ପୃଷ୍ଠା:Malunira Fula O Anyanya Galpa.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ ମୋତେ ଆଗେଇ ଯିବାକୁ କହିଛନ୍ତି, ପୁଣି ଆଗକୁ ଯାଇ ଦେଖେଁ, କ'ଣ ହେଉଛି ।" ତା'ପରେ ସେ ତମ୍ବା ଖଣି ପାର ହୋଇ କିଛି ଦୂର ଆଗକୁ ଯାଇଛି ତ ଦେଖିଲା, ଏକ ରୁପାର ଖଣି । ଆନନ୍ଦରେ କାଠୁରିଆ ଏକ ରୁପାର ଗଣ୍ଠିଲା ବାନ୍ଧି ଘରକୁ ଫେରି ଆସିଲା ।

ଦେଖୁ ଦେଖୁ କାଠୁରିଆ ବଡ଼ଲୋକ ହୋଇଗଲା । ସାଇ ପଡ଼ିଶାର ଲୋକେ କୁହା କୋହି ହେଲେ, "କାଠୁରିଆ ଦେବତାଙ୍କର ଧନ ଲାଭ କରିଛି ।" ରୁପାର ଖଣି ପାଇବା ପରେ କାଠୁରିଆର ମନେହେଲା, ସାଧୁଙ୍କର ଦୟାରୁ ତା'ର ବହୁତ କିଛି ହୋଇଛି । ଆହୁରି ଆଗକୁ ଯାଇ କିଛି ଲାଭ ନାହିଁ । ଯାହା ହୋଇଛି ବେଶ୍ ହୋଇଛି । କିନ୍ତୁ କିଛି ଦିନ ପରେ ପୁଣି ସାଧୁଙ୍କ କଥା ତା'ର ମନେ ପଡ଼ିଲା । ସେ କହିଲା, "ନା ମୁଁ ଏଠାରେ ଅଟକିବି ନାହିଁ, ପୁଣି ଆଗେଇ ଯିବି ।"

ଏହିରି ପ୍ରତିଦିନ ସେ କିଛି କିଛି ଆଗେଇଲା । ତା'ପରେ ସୁନା ଖଣି, ହୀରା ଖଣି ସନ୍ଧାନ ପାଇ, ବହୁତ କିଛି ଧନରତ୍ନ ସେ ଲାଭ କରି ପାରିଲା । ତାକୁ ଦେଖି ଲୋକେ ଈର୍ଷା କରିବାକୁ ଲାଗିଲେ । କିନ୍ତୁ ସାଧୁଙ୍କର ଉପଦେଶ ତା'ମନରେ ପ୍ରତିଧ୍ୱନି ପରି ସବୁବେଳେ ଜାଗି ଉଠୁଥିଲା-- ଆଗେଇ ଚାଲ ।

ଗୁରୁଙ୍କ ଗୁରୁ, ମହାଗୁରୁ

ଜଣେ ଗୁରୁ ଥିଲେ । ତାଙ୍କ ଶିଷ୍ୟର ଗୋଟିଏ କପଡ଼ା ଦୋକାନ ଥିଲା । ପୋଥି ବାନ୍ଧିବାପାଇଁ ଗୁରୁଙ୍କର ଖଣ୍ଡେ ଛିଟ କନା ଦରକାର ହେଲା । ଗୁରୁ ଶିଷ୍ୟ ପାଖକୁ ଯାଇ କନା ଖଣ୍ଡେ ମାଗିଲେ ।

ଶିଷ୍ୟ କହିଲା, "ଗୁରୁଦେବ, ଏଇ ତ ସେଦିନ କଟା ପାଟକନା ଖଣ୍ଡେ ପଡ଼ିଥିଲା । ଜଣେ ମାଗିଲା, ତାକୁ ଦେଇଦେଲି । ଏବେ ତ ଆଉ କନା ନାହିଁ । ଯାହା ହେଉ, ଏଥର ବଳକା କଟା କନା ଥିଲେ, ମୁଁ ରଖିଥିବି । ଆପଣ ମଝିରେ ମଝିରେ ଆସି ବୁଝି ଯାଉଥିବେ ।"

ଗୁରୁ ମଧ୍ୟ ସେଥିରେ ରାଜି ହୋଇ ଚାଲିଗଲେ । କିନ୍ତୁ ଶିଷ୍ୟର ସ୍ତ୍ରୀ ଥିଲା, ଗୁରୁଙ୍କର ପରମ ଭକ୍ତ । ସେ ଘର ଭିତରେ ରହି ସବୁ ଶୁଣୁ ଥିଲା । ଗୁରୁ ଚାଲିଯିବାର ଦେଖି ସେ ଲୋକ ପଠାଇ ତାଙ୍କୁ ଡକାଇ ଆଣିଲା । ପଚାରିଲା, "ଆପଣ କଣ ମାଗୁଥିଲେ କି ?"

ଗୁରୁ ସବୁ କଥା ଖୋଲି କହିଲେ ।

ଶିଷ୍ୟର ସ୍ତ୍ରୀ କହିଲା, "ଠିକ୍ ଅଛି । ଆପଣ ଯା'ନ୍ତୁ । ଆପଣଙ୍କୁ ଆସିବାକୁ ପଡ଼ିବ ନାହିଁ । କାଲି ଆପଣଙ୍କ ଘରେ ଛିଟ କନା ପହଞ୍ଚି ଯାଇଥିବ ।" ଗୁରୁ ଖୁସି ହୋଇ ଚାଲିଗଲେ ।

ରାତିରେ ଶିଷ୍ୟ ଦୋକାନ ବନ୍ଦ କରି ଘର ଭିତରକୁ ଆସିଲା ।

ସ୍ତ୍ରୀ କହିଲା । "ତୁମେ କଣ ଦୋକାନ ବନ୍ଦ କରି ଆସିଚ ?"

ଶିଷ୍ୟ କହିଲା, "ହଁ । କାହିଁକି, କଣ ହେଲା ?"

ସ୍ତ୍ରୀ କହିଲା, " ତା'ହେଲେ ତୁମେ ଏବେ ଫେରିଯାଇ ମୋ'ପାଇଁ ଦୋକାନ ଖୋଲି ଦି'ଖଣ୍ଡ ଛିଟ କନା ନେଇ ଆସ ।"