ପୃଷ୍ଠା:Netrutya O Netrutwa.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬
ନେତୃତ୍ୱ ଓ ନେତୃତ୍ୱ


ଜେଲ ଫେରନ୍ତା ବଡ଼ ନେତା ଓ ବିଲାତ-ଫେରନ୍ତା ବଡ଼ ସରକାରୀ ଚାକିରିଆଙ୍କ ଭିତରେ ଚିହ୍ନା ପରିଚୟ ବୁଝାମଣା ହେବାର ସୁବିଧା ମିଳି ଯାଇଥିବ । ଜଣେ ଆଉ ଜଣକୁ ଖୁସି କରି ପାରିଲେ ଯେ ଦି'ପକ୍ଷର ଲାଭ,ଉଭୟ ପକ୍ଷ ଏ କ୍ଷଣି ହୁଏ ତ ସେ କଥା ଆଗଠାରୁ ଭଲ କରି ବୁଝି ସାରିଲେଣି । ଦେଶ ଭିତରେ ଓ ବାହାରେ କେତେଗୁଡ଼ାଏ ଘଟଣାର ପ୍ରଭାବ ମଧ୍ୟ ଏ ଭଳି ସାଲିସ ସ‌ହଯୋଗ ପାଇଁ ବାଟ ଫିଟାଇ ଦେଉଛି । ସେସବୁ କଥା ବିଚାରିବା ଆମର ଏଠାରେ ଲୋଡ଼ା ନାହିଁ । ଅଠର ବର୍ଷର ସବୁ ଘଟଣାକୁ ଟିକିନିଖି ପରଖ କରିବାକୁ ଆମେ ଯାଉ ନାହୁଁ ।

ଆମେ ଖାଲି ଦେଖିବାକୁ ଚାହୁଁ, ଏହି ଅଠର ବର୍ଷ ଭିତରେ ଜାତି ବା ଦେଶ କେତେ ଦୂର ଆଗେଇଛି କି ପଛେଇଛି । ଅଠର ବର୍ଷ ତଳେ ଜାତି ଯେଉଁ ସବୁ ଦୁଃଖ,ଦୁର୍ବିପାକ,ଅଭାବ ଅସୁବିଧା ଭୋଗୁଥିଲା, ସେଗୁଡ଼ିକର ଆଜି କିଛି ସମାଧାନ ହୋଇଛି କି ନାହିଁ । ଏ କଥା ବୋଧହୁଏ ସତ ଯେ, ଜଣେ ଗୋପବନ୍ଧୁ ନ ଥିଲେ କଣ ହେଲା, ଓଡ଼ିଶାରେ ବ‌ହୁ ନେତାଙ୍କର ଆଜି ଦର୍ଶନ ମିଳେ- ଯେଉଁମାନଙ୍କ ଭିତରୁ କାହାଠାରେ ଗୋପବନ୍ଧୁ ହୃଦୟ, କାହାଠାରେ ତାଙ୍କ ମସ୍ତିଷ୍କ, କାହାଠାରେ ତାଙ୍କ ସାହସ,କାହାଠାରେ ତାଙ୍କ ତ୍ୟାଗ,କାହାଠାରେ ତାଙ୍କ ସ୍ନେହ, କାହାଠାରେ ତାଙ୍କ କ୍ରୋଧ, ପୁଣି କାହାଠାରେ ତାଙ୍କ ହସକାନ୍ଦ ମାତ୍ର ଅବଶିଷ୍ଟ ରହିଯାଇଛି । ଜଣକ ବଦଳରେ ବ‌ହୁ ନେତା ବାହାରିଛନ୍ତି; ଗୋପବନ୍ଧୁ ଆଜି ବ‌ହୁ ମଧ୍ୟରେ ନିଜକୁ ବାଣ୍ଟି ଦେଇ ପାରିଛନ୍ତି ।

କିନ୍ତୁ ଡ଼ାକ୍ତର ବେଶି ହେଲେ ରୋଗ ବଢ଼ିଲା ବୋଲି କେହି କେହି ଯେମିତି କ‌ହ‌ନ୍ତି, ବେଶି ନେତାଙ୍କ ଆବିର୍ଭାବରେ ଜାତିର ଦୁଃଖ, ଦୁର୍ବିପାକ, ଅଭାବ, ଅସୁବିଧା ସେମିତି ବେଶି ଦେଖାଯାଉ