୧୫୩
ଇତିହାସ ତିଆରି
ଅନାହାରୀ, ଅପାଠୁଆ ରହୁ ! ତେଣୁ ଏ ଦେଶର ବ୍ୟବସ୍ଥା ସଭାରେ ମଖମଲୀ ରାଜନୀତି ଖୋଜିଲେ ତୁମକୁ ହତାଶ ହେବାକୁ ପଡ଼ିବ । ଶାସ୍ତ୍ରୀ ସାପ୍ରୁଙ୍କର ସାପ-ନ-ମରା--ବାଡ଼ି-ନ-ଭଙ୍ଗା ବିଶୁଦ୍ଧ ବକୃତା ଶୁଣିବାକୁ ଇଚ୍ଛା କଲେ କିମ୍ବା ବ୍ରିଟିଶ ପାର୍ଲିମେଣ୍ଟର ଆଦବ କାଇଦାର ବିଚକ୍ଷଣତା ଉପଭୋଗ କରିବାକୁ ଲୋଡ଼ିଲେ, ଏଠାରେ ତାହା ମିଳିବ ନାହିଁ । ଗୋଟେ ଗୋଟେ ଚମତ୍କାର ବକୃତାରେ ଚମକାଇ ଦେବାକୁ ବା ଗୋଟେ ଗୋଟେ କୌତୁକପୂର୍ଣ୍ଣ ପ୍ରଶ୍ନ ବା ମନ୍ତବ୍ୟରେ ଏ ଦେଶର ନିରନ୍ଧ୍ର ଅନ୍ଧାରକୁ ଆଲୁଅ ଆସିବ ନାହିଁ; ସେ ବକୃତାରେ ଏହାର ନିରାଟ ନିରକ୍ଷରତା ଘୁଞ୍ଚିବ ନାହିଁ; କଥାର କୌତୁକରେ ଅସଂଖ୍ୟ ଶୂନ୍ୟ ଉଦର ପୂରିବ ନାହିଁ, ପୁଣି ପାଞ୍ଚ ଟଙ୍କା ଥାନରେ ଆଉ ଦି' ଟଙ୍କା ସ୍ୱାସ୍ଥ୍ୟ ଶିଳ୍ପ ବାବଦ ଖର୍ଚ୍ଚ କରିବାକୁ ଅବା ଅକ୍ସଫୋଡ଼ କେମ୍ବ୍ରିଜର ଅବିକଳ ଅନୁକରଣ ଅସମ୍ଭବ ବୋଲି ଏକ ବିକଳ ବିଦ୍ରୁପ ନକଲ କରି ଖଣ୍ଡେ ଖଣ୍ଡିଆ ବିଶ୍ୱବିଦ୍ୟାଳୟ ଗଢ଼ି ତାହା ଭିତରୁ ପାଞ୍ଚ ଜଣ ଧୋବଧାଉଅଳିଙ୍କ ପିଲାଙ୍କୁ ବେଶି ଛାପ ଚିକ୍କଣ କରିବାକୁ ଏ ସଭାରେ କେହି ପଶି ନାହିଁ; କିମ୍ବା ଯେଉଁ ଶାସନ ଯେଉଁ ସଭ୍ୟତା ନିଜ ଅର୍ଜନ ନୁହେଁ, ଏହି ମାଟି ତଳୁ ଯାହା ଜନ୍ମି ନାହିଁ, ତାହାକୁ ହିଁ ଆପଣାର କହି ବିଶ୍ୱ ବିଖ୍ୟାତ ବେହିଆଗିରି କରିବା ପାଇଁ ଏଠାକୁ ଆସିବା ଉଦ୍ଦେଶ୍ୟ ନୁହେଁ ।" 'ଆଉ ତେବେ କଣ କରିବା ପାଇଁ ?'
ଇତିହାସ ! ଇତିହାସ ! ଭାରତ ଇତିହାସରେ ଗୋଟେ ନୂଆ ଅଧ୍ୟାୟ ଲେଖିବାକୁ, ମଣିଷ ଜାତିର ଇତିହାସରେ ଏକ ନୂଆ ଦାଗ ଟାଣିବାକୁ । ବର୍ତ୍ତମାନର ଶିକ୍ଷା, ସଭ୍ୟତା ଓ ଶାସନ କ୍ଷେତ୍ରରେ ଜାତିର ଦୃଷ୍ଟିକୋଣକୁ ଏକାବେଳେ ଓଲଟ ପାଲଟ କରିବାକୁ ଏ ସଭ୍ୟତାର କେନ୍ଦ୍ର ଓ ପରିଧିକୁ ମଧ୍ୟ ବଦଳାଇ ଦେବାପାଇଁ ।