ପୃଷ୍ଠା:Netrutya O Netrutwa.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୬

ନେତୃତ୍ୱ ଓ ନେତୃତ୍ୱ

ତ‌ଥାପି ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଏ ଦେଶ ଯେ ସମାନ କଛ ପକାଇ ପାରୁ ନାହିଁ, ତାହାର କାରଣ ଅନ୍ୟ ବାଟ ନ ଥିବାରୁ ଏଠା 'ମୁଖିଆ' ଲୋକଙ୍କର ମୁଖର ଅଭାବ ବୁଝିବାକୁ ହେବ । କବି, ପଣ୍ତିତ, ବୈଜ୍ଞାନିକ, ଦାର୍ଶନିକ, ଶିକ୍ଷକ, କଳ କାରଖାନା ବା ଜାହାଜ ଏରୋପ୍ଳେନର ଚାଳକ ଏ ଦେଶରେ ଅଭାବ ହେବେ ନାହିଁ । ଏ ଦେଶ ଲୋକେ ପୃଥିବୀର ଆଉ କେଉଁ ଦେଶଠାରୁ ଶିଳ୍ପ ବାଣିଜ୍ୟ ଉଦ୍ଭାବନ ଆବିଷ୍କାର ଦିଗରେ ନିହାତି ପଛରେ ପଡ଼ିବେ ନାହିଁ । ଯେଉଁ ଦିଗରେ ଯାହା ଅଭାବ ଥିବ, ତାହାକୁ ପୁରଣ କରିବାକୁ ମଧ୍ୟ ତାଙ୍କୁ ବେଶି ସମୟ ଲାଗିବ ନାହିଁ । ସେ ସବୁ ବିଭାଗରେ ଲୋକଙ୍କୁ ଶିକ୍ଷା ଦେବା କଠିନ ନୁହେ, କିମ୍ବା ବାହାରରୁ ଭଡ଼ାଟିଆ ଲୋକ ଆଣି କାମ ଚଳାଇବାକୁ ମଧ୍ୟ ଅସୁବିଧା ନାହିଁ । କିନ୍ତୁ ଏ ଦେଶପାଇଁ ମୁହଁ ଫିଟାଇ କହି ପୁଚ୍ଛି ଜାଣିବାକୁ, ଗାଲୁଆ, ବେହିଆ, ମୂର୍ଖ ବା ମିଛୁଆ ହେବାକୁ ବିଦେଶୀ ଲୋକ ମିଳିବେ ନାହିଁ । ତାହା ଏହି ଦେଶର ଲୋକଙ୍କୁ ହିଁ ଅଭ୍ୟାସ କରିବାକୁ ପଡ଼ିବ ।

ଏ କଥାଟା ଜାତି ବିଷୟରେ ଯେମିତି, ବ୍ୟକ୍ତି ସମ୍ବନ୍ଧେ ମଧ୍ୟ ସେୟା । ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଭାରତବର୍ଷର ତୁଳନା କଲେ ଯାହା ଦେଖୁଁ, ଭାରତର ଆଉ ସବୁ ପ୍ରଦେଶ ସଙ୍ଗେ ଓଡ଼ିଶାର ତୁଳନା କଲେ ମଧ୍ୟ ସେଇତା । ଓଡ଼ିଆର ଅନ୍ୟ ଅଭାବ ଯାକ ବୋଧହୁଏ ଗୌଣ ହୋଇ ପଡ଼ନ୍ତା; ସେ ଯେବେ ମାନ୍ଦ୍ରାଜ, ବଙ୍ଗ, ବିହାର ପ୍ରଭୃତି ପ୍ରଦେଶମାନଙ୍କ ସଙ୍ଗେ ଖାଲି ଟିକିଏ ଚତୁରତାର ସହିତ କହି ପୁଛି ଜାଣନ୍ତା ।