ପୃଷ୍ଠା:Netrutya O Netrutwa.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩
ନାରୀ ଏବଂ ସୃଷ୍ଟି ସ୍ଥିତି

(Companionate Marriage) ପରି ଯେମିତି ସ୍ୱାଧୀନ ବିବାହ ପ୍ରଥାର ପ୍ରସ୍ତାବ କରାଯାଏଚି ଏବଂ ବାଇସ୍କୋପର ଅଭିନେତ୍ରୀ ହେବାପାଇଁ ସେଠାରେ ଝିଅମାନେ ଯେଉଁ ପରିମାଣରେ ବାଇ ହୋଇ ପଡ଼ିଚନ୍ତି; କିମ୍ବା ଯେଉଁମାନଙ୍କର ମଟରକାର ଅଛି (ଅନେକ ଝିଅଙ୍କର ଅନ୍ତ‌ତଃ ଖଣ୍ଡେ ମଟରଗାଡ଼ି ଥିବାର ଜଣାଯାଏ) ସେମାନେ ତାହା ସାହାଯ୍ୟରେ ନିଜର ପ୍ରେମିକ‌କୁ ଦୂର ସ୍ଥାନମାନଙ୍କୁ ଘେନିଯାଇ ପ୍ରେମାଳାପଟାକୁ ଆହୁରି ଅନେକ ଦୂର ପର୍ଯ୍ୟନ୍ତ ଆଗେଇ ନେବାରେ ଯେମିତି ତୃଟି କରୁ ନାହାନ୍ତି, ଜାପାନର ଝିଅମାନେ ମଧ୍ୟ ବିବାହ ପୂର୍ବରୁ ପ୍ରଥମେ ବେଶ୍ୟାବୃତ୍ତି ଦ୍ୱାରା ସେମିତି ଯୌନ-ଜୀବନର ଅଭିଞ୍ଜତା ସଙ୍ଗେ ସଙ୍ଗେ କିଛି ବିବାହ-ଯୌତୁକ ଅର୍ଜନ କରିବାକୁ ଯାଇ ଏ ପ୍ରଥାଟିକୁ ସମାଜର ଗୋଟାଏ ରୀତିମତ ଅନୁଷ୍ଠାନ କରି ପକାଇଛନ୍ତି । ସୋହ୍ୟେଟ୍ ରୁଷିଆରେ କି ପୁରୁଷ କି ନାରୀ ପ୍ରତ୍ୟେକଙ୍କୁ ରାଷ୍ଟ୍ରର କଲ୍ୟାଣ ଦିଗରୁ ହିଁ ବିବେଚନା କରା ଯାଉଚି । ବ୍ୟକ୍ତିବିଶେଷର ସୃଷ୍ଟି ସ୍ଥିତି କେବଳ ବ୍ୟଷ୍ଟିର ଉପକାର ଉଦ୍ଦେଶ୍ୟରେ ରାଷ୍ଟ୍ର (State) ହିଁ ଏହି ବ୍ୟଷ୍ଟିର ଜୀବନ୍ତ ପ୍ରତିନିଧି ଏବଂ ସମସ୍ତ ରାଜ୍ୟର ଶିଶୁମାନଙ୍କର ପାଳନ ଭାର ଏହା ନିଜ ହାତକୁ ନେବା ହିଁ କର୍ତ୍ତବ୍ୟ ମନେ କରି ଏକ ବିରାଟ ପରୀକ୍ଷାର ଆରମ୍ଭ କରିଚି । ତାହା ଫଳରେ ବର୍ଣ୍ଣାଶ୍ରମର ତ ନାମ ଗନ୍ଧ ଲୋପ ପାଇଛି, ବର୍ଣ୍ଣଶଙ୍କରଙ୍କୁ ଖୋଜି ବାହାର କରିବା ମଧ୍ୟ ଅସମ୍ଭବ ହୋଇ ପଡ଼ିଛି । ନୀରୋଗ ସୁପୁଷ୍ଟ ଶିଶୁର ହିଁ ଆଦର ବଢ଼ିଛି । ପ୍ରେମ ବୋଲି ଗୋଟାଏ ଏତେ ବଡ଼ ପୁରୁଣା ଜିନିଷ ଏବଂ ଯୁବକ ଯୁବତୀଙ୍କର ଏମିତି ଏକ ପ୍ରାଣାଧିକ ପ୍ରିୟ ବସ୍ତୁର ଆଜି ସେଠାରେ ମନସ୍ତ‌ତ୍ୱ ସଙ୍ଗେ ବିଶେଷ ସମ୍ପର୍କ ନାହିଁ; ଦେହର ତ‌ତ୍ତ୍ୱ ଭିତରେ ହିଁ ତାହା ଆବଦ୍ଧ । ଆର୍ଯ୍ୟ ଋଷିମାନେ ଯାହାକୁ ଗୋଟାଏ କଥାରେ କାଟି ଫିଙ୍ଗି ଦେଇଛନ୍ତି,- "ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା"।