ପୃଷ୍ଠା:Malunira Fula O Anyanya Galpa.pdf/୮୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କୌପୀନ କା ବାସ୍ତେ


ଏକଦା ଜଣେ ସାଧୁ ତାଙ୍କର ଗୁରୁଙ୍କର ଉପଦେଶ ଅନୁସାରେ ଲୋକ ଗହଳିଠାରୁ ଖଣ୍ଡେ ଦୂରରେ ଗୋଟିଏ କୁଡ଼ିଆ ତିଆରି କଲେ । ଏହି କୁଡ଼ିଆରେ ସେ ତାଙ୍କର ଯୋଗ ସାଧନ ଆରମ୍ଭ କଲେ ।

ପ୍ରତିଦିନ ସ୍ନାନ ପରେ ସେ ନିଜର ଓଦା କୌପୀନ ଓ ଲୁଗାକୁ ପାଖରେ ଥିବା ଗୋଟିଏ ଗଛରେ ଶୁଖାଇ ଦିଅନ୍ତି । ଥରେ ନିକଟସ୍ଥ ଗ୍ରାମରୁ ଭିକ୍ଷା କରି ଆସି ସେ ଦେଖିଲେ, ଗଛରେ ଶୁଖାଇଥିବା କୌପୀନକୁ ମୂଷା କାଟି ଦେଇଛି । ତେଣୁ ପରଦିନ ଆଉ ଖଣ୍ଡେ ନୂଆ କୌପୀନ ଆଣିବା ପାଇଁ ସେ ଗାଁକୁ ଯିବାକୁ ବାଧ୍ୟ ହେଲେ । କିଛିଦିନପରେ ଥରେ ସାଧୁ କୌପୀନକୁ କୁଡ଼ିଆର ଚାଳରେ ଶୁଖାଇ ସବୁ ଦିନ ଭଳି ଭିକ୍ଷା କରିବାକୁ ଗଲେ । ଫେରି ଦେଖିଲେ, ମୂଷାମାନେ ତାହାକୁ କାଟି ଟିକିଟିକି କରିଦେଇଛନ୍ତି । ସେ ଖୁବ୍ ବିରକ୍ତ ହେଲେ ଓ ଭାବିଲେ, "ପୁଣି କେଉଁଠିକି ଯାଇ ମାଗିବି ? କାହାକୁ ମାଗିବି ? ଯାହା ହେଉ, ପରଦିନ ସେ ଗ୍ରାମବାସୀଙ୍କୁ ଭେଟିଲେ ଓ ମୂଷାମାନଙ୍କର ଏ ଉପଦ୍ରବ କଥା କହିଲେ । ତାଙ୍କଠାରୁ ସବୁକଥା ଶୁଣିସାରି ଗାଁର ଲୋକେ କହିଲେ, ତୁମକୁ ସବୁଦିନେ କିଏ ଲୁଗା କୌପୀନ ଯୋଗାଇବ ? ଗୋଟାଏ କଥା କର, ବିରାଡ଼ିଟିଏ ପୋଷ । ବିରାଡ଼ି ମୂଷାମାନଙ୍କୁ ଘଉଡ଼ାଇ ଦେବ ।"

ତା'ପରେ ସାଧୁ ଗାଁକୁ ଯାଇ ଗୋଟିଏ ବିରାଡ଼ି ଛୁଆ ଆଣିଲେ । ସେହିଦିନଠାରୁ ମୂଷାମାନେ ତାଙ୍କୁ ଆଉ ଅସୁବିଧାରେ ପକାଇ ପାରିଲେ ନାହିଁ । ସାଧୁଙ୍କର ଆନନ୍ଦ କହିଲେ ନ ସରେ ।

ବର୍ତ୍ତମାନ ସାଧୁ ଏହି ଦରକାରୀ ଛୋଟ ଜୀବଟିକୁ ଖୁବ ଯତ୍ନରେ ପାଳିବାକୁ ଲାଗିଲେ । ଗାଁରୁ ମାଗି ଆଣିଥିବା ଖିର ତାକୁ ପିଇବାକୁ ଦେଲେ । କିଛିଦିନ ପରେ ଜଣେ ଗ୍ରାମବାସୀ ତାଙ୍କୁ କହିଲା, "ସାଧୁ ମହାଶୟ, ତୁମର ସବୁଦିନେ ଖିର ଦରକାର । ଭିକ୍ଷା କରି କିଛିଦିନ ପାଇଁ ତୁମେ ଗୁଜୁରାଣ ମେଣ୍ଟାଇ ପାରିବ, ହେଲେ ବର୍ଷସାରା ତୁମକୁ କିଏ ଖିର ଯୋଗାଇବ ? ତେଣୁ ଗୋଟିଏ କଥା କର । ଗୋଟିଏ ଗାଈ ରଖ । ତୁମେ ନିଜେ ଖିର ଖାଇ ପାରିବ ଏବଂ ବିରାଡ଼ିକୁ ମଧ୍ୟ କିଛି ଦେଇପାରିବ ।"

କିଛି ଦିନ ପରେ ସାଧୁ ଗୋଟିଏ ଦୁଧିଆଳୀ ଗାଈ ଆଣିଲେ । ତାଙ୍କୁ ଆଉ ଖିର ମାଗିବାପାଇଁ ପଡ଼ିଲା ନାହିଁ । କିନ୍ତୁ ସମୟ କ୍ରମେ ଗାଈର ଖାଇବାପାଇଁ ସାଧୁଙ୍କୁ ନଡ଼ା ମାଗିବା ଦରକାର ହେଲା । ଏଥିପାଇଁ ତାଙ୍କୁ ନିକଟରେ ଥିବା ଗାଁକୁ ଯିବାକୁ ପଡ଼ିଲା । କିନ୍ତୁ ଗ୍ରାମବାସୀମାନେ କହିଲେ, "ତୁମର କୁଡ଼ିଆ ପାଖରେ ବହୁତ ପଡ଼ିଆ ଜମି ରହିଛି । ତୁମେ କିଛି ଜମିରେ ଚାଷକର, ତୁମକୁ ଆଉ ନଡ଼ା ମାଗିବାକୁ ପଡ଼ିବ ନାହିଁ ।"

ସେମାନଙ୍କର କଥା ମାନି ସାଧୁ ଜମି ଚାଷ କରିବା ଆରମ୍ଭ କଲେ । କ୍ରମଶଃ ଜମିରେ ମୂଲିଆ ଲଗାଇବାକୁ ପଡ଼ିଲା ଏବଂ ଫସଲ ଅମଳ କରିବାପାଇଁ ଗୋଟିଏ ଖଳା ତିଆରି କରିବା ଦରକାର ହେଲା । ଏହିପରି କାଳକ୍ରମେ ସେ ଏକପ୍ରକାର ଜମିମାଲିକ ହୋଇଗଲେ ଏବଂ ପରିଶେଷରେ ବିଷୟବାଡ଼ି ଦେଖାଶୁଣା କରିବାପାଇଁ ତାଙ୍କୁ ଗୋଟିଏ ସ୍ତ୍ରୀ ଆଣିବାକୁ ହେଲା । ବର୍ତ୍ତମାନ ସେ ଜଣେ ଅବସରବିହୀନ ଗୃହସ୍ଥ ଭାବରେ ଜୀବନଯାପନ କଲେ ।