ପୃଷ୍ଠା:Malunira Fula O Anyanya Galpa.pdf/୭୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କରି ଏତେଦିନ ଧରି ତୋର ପୂଜା କରୁଥିଲା, କଠୋର ସାଧନା କରୁଥିଲା, ତା'ପ୍ରତି ତୋର ଦୟା ହେଲା ନାହିଁ, ତାକୁ ବାଘ ନେଇଗଲା । ଆଉ ମୁଁ ଧ୍ୟାନ, ଭଜନ, ଜପ, ସାଧନା, ଜ୍ଞାନ, ଭକ୍ତି କିଛି ଜାଣି ନାହିଁ । ଏପରି ଜଣେ ଅଧମ ପ୍ରତି ତୋର ଏତେ ଦୟା !"

ଭଗବତୀ ହସି ହସି ଉତ୍ତର ଦେଲେ, "ବାପ, ତୋର ଜନ୍ମ ଜନ୍ମାନ୍ତରର କଥା ସ୍ମରଣ ନାହିଁ । ତୁ ଜନ୍ମ ଜନ୍ମ ଧରି ମୋତେ ପାଇବାପାଇଁ ତପସ୍ୟା କରୁଥିଲୁ । ସେହି ପୁଣ୍ୟ ବଳରେ ଆଜି ଏପରି ଯୋଗାଯୋଗ ସମ୍ଭବ ହେଲା । ମୋର ଦର୍ଶନ ପାଇଲୁ । ଏବେ କ'ଣ ମାଗୁଛୁ ମାଗ ।"

ଲୋକଟି କହିଲା, "ମା, ତୋର ଦର୍ଶନ ହେଲାପରେ ଆଉ କିଛି ମୋର ମାଗିବାର ଇଚ୍ଛା ନାହିଁ ।"

ସେ ତ ମିଳିବା କଷ୍ଟ, ରଖିପାରିଲେ ହେଲା


ରଣଜିତ୍ ରାୟ ନାମକ ଜଣେ ଧନୀ ଜମିଦାର ଥିଲେ । ତାଙ୍କର କୌଣସି ସନ୍ତାନ ହେଉ ନ ଥିଲା । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବହୁତ ଉପବାସ, ପୂଜା ପ୍ରାର୍ଥନା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବତୀ ତାଙ୍କର କନ୍ୟାରୂପେ ଜନ୍ମ ହେଲେ ।

କନ୍ୟାଟିକୁ ବାପ'ମା ବହୁତ ସ୍ନେହ କରନ୍ତି । ଅଲିଅଳ କନ୍ୟାଟି ବାପକୁ ଛାଡ଼ି କୁଆଡେ଼ ଯାଏ ନାହିଁ । ବାପ ମଧ୍ୟ ଝିଅକୁ ସବୁବେଳେ ପାଖରେ ଦେଖିବାକୁ ଭଲ ପାଆନ୍ତି ।

ଦିନେ ରଣଜିତ୍ ରାୟ ତାଙ୍କର ସିରସ୍ତାରେ ଜମିଦାରୀ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଝିଅଟିର ପିଲାଳିଆ ସ୍ୱଭାବ । ସେ କାଗଜ ଉଠାଇ କଲମ ଉଠାଇ ଖେଳିବାରେ ବ୍ୟସ୍ତ । "ବାବା ଏଇଟା କଣ, ସେଇଟା କଣ" ଏହା କହି ବାପକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ବାପ ବହୁତ ବୁଝାଇ ସୁଝାଇ ମିଠା ସ୍ୱରରେ କହିଲେ, "ମା, ମା' ପାଖକୁ ଯା । ଟିକିଏ ଖେଳି ବୁଲି ଆସିବୁ । ବର୍ତ୍ତମାନ ମୁଁ କାମରେ ବହୁତ ବ୍ୟସ୍ତ ଅଛି ।"

ଝିଅ ଶୁଣିବାକୁ ନାରାଜ । ସେ ଆଦୌ ଯିବାକୁ ରାଜି ନୁହେଁ । ବାପ ଟିକିଏ କାମରେ ଲାଗିଗଲେ ନଟ ଖଟ କରି ପଚାରେ, "ଏଇଟା କଣ, ସେଇଟା କଣ ?" ଶେଷରେ ବାପ ରାଗିଯାଇ ଅନ୍ୟମନସ୍କ ଭାବରେ କହି ପକାଇଲେ, "ଯା, ଦୂର ହ, ଏ ଘରକୁ ଆଉ ଆସିବୁ ନାହିଁ ।"

ସଙ୍ଗେ ସଙ୍ଗେ ଝିଅଟି ଘର ଛାଡ଼ି ପଳାଇଲା । ଗୋଟାଏ ଶଙ୍ଖାରି ରାସ୍ତାରେ ଯାଉଥିଲା । ତାକୁ ଡାକି ହାତରେ ଶଙ୍ଖା ପିନ୍ଧି କହିଲା, "ଯା ଜମିଦାରଙ୍କ ପାଖରୁ ଟଙ୍କା ନେଇଯିବୁ ।"

ତା'ପରେ ସେ ସେଠାରୁ କୁଆଡେ଼ ଚାଲିଗଲା, ଆଉ ଦେଖାଗଲା ନାହିଁ । ଏଣେ ଶଙ୍ଖାରି ଜମିଦାରଙ୍କ ପାଖକୁ ଯାଇ କହିଲା, "ଗୋଟିଏ ଛୋଟ ଝିଅ ମୋତେ ଶଙ୍ଖା ମାଗିଲା । ଶଙ୍ଖା ପିନ୍ଧିସାରି କହିଲା, ଜମିଦାରଙ୍କଠାରୁ ଟଙ୍କା ନେଇଯିବୁ ।" ସେତେବେଳେ ଜମିଦାରଙ୍କର ହୋସ ଆସିଲା ଯେ ଝିଅ ପାଖରେ ନାହିଁ ।

}}