ପୃଷ୍ଠା:Netrutya O Netrutwa.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୦

ନେତୃତ୍ୱ ଓ ନେତୃତ୍ୱ

ଆଦର୍ଶବାଦୀ ହିଁ ପୃଥିବୀରେ ଯେଉଁ ଭୀଷଣ ପୈଶାଚିକ ଘଟଣା ରାଶିର କାରଣ ହୋଇ ଅଛନ୍ତି, ଗୋଟି ଗୋଟି କରି ତାହାକୁ ବାଢ଼ି ବସିଲେ ଯେ କେହି ଶୁଣି ତାଜିବ ହେବ । ଯେତେ ବିକଳ ବୀଭତ୍ସ ନିର୍ମମ ଓ ନିରାଟ ହେଲେ ମଧ୍ୟ ସତଟାକୁ ସ‌ଯତ୍ନରେ ଘୋଡାଇ ରଖିବା ପାଇଁ ଆଦର୍ଶବାଦର ସୁନ୍ଦର ସୁକୁମାର ଓ ଚିତ୍ତାକର୍ଷକ ଘୋଡ଼ଣିଟିଏ ବୋଧହୁଏ ଆଉ ଦ୍ୱିତୀୟ ନାହିଁ । ଗଲା ମହାଯୁଦ୍ଧଟାକୁ ସବୁ ଦେଶର ସବୁ ଶ୍ରେଣୀ ଲୋକ ନିନ୍ଦା କରିଚନ୍ତି । ଲେଖକ ଓ ସମ୍ପାଦକମାନେ ଏହି ବର୍ବରତାକୁ ସଭ୍ୟ ମନୁଷ୍ୟ ପରିତ୍ୟାଗ କରିବା ପାଇଁ ଶହେ ମୁହଁରେ ଘୋଷିଚନ୍ତି । ସବୁ ଦେଶର ବକ୍ତା ଓ ରାଜନୀତିଜ୍ଞମାନେ ଭବିଷ୍ୟତ ଯୁଦ୍ଧକୁ ଏଡ଼ିବା ପାଇଁ ପ୍ରରୋଚନା ଦେଇଚନ୍ତି । ନିରସ୍ତ୍ରୀକରଣର ସଭା ବସି କେତେ ଆଲୋଚନା ହୋଇ ଯାଇଚି । ତ‌ଥାପି ୧୯୧୮ ମସିହା ନଭେମ୍ବର ମାସଠାରୁ ୨୦ ବର୍ଷ ହେଲା ପ୍ରତି ଦେଶର ମୃତ ସୈନିକଙ୍କୁ ସମ୍ମାନ ଦେଖାଇବାକୁ ମହା ସମାରୋହରେ ସବୁ ଦେଶରେ ଉତ୍ସବ କରା ଯାଉଅଛି । ଏବଂ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧ ପାଇଁ ସବୁ ଦେଶର ଲୋକଙ୍କୁ ଉତ୍ସାହ ଦେବାରେ ତ୍ରୁଟି ନାହିଁ । ଧର୍ମ ଓ ନୈତିକତାର ଆଦର୍ଶତଳେ ଦୈନିକ ହଜାରଟା ଠକାମୀ ପ୍ରତି ଲୋକଙ୍କୁ ଅଙ୍ଗେ ନିଭାଇବାକୁ ପଡ଼ୁଛି ଏବଂ ତାହାକୁ ପ୍ରାଚୀନ ରୀତି ତଳେ ରଖି ଦେଇ ରକ୍ଷା ପାଇବାକୁ ହୁଏ ତ ଗୋଟାଏ ବାଟ ଅଛି। କିନ୍ତୁ ଏ ରୂପ ଉତ୍ସବ ଯେ ପୃଥିବୀ ଉପରେ ସର୍ବଶ୍ରେଷ୍ଠ ସୁସଭ୍ୟ, ସୁଶିକ୍ଷିତ, ସୁବିଚାରକ ବୋଲାଉଥିବା ଜାତିମାନଙ୍କର ସୁଚିନ୍ତିତ କାମ, ପୁଣି ସରକାରୀ ଢ଼ାକ ଢ଼ୋଲ ପିଟି ସବୁ ଦେଶରେ ପାଳିତ ହେଉଅଛି, ଏ କାମ ପାଇଁ କ୍ଷମା ଖୋଜିବାକୁ ଗଲେ ବିଶ୍ୱବ୍ରହ୍ମାଣ୍ତର କେଉଁ କୋଣରେ ତାହା ମିଳିବ ?