Jump to content

ପୃଷ୍ଠା:Nala Damayanti Banabasa.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪ )

ଯ‌ହୁ ହୋଇଲା ରଜନୀ
ଶୋଇଲେ ଗାଢ଼ ନିଦ୍ରାରେ ଦମୟନ୍ତୀ ରାଣୀ ।।

ସୁଯୋଗ ଦେଖିଣ କଳି ଖଡ୍‌ଗ ରୂପ ହେଲା
କିଛି ଦୂରେ ପଡ଼ି ନଳ ନୟନେ ଦିଶିଲା
ତ‌ହୁଁ ଯାଇ ନରପତି,
ସେ ଖଡ଼୍‌ଗ ଗୋଟି ସାଉଁଟି ଆଣିଲେ ଝଟତି ।।

ପିନ୍ଧିଥିବା ବସନ‌କୁ ତ‌ହିଁରେ ଛେଦିଲେ
ଅର୍ଦ୍ଧବାସ ପିନ୍ଧି ଲୁଚି ତ‌ହୁଁ ପଳାଇଲେ
ନିଦ୍ରା ହୁଅନ୍ତେ ଅତୀତ,
ଉଠି ଦମୟନ୍ତୀ ହେଲେ ଅତ୍ୟନ୍ତ ଆରତ ।।

ଏଣେ ତେଣେ ଚାହିଁ ତ‌ହିଁ ସ୍ୱାମୀ ନ ଦେଖିଲେ
ଆକୁଳ ହୋଇ ନୟନୁ ଅଶ୍ରୁ ବରଷିଲେ
ବୀରକିଶୋର ଭାବିଲା,
ତାଙ୍କ ରୋଦନେ ପଥରମାନ ତରଳିଲା ।।

ଦମୟନ୍ତୀ ଶୋକ
[ଜଗବନ୍ଧୁ ତୁମ୍ଭେ ବଡ଼-ବୃତ୍ତେ]
ଆହେ ପ୍ରାଣନାଥ ମୋର, କରିଗଲ ଅନ୍ତର ହେ ।।ଘୋଷା।।

ଦେଖି କେଉଁ ଦୋଷ   ଦାସୀର ଜୀବେଶ
ବନ ପଥେ କରୁଛ ହରବର ।
ତୁମ୍ଭ ବିଚ୍ଛେଦରେ  ଲୋଡ଼ା ପ୍ରାଣରେ
ମରିବି ନିଶ୍ଚୟ ଖାଇ ଜ‌ହର, ହେ ନରବର
ନ ଦେଖିବି ଆଉ ତୁମ୍ଭ ପୟର ।୧।

ଆଗୋ ବନଲତା  ମୋର ଦୁଃଖ କଥା
କ‌ହିବ କାନ୍ତଙ୍କୁ ନୋହି ନିଷ୍ଠୁର

କେତେ ସ୍ନେହ କରି  ବନେ ପରିହରି
ପଳାଇଲ କିସ ଭାବି ଅନ୍ତର, ହେ ନରଶିଖର
କଲା କିବା କିଏ ଯାଦୁ ମନ୍ତର ।୨।

ମୁଁ ଅତି ଅଭାଗୀ  ଶ୍ରୀଚରଣ ସେବି
କାଟି ନ ପାରିଲି ଦିନ ମୋହର
ସୁଖେ କି ଦୁଃଖରେ  ରହିଲେ ସେ ଦୂରେ
ଭାବି ଭାବି ଚିତ୍ତ ଥରୁଛି ମୋର, ସେ ମନ‌ଚୋର
ତେଜିଗଲେ କେଣେ ଭାଳଇ ବୀର ।୩।

ତୃତୀୟ ଛାନ୍ଦ
[ସୀତାଚୋରୀ - ବୃତ୍ତେ ]
ବ୍ୟାଧ ଏକ ବୁଲୁଥିଲା ଶିକାର ନିମନ୍ତେ
ଅଜଗର ସାପ ଏକ ଦେଖି କରି ପଥେ
ଶର ମାରି ଯେ, ପ୍ରାଣ ନେଲା ତା ବୁକୁ ବିଦାରି ଯେ ।୧।

ଏ କାଳେ କାରୁଣ୍ୟବତୀ ଦମୟନ୍ତୀ ଶୋକ
ଶୁଣି ପ୍ରବେଶ ହୋଇଲା ଆସି ତାଙ୍କ ପାଖ
ବୋଲେ ହସି ଯେ, ମୋ ଭାରିଯା ହୁଅ ଶଶୀହାସୀ ଯେ ।୨।

ଦେଖ ବନ ପରିମଳ କୁସୁମେ ହସଇ
ଅଣ୍ତିର କୋକିଳ ସ୍ୱନେ ପ୍ରାଣ ପୁଲକଇ
ରାମାବର ଗୋ, ଆସ ଏବେ କରିବା ବିହାର ଗୋ ।୩।

ଏହାଶୁଣି କୋପ ନେତ୍ରେ ସତୀ ଦେଉଁ ଚାହିଁ
ତିରଣ ପରି ସେ ବ୍ୟାଧ ଜଳିଗଲା ତ‌ହିଁ
ନାରୀମଣି ଯେ, ଚିନ୍ତାକଲେ ଚିତ୍ତେ ଚକ୍ରପାଣି ଯେ ।୪।

କାନ୍ଦି କାନ୍ଦି ବନପଥେ କରିଣ ଗମନ
କିଛିଦିନେ ମିଳିଲେ ସୁବାହୁ ଦେଶେ ପୁଣ