Jump to content

ପୃଷ୍ଠା:Netrutya O Netrutwa.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦
ନେତୃତ୍ୱ ଓ ନେତୃତ୍ୱ

ସେଣ୍ଟ୍‌ମାନେ ଗାଧୋଇବା କିମ୍ବା ଦେହ ହାତ ପରିଷ୍କାର ରଖିବାକୁ ମଧ୍ୟ ଧର୍ମ୍ମ‌ବିରୁଦ୍ଧ ବୋଲି ମନେ କରିଥିଲେ ୮*। ହିନ୍ଦୁର ଦେବଦାସୀ କିମ୍ବା 'ମାତା'ମାନଙ୍କରପରି ଖ୍ରୀଷ୍ଟିୟାନ୍ ମଧ୍ୟ ତାଙ୍କର ନନ୍‌ମାନଙ୍କୁ କେବଳ ଦେବ-ଭୋଗ୍ୟ ପବିତ୍ର ବସ୍ତୁରୁପେ ଜ୍ଞାନ କରିଥିଲେ । ନନ୍‌ମାନଙ୍କର ମଠ ଗୁଡ଼ିକରେ (Nunnery) ଯେଉଁ ସବୁ କଡ଼ା ନିୟମ ଜାରି କରାଯାଇ ଥିଲା, ସେଥିରେ ସେମାନେ ପୁରୁଷର ଛାଇ ମଧ୍ୟ ଦେଖିବାକୁ ପାଉ ନ ଥିଲେ ଏବଂ ତାହା ଶୁଣି ଆଜିକାଲି ସ୍କୁଲ କଲେଜର ବାଳିକାମାନେ ବୋଡ଼ିଂ ହତାରେ ଅବରୁଦ୍ଧ ଥାଇ ସୁଦ୍ଧା ଯେତିକି ସ୍ୱାଧୀନତା ପାନ୍ତି ତ‌ହିଁରେ ନିଜକୁ ଖୁବ୍ ବେଶି ଭାଗ୍ୟବତୀ ମନେ କରିବେ । ଅଥଚ ଏହି ନିୟମ ବନ୍ଧନ ଯେତିକି କଠିନ ହୋଇଚି, ତାହାର ବ୍ୟତିକ୍ରମ ବରଂ ଅଧିକ ପ୍ରବଳ ହୋଇ ଉଠିଚି । ରାମକୃଷ୍ଣ ପରମହଂସଙ୍କପରି ସେଣ୍ଟ ଆବାହ୍ରାମ ଯେପରି ବିବାହ ବାସର ରାତ୍ରିରୁ ସ୍ତ୍ରୀକୁ ଛାଡ଼ି ପଲାୟନ କରିଅଛନ୍ତି, ଅନେକ ସନାତନୀ ପଣ୍ଡା ପୂଜକଙ୍କ ପରି ସେଣ୍ଟ ଅଗଷ୍ଟିନ୍ ମଧ୍ୟ ସତର ଗୋଟି ଜାରଜ ସନ୍ତାନଙ୍କୁ ଛାଡ଼ି ଯାଇଚନ୍ତି ଏବଂ ଅନେକ ମଠାଧୀଶଙ୍କ ପରି ସେଣ୍ଟ ପେଲାଗୋଙ୍କ ଅଧୀନରେ ୭୦ ଗୋଟି ରକ୍ଷିତା ସ୍ତ୍ରୀ ଥିବାର ପ୍ରମାଣ ମିଳିଚି । ଋଷ୍ୟଶୃଙ୍ଗ ଉଦ୍ଭବ କରିବାର ପ୍ରଖର କଳ୍ପନା ଜାତ ହୋଇ ନ ଥିଲେ ହେଁ ଅନେକ ବିଶପ୍ ନିଜ ନିଜର କନ୍ୟା ଓ ଭଗିନୀମାନଙ୍କ ସଙ୍ଗେ ଯୌନ ସମ୍ପର୍କ ରଖିବାର ଯେଉଁ ସ‌ହଜ ପନ୍ଥା ଉଦ୍ଭାବନ କରିଚନ୍ତି, ନନେରୀ କିମ୍ବା ଖ୍ରୀଷ୍ଟ-ବଧୂମାନଙ୍କର ପବିତ୍ର ମଠ ଗୁଡ଼ିକରୁ ଯେଉଁ ପରିମାଣରେ ଶିଶୁକଙ୍କାଳ ଆବିଷ୍କୃତ ହୋଇ ଅଛି, ତାହା ପ୍ରତ୍ନତାତ୍ତ୍ୱିକମାନଙ୍କ ଗବେଷଣା ପାଇଁ ଯଥେଷ୍ଟ ସାହାଯ୍ୟ କରେ ।


୮*("The purity of the body and its garments means the impurity of the soul")-Paul