ଠା:Malunira Fula O Anyanya Galpa.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମୁଦ୍ରବେଙ୍ଗ କହିଲା, "ମୁଁ ସମୁଦ୍ରରେ ଥିଲି । ବୁଲୁ ବୁଲୁ ଏଠାକୁ ଚାଲି ଆସିଲି ।"

କୂଅବେଙ୍ଗ ପଚାରିଲା, "ସମୁଦ୍ର କେତେ ବଡ଼ ?"

ଆଗନ୍ତୁକ ବେଙ୍ଗ କହିଲା, "ବହୁତ ବଡ଼ ।"

କୂଅ ବେଙ୍ଗ ଦୁଇ ଗୋଡ଼ ମେଲାଇ ଦେଇ କହିଲା, "ଇଆଠାରୁ ବଡ଼ ?"

ସମୁଦ୍ର ବେଙ୍ଗ କହିଲା, "ଏହାଠାରୁ ବହୁତ ବଡ଼ ।"

କୂଅ ବେଙ୍ଗ କୂଅ ନନ୍ଦର ଏ ପାଖରୁ ସେ ପାଖକୁ ଡେଇଁ କହିଲା, "କ'ଣ ଏତେ ବଡ଼ ?"

ସମୁଦ୍ର ବେଙ୍ଗ କହିଲା, "ଏଇଟା କଣ? ଏହାଠାରୁ ବହୁତ ବହୁତ ବଡ଼ ।"

କୂଅ ବେଙ୍ଗ ସମୁଦ୍ର ବେଙ୍ଗ ସହିତ କଜିଆ ଆରମ୍ଭ କରିଦେଲା । "ତୁ ମୂର୍ଖ, ମିଥ୍ୟାବାଦୀ । ଏ କୂଅ ଭିତରେ ମୁଁ ଅନେକ ଦିନ ଧରି ଅଛି । ଏହାଠାରୁ କିଛି ବଡ଼ ଥାଇ ନ ପାରେ ।"

ସମୁଦ୍ର ବେଙ୍ଗ କହିଲା, "କୂଅ ଉପରକୁ ଉଠି ଆସ, ପାଖରେ ସମୁଦ୍ର ଅଛି ଦେଖିପାରିବ । କିଏ ମୂର୍ଖ, ମିଛୁଆ ଜଣାପଡ଼ିଯିବ ।"

କୂଅ ବେଙ୍ଗ କହିଲା, "ହ୍ୟାପ, ବାହାରୁ ଆସି ମୋତେ ଢମ ଦେଖାଉଚି । ଏ କୂଅ ଛାଡ଼ି ମୁଁ ଚାଲିଯିବି, ଆଉ ତୁ ଏଠି ରହିବୁ ।" ସମୁଦ୍ର ବେଙ୍ଗ ଦେଖିଲା, ଏହା ସହିତ ଯୁକ୍ତିକରି ଲାଭ ନାହିଁ । ସେ ଚୁପ୍ ହୋଇ ଚାଲିଗଲା ।

କବିରାଜ

ମଣ୍ଟୁ ଛୋଟ ପିଲାଟିଏ । ବୟସ ତା'ର ଦଶ କି ବାର ବର୍ଷ ହେବ । କ'ଣ ହୋଇଛି କେଜାଣି, ସେ ଯାହା ଖାଉଚି, ତା ଦେହରେ ଲାଗୁନି । ଯେଉଁଠି ବସୁଛି ସେହିପରି ବସି ରହୁଛି । ତା'ର ସାଙ୍ଗ ପିଲାମାନେ ଦୌଡ଼ା ଦୌଡ଼ି ଖେଳାଖେଳି ହୁଅନ୍ତି, ତାକୁ କିନ୍ତୁ ସେ ସବୁ ଭଲ ଲାଗେ ନାହିଁ । ତା'ର ଦେହ ଶୁଖି ଶୁଖି କାଠ ହୋଇଗଲାଣି ।

ତା'ର ମା' କେତେ ମାନସିକ, କେତେ ପୂଜା କଲେ । ପଣ୍ଡିତ ପ୍ରତିଦିନ ଆସି କେତେ ଝଡ଼ାଝଡ଼ି ଫୁଙ୍କାଫୁଙ୍କି କଲେ । କେତେ ଡେଉଁରିଆ ଦେଲେ । କିନ୍ତୁ କିଛି ଫଳ ହେଲା ନାହିଁ । ସାଇ ପଡ଼ିଶା କହିଲେ, ସେ ଡରିଛି; କିଏ କହିଲା, ସେ ଭେଟଣା ହୋଇ ଯାଇଛି । କିଏ କହିଲା, ଭଲ ଗୁଣିଆ ଆଣିବାକୁ ହେବ । ଆଉ ପୁଣି କେହି ପରାମର୍ଶ ଦେଲେ, ଭଲ ଡାକ୍ତର ବା ବୈଦ୍ୟଙ୍କ ପାଖକୁ ନେଇ ଦେଖାଅ ।

ମଣ୍ଟୁର ଗାଁର ଚାରିପାଖରେ ତିନି କୋଶ ଆକ୍ରାନ୍ତରେ କୌଣସି ଡାକ୍ତର, ବୈଦ୍ୟ ନ ଥିଲେ । କ'ଣ କରାଯିବ ? ଦିନେ ସକାଳେ ତା'ର ବାପା ତାକୁ ନେଇ ଚାରି କୋଶ ଦୂରରେ ଥିବା ଜଣେ କବିରାଜଙ୍କ ଘରେ ପହଞ୍ଚିଲେ । କବିରାଜ ବୁଢ଼ା ଲୋକ, କିନ୍ତୁ ଖୁବ୍ ନାମଜାଦା । ସେ ମଣ୍ଟୁର ଦେହ ଖରାପ ହୋଇଥିବାର ସମସ୍ତ ଘଟଣା ଶୁଣିଲେ । ତା'ପରେ ତାକୁ ପରୀକ୍ଷା କରି ଗୋଟିଏ ଔଷଧ ଦେଲେ । ପୁଣି କହିଲେ, "ଆଉ ଦିନେ ଆସ । ସେ କ'ଣ ଖାଇବ, ତାହା ମୁଁ କହିଦେବି ।"