ପୃଷ୍ଠା:Malunira Fula O Anyanya Galpa.pdf/୬୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭଉଣୀ କହିଲା, "ଦେଖ, ମୁଁ ଦୁଇ ହାତ ଉଠାଇ ନାଚୁଚି । ଅଣ୍ଟାରେ ହାତ ରଖିନି । କେତେ ମଜା ଲାଗୁଚି । ତୁ ଦି ହାତ ଉଠାଇ ନାଚେ ।"

ଆର ଭଉଣୀ କହିଲା, "ମୋତେ ସେମିତି ନାଚି ଆସୁନାହିଁ, ଭଉଣୀ! ଯେ ଯେମିତି ଜାଣିଚି ନା ।"

ଲୋଭ ଛାଡ଼ିବା ସହଜ ନୁହେଁ ।

ସଦ୍‌ଗୁରୁ

ଦିନେ ମୁଁ ଏକ ଗ୍ରାମ୍ୟ ରାସ୍ତାରେ ଯାଉଥିଲି । ଶୁଣିଲି-ଗୋଟାଏ ବଡ଼ ବେଙ୍ଗ ଖୁବ୍ ବୋବଉଛି । ଭାବିଲି-ସାପ ଧରିଛି । ପୁଣି କାମ ସାରି ଫେରିଲା ବେଳକୁ ସେ ବେଙ୍ଗର ବୋବାଳି ଶୁଣିଲି । ପାଖକୁ ଯାଇ ଦେଖେ ତ ଗୋଟାଏ ଧଣ୍ଡ ସାପ ବେଙ୍ଗକୁ ଧରିଛି । ବଡ଼ ବାହ୍ମୁଣିଆ ବେଙ୍ଗ, ଧଣ୍ଡ ସାପ ତାକୁ ଛାଡ଼ି ପାରୁନାହିଁ କି ଗିଳି ପାରୁନାହିଁ । ବେଙ୍ଗଟାର ଯନ୍ତ୍ରଣା ମଧ୍ୟ ବଢ଼ି ଚାଲିଛି ।

ମନେ ମନେ ଭାବିଲି, ଯଦି ଜାତିଆ ସାପ ଧରି ଥାଆନ୍ତା, ତା'ହେଲେ ଦୁଇ ତିନି ଥର ବୋବାଇବା ପରେ ବେଙ୍ଗଟା ଚୁପ୍ ହୋଇ ଯାଇଥାନ୍ତା । ଧଣ୍ଡ ସାପଟା ଧରିଛି ନା ! ତେଣୁ ସାପଟାର ଯନ୍ତ୍ରଣା ଏବଂ ବେଙ୍ଗଟାର ମଧ୍ୟ ଯନ୍ତ୍ରଣା । ଯଦି ସଦ୍‌ଗୁରୁ ହୁଅନ୍ତି, ତା'ହେଲେ ଜୀବର ଅହଙ୍କାର ଅଳ୍ପ ସମୟରେ ଘୁଞ୍ଚିଯାଏ । କିନ୍ତୁ ଗୁରୁ କଞ୍ଚା ହେଲେ, ଗୁରୁର ଯନ୍ତ୍ରଣା ଏବଂ ଶିଷ୍ୟର ଯନ୍ତ୍ରଣା । କଞ୍ଚା ଗୁରୁର ପାଲରେ ପଡ଼ିଲେ, ଶିଷ୍ୟ ମୁକ୍ତ ହୁଏ ନାହିଁ । ତା'ର ଅହଙ୍କାର ଘୁଞ୍ଚେ ନାହିଁ । ବନ୍ଧନ କଟେ ନାହିଁ ।

ଗୁରୁଗିରି କରିବା ପାଇଁ ଅନେକଙ୍କର ଇଚ୍ଛା ହୁଏ । ପାଞ୍ଚଜଣ ମାନିବେ, ଶିଷ୍ୟ ସେବକ ହେବେ, ଘରେ ଜିନିଷପତ୍ର ଆସି ଜମା ହୋଇଯିବ ! ମାନ ସମ୍ମାନ ବଢ଼ିବ ! ଏମାନେ ହୀନ ବୁଦ୍ଧିର ଲୋକ । କଞ୍ଚାଗୁରୁ ।

ଈଶ୍ୱରଙ୍କ ଆଦେଶ ନ ମିଳିଲେ କେହି ଗୁରୁ ହୋଇ ପାରିବେ ନାହିଁ । ଶଙ୍କରାଚାର୍ଯ୍ୟ ଏହିପରି ଗୁରୁ ଥିଲେ । ଈଶ୍ୱର ହିଁ ପ୍ରକୃତ କର୍ତ୍ତା, ଗୁରୁ, ବାବା । ଅନ୍ୟ ସାଧାରଣ ଲୋକ ଅନ୍ଧ ଅନ୍ଧକୁ ବାଟ ଦେଖାଇବା ପରି କ'ଣ କରି ପାରିବ ? କେବଳ ଯାହାର ଈଶ୍ୱରଲାଭ ହୋଇଛି, ତାଙ୍କରି ଆଦେଶରେ ହିଁ ସେ ଲୋକଶିକ୍ଷା ପାଇଁ ଗୁରୁ ହୋଇ ପାରେ । ଈଶ୍ୱରଙ୍କ ଆଦେଶ ମିଳିଲେ ଈଶ୍ୱରଙ୍କଠାରୁ ଶକ୍ତି ମଧ୍ୟ ମିଳେ ।

ସଦ୍‌ଗୁରୁ ଓ ଭଣ୍ଡ ଗୁରୁ ଦୁଇ ଶ୍ରେଣୀର ଅଛନ୍ତି । ସଦ୍‌ଗୁରୁଙ୍କ ସ୍ୱଭାବ କୁଲାପରି ଓ ଭଣ୍ଡ ଗୁରୁଙ୍କ ସ୍ୱଭାବ ଚାଲୁଣି ପରି । କୁଲା ଯେପରି ଗୋଡ଼ି, ଚୋପା ଆଦି ଅସାର ବସ୍ତୁକୁ ତ୍ୟାଗ କରି ସାର ବସ୍ତୁକୁ ଧରି ରଖେ, ସେହିପରି ସଦ୍‌ଗୁରୁ କାମିନୀ କାଞ୍ଚନ ତ୍ୟାଗ କରି ଭଗବାନଙ୍କୁ ଗ୍ରହଣ କରନ୍ତି । ମାତ୍ର ଦ୍ୱିତୀୟ ଶ୍ରେଣୀର ଗୁରୁ ଚାଲୁଣି ପରି ସାର ବସ୍ତୁକୁ ତ୍ୟାଗ କରି ଅସାର ବସ୍ତୁକୁ ଧରି ରଖନ୍ତି । ସାର ବସ୍ତୁ ଈଶ୍ୱରଙ୍କୁ ତ୍ୟାଗ କରି ଅସାର ବସ୍ତୁ କାମିନୀ କାଞ୍ଚନାଦି ଗ୍ରହଣ କରନ୍ତି ।