୧୨୦
ନେତୃତ୍ୱ ଓ ନେତୃତ୍ୱ
ହେଲେ ସାମ୍ୟବାଦର ନୀତି ନିୟମ ଅନୁସାରେ ଖାଲି ଗୋଟିଏ ମାତ୍ର ଦେଶରେ ପ୍ରତିଷ୍ଠିତ ହୋଇ ତାହା ସବୁଯାକ ସର୍ତ୍ତ ରକ୍ଷା କରି ନ ପାରେ । ଖାଲି ଗୋଟିଏ ଦେଶରେ ଆବଦ୍ଧ ରହିଲେ ତାକୁ ଫ୍ୟାସିଜିମ୍ ଆଡ଼କୁ ଓହ୍ଲାଇବାକୁ ପଡ଼ିବ କିମ୍ବା ସାମ୍ରାଜ୍ୟ-ବାଦର ଆଶ୍ରୟ ନେବାକୁ ହେବ । କାରଣ ଦେଶ ଭିତରର ରାଷ୍ଟ୍ର ନୀତିକୁ ସାମ୍ୟବାଦ ନୀତି ସଙ୍ଗେ ଅନେକ ପରିମାଣରେ ଯୋଗ ରଖିଲେ ହେଁ ଦେଶର ବାହାରେ ଏକାବେଳେ ଓଲଟା ନୀତି ନ ଧରି ତାହାର ଉପାୟ ନାହିଁ । ଉଦାହରଣ ରୂପେ ପୁଣି ଯଦି ଗୋଟାଏ ୟୂରୋପୀୟ ମହାଯୁଦ୍ଧ ହୁଏ, ସାମ୍ୟବାଦୀ ରୁଷିଆକୁ ଆତ୍ମରକ୍ଷା କରିବା ପାଇଁ ବ୍ରିଟେନ ବା ଆମେରିକା ପରି ସାମ୍ରାଜ୍ୟବାଦୀ ବା ଫ୍ୟାସିଷ୍ଟ ଶକ୍ତି ସଙ୍ଗେ ସହଯୋଗ କରିବାକୁ ହିଁ ପଡ଼ିବ, ଅଥଚ ଏହା ସାମ୍ୟବାଦର ସମ୍ପୃର୍ଣ୍ଣ ନୀତିବିରୁଦ୍ଧ । ଶାନ୍ତି ସମୟରେ ମଧ୍ୟ ପୃଥିବୀର ପଞ୍ଚାୟତରେ ବସି ଧନିକ ଓ ବ୍ୟବସାୟୀଙ୍କର ସ୍ୱାର୍ଥରକ୍ଷୀ ସରକାରମାନଙ୍କ ସଙ୍ଗେ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ନୀତିରେ ସହଯୋଗ କରିବାକୁ ହେବ, ବର୍ତ୍ତମାନ ମଧ୍ୟ ହେଉଛି; ଏବଂ ଏହି ବୈଦେଶିକ ନୀତିର ପ୍ରଭାବରୁ ଘରୋଇ ନୀତି ସମ୍ପୂର୍ଣ୍ଣ ମୁକ୍ତ ହୋଇ ରହି ନ ପାରେ ।
ସାମ୍ୟବାଦର ତ୍ରୁଟି -
ତେଣୁ ବିଂଶ ଶତାବ୍ଦୀର ରୁଷ ବିପ୍ଳବ ପୃଥିବୀ ଇତିହାସରେ ଆକାର ପ୍ରକାର ଓ ବିଚାର ବିଜ୍ଞାନରେ ଫରାସୀ ବିପ୍ଳବଠାରୁ ବହୁ ଗୁଣରେ ଅଦ୍ଭୁତ ଓ ଅଲୌକିକ ହେଲେ ମଧ୍ୟ ଏବଂ ମାନବିକଚିନ୍ତାର ଚୂଡ଼ାନ୍ତ ଯୁକ୍ତି ଓ ବିବେକକୁ ରୂପ ଦାନ କରି କାର୍ଯ୍ୟକ୍ଷେତ୍ରରେ ପରୀକ୍ଷା କଲେ ମଧ୍ୟ ସଂଖ୍ୟାଗରିଷ୍ଠ ଶାସନନୀତିକୁ