ପୃଷ୍ଠା:Malunira Fula O Anyanya Galpa.pdf/୫୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜଟିଳର ଭାଇ ମଧୁସୂଦନ

ଜଣେ ବିଧବାର ଗୋଟିଏ ଛୋଟ ପୁଅ ଥିଲା । ତାର ନାମ ଜଟିଳ । ଜଟିଳ ଗାଁଠାରୁ ଦୂରରେ ଗୁରୁଙ୍କ ପାଠଶାଳାକୁ ପଢ଼ିବାକୁ ଯାଏ । ବିଧବା ବଡ଼ ଗରିବ ଥିଲା । ତାର ନିଜର ହୋଇ କେହି ନ ଥିଲେ । ଜଟିଳ ପାଟଶାଳାକୁ ଯିବାବେଳେ ଏକ ବଣ ଭିତର ଦେଇ ଯାଏ । ଛୋଟ ପିଲା, ବଣ ଭିତର ଦେଇ ଗଲାବେଳେ ତାକୁ ଭାରି ଡର ଲାଗେ । ଦିନେ ମା' ପାଖରେ କାନ୍ଦି କାନ୍ଦି ସେ କହିଲା, ""ଏକୁଟିଆ ପାଠଶାଳାକୁ ଯିବାକୁ ମୋତେ ଭୟ ଲାଗୁଛି । ମୋ ସାଙ୍ଗରେ ଜଣେ ଲୋକ ପଠା । ତା ନ ହେଲେ ପଢ଼ିବାକୁ ଯିବି ନାହିଁ ।

ଜଟିଳ କଥାରେ ମା ମନରେ ଦୁଃଖ ହେଲା । କହିଲା, "ମୁଁ ଲୋକ କେଉଁଠି ପାଇବିରେ ପୁଅ ! ବଣରେ ତୋର ଜଣେ ଭାଇ ଅଛି । ତାର ନାମ ମଧୁସୂଦନ । ଭୟ ହେଲେ ତାକୁ ଡାକିବୁ । ସେ ତୋ ସାଙ୍ଗରେ ଯିବ ।"

ମା' କଥା ଶୁଣି ଜଟିଳ ମନରେ ଆନନ୍ଦ ହେଲା । ପାଠଶାଳା ଯିବା ବାଟରେ ସେ ଦିନ ବଣ ଭିତରେ ସେ ଖୁବ୍ ପାଟିକରି ଡାକିଲା, "ମଧୁସୂଦନ ଭାଇ, ହେ ମଧୁସୂଦନ ଭାଇ, ଆସ, ମୋତେ ଭାରି ଡର ଲାଗୁଛି ।"

କେହି ଆସୁନାହିଁ, କେହି ଜବାବ ଦେଉନାହିଁ ଦେଖି ଜଟିଳ ଆହୁରି ବଡ଼ ପାଟିକରି ଡାକିବାକୁ ଲାଗିଲା । ତାର ବିଶ୍ୱାସ, ମଧୁସୂଦନ ଭାଇ ନିଶ୍ଚୟ ଆସିବେ ।

ଜଟିଳର ସରଳ ଭକ୍ତିରେ ଭଗବାନ ଆଉ ରହି ପାରିଲେ ନାହିଁ । ସେ ଗୋଟିଏ ଛୋଟ ବାଳକ ରୂ ଧରି ହସି ହସି ଜଟିଳ ପାଖରେ ପହଞ୍ଚି କହିଲେ, "ଆରେ ଭାଇ, ମୁଁ ଆସୁଛି ଯେ ।" ଜଟିଳର କି ଆନନ୍ଦ! ପ୍ରତିଦିନ ମଧୁସୂଦନ ଭାଇ ପାଠଶାଳା ଯାଏଁ ଆସେ ଏବଂ ଫେରିବାବେଳେ ଘର ଯାଏଁ ତାକୁ ବାଟେଇ ଦେଇ ଯାଏ । ଦୁଇ ଜଣଙ୍କ ଭିତରେ କେତେ କଥାଭାଷା, କେତେ ଖେଳ, କେତେ ଆନନ୍ଦ । ଏହିପରି ଦିନ ଚାଲିଯାଏ ।

ତା' ପରେ ଦିନେ ଗୁରୁଙ୍କର ମା' ମରିଗଲେ । ଗୁରୁ ମା'ଙ୍କର ଶ୍ରାଦ୍ଧ କରିବେ । ଛାତ୍ରମାନେ ନିଜର ଶକ୍ତି ଅନୁଯାୟୀ, ଯାହା ପାରନ୍ତି ଗୁରୁଙ୍କୁ ଦେଉଛନ୍ତି । କିଏ ଚାଉଳ ଦେଉଛି, କିଏ ଦୁଧ ଦେଉଛି, କିଏ ଦେଉଛି ଖଲି ପତ୍ର, ଏହିପରି ସମସ୍ତେ ଦେଉଛନ୍ତି । ଗୁରୁ ଜଟିଳକୁ ଡାକି ପଚାରିଲେ, "ଜଟ, ତୁ କ'ଣ ଦେବୁରେ?"

ଜଟିଳ କହିଲା, "ଆଜ୍ଞା, ମା'କୁ ପଚାରି କହିବି ।"

ପାଠଶାଳାରୁ ଫେରି ଜଟିଳ ମା'କୁ ସବୁ କଥା କହିଲା । ଶୁଣି ମା କହିଲା, "ବାପା ଗୁରୁଙ୍କୁ ଦେବାପାଇଁ ଆମର କିଛି ନାହିଁ । ଆମେ ଅତି ଗରିବ । ତୁ ତୋର ମଧୁସୂଦନ ଭାଇକୁ ଏ କଥା କହ ।"

ଜଟିଳ ଖୁବ୍ ବୁଝିବା ସୁଝିବା ପିଲା ଥିଲା । ମା'ର ଦୁଃଖ ସେ ଜାଣିପାରେ । ପରଦିନ