ପୃଷ୍ଠା:Malunira Fula O Anyanya Galpa.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କବିରାଜଙ୍କର ଜଣେ ଛାତ୍ର ଏହି ଦୁଇ ଦିନଯାକ ସେଠାରେ ଉପସ୍ଥିତ ଥିଲା । କବିରାଜଙ୍କ କଥା ଶୁଣି ତା' ମନରେ ଏକ ପ୍ରଶ୍ନ ହେଲା । ସେ କବିରାଜଙ୍କୁ ପଚାରିଲା, "ରୋଗୀ କ'ଣ ଖାଇବ ନ ଖାଇବ, ସେ କଥା କ'ଣ ଆପଣ ପ୍ରଥମ ଦିନ କହିପାରି ନ ଥାନ୍ତେ ? କେବଳ ଏତିକି କହିବାପାଇଁ ରୋଗୀ ପିଲାଟିକୁ ଚାରି ଚାରି କୋଶ ବାଟ ଚଲାଇ ଆଣିଲେ ।"

କବିରାଜ କହିଲେ, "ନାଇଁ,ନାଇଁ, ଏହାର ଗୋଟାଏ ଅର୍ଥ ଅଛି । ସେ ଦିନ ମୋ ଘରେ ଅନେକ ଗୁଡ଼ ମାଠିଆ ଥିଲା । ସେ ଦିନ ମୁଁ ଯଦି ତାକୁ ଗୁଡ଼ ଖାଇବାପାଇଁ ମନା କରିଥା'ନ୍ତି, ସେ ମୋ କଥାରେ ବିଶ୍ୱାସ କରି ନ ଥାନ୍ତା । ଭାବିଥାନ୍ତା, କବିରାଜଙ୍କ ଘରେ ଏତେ ଗୁଡ଼ ମାଠିଆ, କବିରାଜ ନିଶ୍ଚୟ ଗୁଡ଼ ଖାଆନ୍ତି । ସେଥିରେ ତାଙ୍କର ଦୋଷ ହେଉ ନାହିଁ । କେବଳ ମୁଁ ଖାଇଲେ ଦୋଷ ହେବ ? ତା' ଆରଦିନ ସବୁ ଗୁଡ଼ ମାଠିଆକୁ ମୁଁ ଏ ଘରୁ ଉଠାଇ ନେଇଛି । ବର୍ତ୍ତମାନ ମୁଁ ଯାହା କହିଲି ସେଥିରେ ତା'ର ନିଶ୍ଚୟ ବିଶ୍ୱାସ ହେବ ।"

କବିରାଜଙ୍କର କଥା ଶୁଣି ଛାତ୍ର ଅବାକ୍ ହୋଇଗଲା । ସେ ବୁଝି ପାରିଲା, ନିଜେ ପାଳନ ନ କରି ମୁହଁରେ ଉପଦେଶ ଦେଲେ, ତା'ର କୌଣସି ଫଳ ହୁଏ ନାହିଁ ।

ଆଗେଇ ଚାଲ

ଉନ୍ନତି କରିବାର ଶକ୍ତି ଭଗବାନ ମନୁଷ୍ୟକୁ ଦେଇଛନ୍ତି । ଉନ୍ନତି କରିବାର ବାଟରେ ଯେ ଯେତେ ଆଗେଇ ଯାଇପାରେ ଆହୁରି ଉନ୍ନତି କରିବାର ଶକ୍ତି ତା'ଭିତରେ ଜାଗିଉଠେ । ଉନ୍ନତିର ବାଟରେ ଯାଉ ଯାଉ କୌଣସି କୌଣସି ଲୋକ ଅଟକି ଯାଆନ୍ତି । ତା'ଫଳରେ ସେମାନେ ସେତିକିରେ ରହି ଯା'ନ୍ତି । ଆଉ ସେମାନଙ୍କର ଉନ୍ନତି ହୁଏ ନାହିଁ । ଯେ ବାଟରେ ଅଟକେ ନାହିଁ, ଆଗେଇଚାଲେ, ସେହି କେବଳ ବଡ଼ ହୁଏ ।

ଜଣେ କାଠୁରିଆ ବଡ଼ ଗରିବ ଥିଲା । ଦିନସାରା ସେ ବଣରେ କାଠ କାଟି ସଂଧ୍ୟା ବେଳେ ଗ୍ରାମକୁ ଫେରେ ଓ କାଠତକ ବିକ୍ରି କରେ । ଖରା ନାହିଁ, ବର୍ଷା ନାହିଁ, ଦେହ ଦୁଃଖ ନାହିଁ, ସବୁଦିନ ତାକୁ କାଠ କାଟିବାକୁ ଯିବାକୁ ପଡେ଼ ଓ ମୁଣ୍ଡରେ କାଠ ବୋଝ ବୋହି ବିକ୍ରି କରିବାକୁ ହୁଏ । ସେଥିରୁ ଯେଉଁ ସାମାନ୍ୟ ପଇସା ସେ ପାଏ, ସେଥିରେ ତା'ର ସଂସାର କୌଣସିମତେ ଚଳିଯାଏ । ଖଟି ଖଟି କାଠୁରିଆକୁ ଭାରି କଷ୍ଟ ହେଲା । ଦେହରେ କେତେ ଖଣ୍ଡି ହାଡ଼ ଛଡ଼ା ଆଉ କିଛି ନ ଥିଲା । ତା'ର ଭାଗ୍ୟ କେବେ ବଦଳିବ ବୋଲି ସେ ବିଶ୍ୱାସ କରୁ ନ ଥିଲା । ଦିନେ ବଣକୁ ସେ କାଠ କାଟିବାକୁ ଯାଇଛି, ବଣ ମଧ୍ୟରେ ଜଣେ ସାଧୁଙ୍କ ସଙ୍ଗରେ ଦେଖା ହେଲା । କାଠୁରିଆର ଅବସ୍ଥା ଦେଖି ସାଧୁଙ୍କର ମନରେ ଦୟା ହେଲା । ସେ ଖାଲି ତାକୁ ଏତିକି କହିଲେ, "ଆଗେଇ ଚାଲ ।"

ସାଧୁ ଚାଲିଗଲେ । କାଠୁରିଆ ମନେ ମନେ ଭାବିବାକୁ ଲାଗିଲା, "ସାଧୁ ତ ମୋତେ ଆଗେଇ ଯିବାକୁ କହିଛନ୍ତି; ଏ ଘୋର ବନସ୍ତ ମଧ୍ୟରେ ମୁଁ ଟିକିଏ ଆଗେଇ ଯିବି । ଦେଖାଯାଉ, କ'ଣ ହେଉଛି ।"