Jump to content

ପୃଷ୍ଠା:Netrutya O Netrutwa.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୪

ନେତୃତ୍ୱ ଓ ନେତୃତ୍ୱ

ପୃଥିବୀ ଉପରେ କୌଣସି ଗୋଟାଏ ଦେଶର ଶିକ୍ଷା ବା ଶାସନ ପଦ୍ଧତି ଅନ୍ୟ ଦେଶ ପଦ୍ଧତି ସଙ୍ଗେ ସମାନ ନୁହେଁ । ପ୍ରତ୍ୟେକ ଦେଶର ପଦ୍ଧତି ତାହାରି ମାଟିରୁ ହିଁ ଜାତ । ଲଣ୍ଡନ ବିଶ୍ୱବିଦ୍ୟାଳୟର ଶିକ୍ଷା ପ୍ରଣାଳୀ ବର୍ଲିନ୍ ବା ପ୍ୟାରିସ୍ ପ୍ରଣାଳୀ ଠାରୁ ଯେତିକି ଫରକ, ସେହିପରି ରାଜତନ୍ତ୍ର, ଗଣତନ୍ତ୍ର, ଫ୍ୟାସିଜିମ୍, ସୋସାଲିଜିମ୍ ବା କମ୍ୟୁନିଜିମ୍ ଆଦି ଏକା ନାମଧେୟ ରାଜନୈତିକ ପଦ୍ଧତି ଦୁଇ ତିନି ଦେଶରେ ଚଳୁଥିଲେ ହେଁ, ଇଂଲଣ୍ଡ ରୀତି ଜାପାନ ବା ସୁଇଡେନଠାରୁ ଅଲଗା, ଇଟାଲି ଫ୍ୟାସିଜିମ୍ ଜର୍ମାନୀଠାରୁ ଫରକ; ଆମେରିକା ଗଣତନ୍ତ୍ର ଇଂଲଣ୍ଡ ସଙ୍ଗେ ଅମେଳ; ରୁଷିଆର କମ୍ୟୁନିଜିମ୍ ଫ୍ରାନ୍‌ସ ଦେଶରେ ନାହିଁ । ଭାରତର ଶିକ୍ଷା ଓ ଶାସନ ପଦ୍ଧତି ସେହିପରି ତାହାର ମାଟିତଳୁ ହିଁ ଜାତ ହେବା ସ୍ୱାଭାବିକ । ବଦହଜ୍‌ମି ବଦ୍‌ଖିଆଲି ମାଗିଆଣିଲା ପୋଷାକୀ ପଦ୍ଧତିରେ କୌଣସି ଦେଶର ମୁକ୍ତି କେବେ ହେଲେ ସମ୍ଭବହୋଇ ନାହିଁ, ଏ ଦେଶରେ ମଧ୍ୟ ନୁହେଁ । ଏହାର ମାଟି ତଳୁ ଯାହା ଜନ୍ମିବ, ତାକୁ ପୁଷ୍ଟ ଓ ପୁର୍ଣ୍ଣ କରିବା ପାଇଁ ଅବା ବାହାରୁ ପାଣି ସାର ଆଣି ଯୋଗାଇବାକୁ ପଡ଼ିବ । କିନ୍ତୁ ଏ ଦେଶର ଫଳ ଲେଙ୍ଗଡା ଆମ୍ବ ର ବିଶେଷତ୍ୱ ଯେମିତି ଏହାର ମାଟି ଭୌଗୋଳିକ ଅବସ୍ଥିତି ଉପରେ ନିର୍ଭର କରେ, ଏ ଦେଶର ଶିକ୍ଷା ଓ ଶାସନ ଓ ସଭ୍ୟତା ମଧ୍ୟ ତାହାର ଇତିହାସ ଉପରେ ପ୍ରତିଷ୍ଠା ଲାଭ କରିବ । ଏହି ଗଢିବା ହିଁ ଏଠାରେ ଆଜି ଲକ୍ଷ ।'


'ମୋହର ମଧ୍ୟ ଏହି ଇତିହାସ ଗଢିବା ଇଚ୍ଛା ଏବଂ ଆଗରୁ ଏ ଦିଗରେ ଦାନ ମୋହର ସାମାନ୍ୟ ନୁହେଁ । କିନ୍ତୁ ଦେଖୁଛି, ଇତିହାସ ଗଢିବା ପାଇଁ ଏକ୍ଷଣି ତୁମର ବ୍ୟବସ୍ଥା ସଭାକୁ ଯିବା ଦରକାର ।