ଆଶ୍ଚର୍ଯ୍ୟ ହୋଇଲେ ଦେଖିଣ ରାଜା ରଥଚାଳନ ।
ଉତ୍ତରୀ ଖଣ୍ତିକ ଅଙ୍ଗରୁ ଖସିଗଲା ବହନ ।।
ରହ ରହ ବୋଲି କହନ୍ତେ ବିଂଶ ଯୋଜନେ ଯାଇ ।
ରଖାଇଲେ ନଳ ରଥକୁ ଅଶ୍ୱ ବାଗ ଲଗାଇ ।।
ଉତ୍ତରୀ ଆଣିଲେ ଦଣ୍ତକେ ପୁଣି ଫେରାଇ ରଥ ।
କହେ ଋତୁପର୍ଣ୍ଣ ବାହକ ତୁମ୍ଭେ ମହାପଣ୍ତିତ ।।
ଶିଖିଅଛ କାହୁଁ ଏପରି ରଥ ଚାଳିବା ମନ୍ତ୍ର ।
ଶିଖାଅ ତାହାକୁ ମୋତେ ହେ ପୁରୁ ମୋ ମନୋରଥ ।।
ସର୍ବସଂଖ୍ୟା ବିଦ୍ୟା ସଙ୍ଗରେ ପଶାଖେଳ ବିଦ୍ୟାକୁ ।
ବିନମୟେ ମୁହିଁ ଶିଖାଇ ନିଶ୍ଚେ ଦେବି ତୁମ୍ଭଙ୍କୁ ।।
ବଦଳ କରିବା ତୁମ୍ଭର ମୋର ଏ ବିଦ୍ୟା ବେନି ।
ହୋଇଲେ ସମ୍ମତ ସେ ନଳ ନୃପ ଏକଥା ଶୁଣି ।।
ବେନି ବିଦ୍ୟା କରି ବଦଳ ମନ୍ତ୍ର କରୁ ଗ୍ରହଣ ।
ନଳଦେହୁ କଳି ଛାଡ଼ିଲା ଶୋକାକୁଳ ହୋଇଣ ।।
କଳି ଯିବା ଦେଖି ସେ ନଳ ହୋଇ କ୍ରୋଧ ଅନ୍ତର ।
ଧାଇଁଲେ ହାଣିବା ନିମନ୍ତେ ଖଡ଼୍ଗ ଘେନି ସତ୍ୱର ।।
ଭୟେ କହେ କଳି ନରେଶ ଦୋଷ କ୍ଷମନ୍ତୁ ମୋର ।
ସତ୍ୟ କହୁଅଛି କରିବି ଉପକାର ତୁମ୍ଭର ।।
ମହତ ଜନେ ତ ଖଣ୍ତନ୍ତି ଅପ୍ରାଧୀର ଅପ୍ରାଧ ।
ଜ୍ଞାନୀଏ ସର୍ବଦା ସଂହରୁଥାନ୍ତି ଆପଣା କ୍ରୋଧ ।।
ଏଣୁ କରୁଅଛି ବିନତୀ କ୍ଷମାକର ମୋ ଦୋଷ ।
ଜଗତମଣ୍ତଳେ ତୁମ୍ଭରି ଖ୍ୟାତ ହୋଇବ ଯଶ ।।
ପ୍ରଭାତେ ଯେ ଜନ ତୁମ୍ଭରି ନାମ ମୂଖେ ଗାଇବ ।
କେବେହେଲେ କଳି ତା ଅଙ୍ଗେ ପଶିଣ ନ ପାରିବ ।।
ଏହା ଶୁଣି ନଳ ରାଜନ ମୁକ୍ତି ଦେଇ କଳିକୁ ।
ବାହିନେଲେ ରଥ ଝଟତି ବିଦର୍ଭ ନଗରକୁ ।।
ଦମୟନ୍ତୀ କୋଠା ଉପରେ ଥାଇ ସବୁ ଦେଖିଲେ ।
ଭୀମ ରାଜା ଆସି ଅଯୋଧ୍ୟା ନୃପେ ପାଛୋଟି ନେଲେ ।।
ଦିବ୍ୟ ବାସ ଦେଲେ ରହିବା ପାଇଁ ଅତି ଆଦରେ ।
ବୀରଭାବେ ତାଙ୍କ ଚରଚାମାନ କଲେ ବିଧିରେ ।।
ଷଷ୍ଠ ଛାନ୍ଦ
[କହେ ରାଧା ବିମ୍ବାଧରୀ-ବୃତ୍ତେ]
କରି ବହୁ ସମାଦର, ଅଯୋଧ୍ୟା ନୃପଙ୍କୁ ସେ ନରବର ଯେ,
ହନ୍ତି ଧୀରେ ଉତ୍ତର, ନୃପତି ହେ।।
ପୂର୍ବ ତପସ୍ୟା ଫଳରେ, ଚରଣ ରେଣୁ ଦେଇଛ ମୋ ପୁରେ ହେ ।
କହ ଆସିଲ କେତେ କାର୍ଯ୍ୟରେ ନୃପତି ହେ ।
ଶୁଣି ରାଜା ଋତୁପୂର୍ଣ୍ଣ ନ ଦେଖି ସ୍ୱୟଂମ୍ବର ବର୍ଣ୍ଣଚିହ୍ନ ହେ
ଧୀରେ କହନ୍ତି ବଚନ, ମଣିମା ହେ ।।
ଛାମୁଙ୍କ ଦର୍ଶନ ପାଇଁ, ଶ୍ରଦ୍ଧା ଯେଣୁ ମୋର ହେଲା ଗୋସାଇଁ ହେ
ତେଣୁ ଆସିଲି ଉଦ୍ବେଗେ ଧାଇଁ, ମଣିମା ହେ ।।
ଏଣେ ସତୀ ଦମୟନ୍ତୀ, କେଶିନୀକୁ ପଠାଇଲେ ଝଟତି ଯେ
ବୁଝିବାକୁ ନଳରାଜା ରୀତି, ସୁଜନେ ହେ ।।
ବାହୁକ ପାଶେ କେଶିନୀ, ପ୍ରବେଶି ବୋଲଇ କୋମଳ ବାଣି ଯେ
ବାଇ ବନିତା ହରାଇ ପୁଣି, ସାରଥି ହେ ।।
ରଥରେ ବସି ଶୁଭରେ, ଆସିଲ କି ନାହିଁ ବସି ପଥରେ ହେ
ପୁଚ୍ଛନ୍ତି ବୟସୀ ଥରେ, ସାରଥି ହେ ।।
ପୃଷ୍ଠା:Nala Damayanti Banabasa.pdf/୮
Jump to navigation
Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
