ପୃଷ୍ଠା:Netrutya O Netrutwa.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୫

କ‌ହି ପୁଛି ଜାଣେ ଯେ

ଭାରତର ସବୁ କିସମର ଦେବତା-ଗୋଠରେ ବିଦ୍ୟାର ଦେବତାଙ୍କୁ ଯେମିତି କଳ୍ପନା କରାଯାଇଚି, ସେହି ଆଦର୍ଶ ଓ ଆଭିଜାତ୍ୟକୁ ଏ ଦେଶବାସୀ ଧର୍ମତଃ ମାନି ଚଳି ଆସିଚି । ତେଣୁ ହୁଏ ତ ସେ କିମାକାର ଗଜାନନ ଅବା ଲମ୍ବୋଦର ସାଜି ମୂଷିକ ବାହ‌ନ ଉପରେ ତିନି ବ୍ରହ୍ମାଣ୍ତ ବୁଲୁଥିବାର କଳ୍ପନା କରୁଚି, ନଇଲେ ବୀଣାବାଦିନୀ ବାଣୀଙ୍କର ନାରୀତ୍ୱ ପାଖେ ମୁଣ୍ତ ନୁଆଁଇ ରହୁଚି । ଯେତେ ବିଦ୍ୟା-ବାଗୀଶ ହେଲେହେଁ ତାହାର ଆଦର୍ଶ ଏହିପରି ସ୍ଥାଣୁ ବା ଅଚଳ କିମ୍ବା ଏ ଦେଶର ନାରୀ ପରି ତାହାର ଲକ୍ଷ୍ୟ ଜଣେ ସଚଳ ସବଳ ଆଶ୍ରୟଦାତା ସ୍ୱାମୀ । ବିଦ୍ୟା ଚର୍ଚ୍ଚା ଅବସ୍ଥାରେ ରହି ତାହାକୁ ଏହି ରୂପ ଆଦର୍ଶ ଓ ଲକ୍ଷ୍ୟ ଘେନି ଗତି କରିବାକୁ ହେଉଅଛି । କାରଣ ତୁଚ୍ଛା ବିଦ୍ୟାଚର୍ଚ୍ଚାର ଫଳ ସାଧାରଣତଃ ଏହା ହିଁ ହୋଇଥିବାର ଦେଖାଯାଏ । ଏହି ଗୋଟିଏ ଦିଗରୁ ବିଚାର କଲେ ଭାରତବର୍ଷ ପୃଥିବୀର ଆଉ ସବୁ ଦେଶ ତୁଳନାରେ ନିହାତି ପଛରେ ନୁହେ । ମେଧାବୀ ହିସାବରେ ଏ ଦେଶର ଛାତ୍ର ଅନ୍ୟ କୌଣସି ଦେଶ ଛାତ୍ରଠାରୁ ଅଳ୍ପ ପାଠ ମନେ ରଖିପାରେ ନାହିଁ, ଆପଣା ଦେଶର ମହତ୍ୱ ଓ ମର୍ଯ୍ୟାଦା ଅଳ୍ପ ବୁଝେ ନାହିଁ, ମୂର୍ଖାମୀ ହିସାବରେ ମଧ୍ୟ ଏ ଦେଶର ସରକାରୀ ବା ବେ-ସରକାରୀ ଚାକିରିଆ ଅନ୍ୟ କୌଣସି ଦେଶର ଚାକିରିଆଠାରୁ କମ୍ ପାଠ ପାସୋରି ପାରେ ନାହିଁ ; ବେହିୟା ବେଇଜ୍ଜତ୍ ହେବା ପାଇଁ ବି କାହାରିଠାରୁ ସେ କମ୍ ପ୍ରସ୍ତୁତ ନୁହେ; ଚାଲାଖ ହିସାବରେ ଏ ଦେଶର ଓକିଲ, ଡ଼ାକ୍ତର, ବ୍ୟବସ୍ଥା ସଭାର ସଭ୍ୟ ବା ଚୋର ଡକାଏତ ଯେମିତି, ବୋକାମୀରେ ମଧ୍ୟ କୌଣସି ଦେଶର ପଣ୍ତିତ ବା ଧନିକଠାରୁ ଏ ଦେଶର ଧନିକ ବା ପଣ୍ତିତର ଦକ୍ଷତା ଊଣା ନୁହେ ।