ପୃଷ୍ଠା:Malunira Fula O Anyanya Galpa.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେତେ ଅଧିକ ଟଙ୍କା ପକାଇଲେ ମଧ ଘଡ଼ା ସେହିରି ଅପୂର୍ଣ୍ଣ ରହିଲା । ସେ ଲୋକଙ୍କ ପାଖକୁ ଯାଇ ମାଗି ଯାଚି, ଋଣ କରି ଯାହା ପାଇଲା, ଘଡ଼ାରେ ପକାଇବାକୁ ଲାଗିଲା । ମାତ୍ର ତା'ର ଯେଉଁ ଦଶାକୁ ସେଇ ଦଶା । ତାକୁ ଅତିଶୟ ବିବ୍ରତ ଓ ଚିନ୍ତିତ ଥିବାର ଦେଖି ରାଜା ଦିନେ ପଚାରିଲେ, ""ଆଗେ ତୁ କମ୍ ଦରମା ପାଉଥିଲୁ । ମାତ୍ର ବେଶ୍ ଖୁସି ବାସିରେ ଚଳୁଥିଲୁ । ଏବେ ତୁ ଦି'ଗୁଣ ଦରମା ପାଇଲୁ, ସେଥିରେ କଣ ତୁ ଚଳିପାରୁନାହୁଁ ? ତୋର କଣ ହୋଇଚି ? ସେଇ ସାତ ଘଡ଼ା ମୋହର ପାଇଚୁ କିରେ ?

ନାପିତ ଥତ ମତ ହୋଇ କହିଲା, ""ଆଜ୍ଞା, ଆପଣଙ୍କୁ କିଏ କହିଲା ?

ରାଜା କହିଲେ, ""ଆରେ ସେ ଯକ୍ଷର ଧନ । ତାକୁ ନେଲେ କେହି କିଛି ଖର୍ଚ୍ଚ କରି ପାରେନି । ଖାଲି ଜମା କରିବାକୁ ହୁଏ । ସେ ଯକ୍ଷଟା ମୋ' ପାଖକୁ ଆସିଥିଲା । ମୋତେ କହିଲା, ""ସାତଘଡ଼ା ଧନ ନେବ ? ମୁଁ କହିଲି, ""ଜମାର ଟଙ୍କା ନା ଖର୍ଚ୍ଚ ଟଙ୍କା ? ଯକ୍ଷଟା ଆଉ କିଛି ନ କହି ସଙ୍ଗେ ସଙ୍ଗେ ପଳାଇଗଲା । ଏବେ ଯା ସାଙ୍ଗେ ସାଙ୍ଗେ ଘଡ଼ିତକ ଫେରାଇ ଦେ । ନ ହେଲେ ଶାନ୍ତିରେ ରହିପାରିବୁ ନାହିଁ ।

ନାପିତ ସଙ୍ଗେ ସଙ୍ଗେ ସେଇ ଜାଗାକୁ ଯାଇ କହିଲା, ""ତୋର ଟଙ୍କା ତୁ ନେଇ ଯା, ମୋର ଦରକାର ନାଇଁ । ଯକ୍ଷ କହିଲା "ଆଚ୍ଛା !' ନିଜ ଘରକୁ ଫେରି ଆସି ନାପିତ ଦେଖିଲା, ଯକ୍ଷ ଘଡ଼ାଗୁଡ଼ାକ ନେଇଯାଇଚି । ଯେଉଁ ଘଡ଼ାରେ ସେ ନିଜେ ଟଙ୍କା ସୁନା ପୂରାଇଥିଲା, ସେ ଘଡ଼ାଟା ବି ନାହିଁ ।

ବ୍ରାହ୍ମଣ ଓ ଇନ୍ଦ୍ର

ଜଣେ ବ୍ରାହ୍ମଣ ଏକ ସୁନ୍ଦର ବଗିଚା କରିଥିଲେ । ଦିନ ରାତି ପରିଶ୍ରମ କରି ଅନେକ ଗୁଡ଼ିଏ ଫୁଲ ଫଳ ଗଛ ଲଗାଇଥିଲେ । ଦିନେ ଗୋଟାଏ ଗୋରୁ ପଶିଯାଇ ବ୍ରାହ୍ମଣ ବହୁ ଯତ୍ନରେ ବଢ଼ାଇଥିବା କେତୋଟି ଗଛକୁ ଖାଇଦେଲା । ବ୍ରାହ୍ମଣ ରାଗରେ ଅନ୍ଧ ହୋଇ ଗୋରୁଟାକୁ ମାରିବାକୁ ଲାଗିଲେ ଏବଂ ମାରୁ ମାରୁ ମାରିଦେଲେ । ସମସ୍ତେ ଗୋହତ୍ୟାପାଇଁ ବ୍ରାହ୍ମଣକୁ ଦୋଷ ଦେବାକୁ ଲାଗିଲେ । ବ୍ରାହ୍ମଣ କିନ୍ତୁ ନିଜ ଦୋଷ ମାନିଲେ ନାହିଁ । ସେ କହିଲେ, ""ମୋର ଦୋଷ କଣ ? ମୁଁ ଗୋ ହତ୍ୟା କରି ନାହିଁ । ମୋର ହାତ ମାରିଚି ଏବଂ ହାତର ଦେବତା ଇନ୍ଦ୍ର ହିଁ ଏହି କାର୍ଯ୍ୟ କରିଛନ୍ତି । ତେଣୁ ଗୋ-ହତ୍ୟା ପାପ ଇନ୍ଦ୍ରଙ୍କୁ ଲାଗିବ, ମୋତେ ନୁହେଁ ।

ଇନ୍ଦ୍ର ଦେଖିଲେ, ମହାବିପଦ । ସେ ବ୍ରାହ୍ମଣ ବେଶଧରି ସେହି ବଗିଚାରେ ପହଞ୍ଚିଲେ । ବ୍ରାହ୍ମଣଙ୍କୁ ଦେଖି କହିଲେ, ""ମହାଶୟ, ଏ ବଗିଚାଟି କାହାର ?

ବ୍ରାହ୍ମଣ ଉତ୍ତର ଦେଲେ, "ଆଜ୍ଞା ମୋର' । ଇନ୍ଦ୍ର କହିଲେ, ""ବଗିଚାଟି ବେଶ ସୁନ୍ଦର ହୋଇଚି । ଆପଣଙ୍କ ମାଳୀଟି ବି ଖୁବ୍ ଭଲ । ବହୁ ଯତ୍ନ ନେଇ ଏ ବଗିଚାଟିକୁ କରିଚି । ସୁନ୍ଦର ଭାବରେ ସଜାଇ ଗଛଗୁଡ଼ିକ ପୋତିଛି । ବ୍ରାହ୍ମଣ କହିଲେ ""ଆଜ୍ଞା ମାଳୀ କେହି ନାହିଁ । ମୁଁ ନିଜେ