ନାହିଁ ତ ? ସେ ଆଡ଼କୁ ଆଖି ପକେଇଲେ କଟକ ସହରର ପଚା ମ୍ୟୁନିସିପାଲିଟିଠାରୁ ଆରମ୍ଭ କରି ଓଡ଼ିଶାର ମଫସଲ ଗାଁର ବଢ଼ି, ମରୁଡ଼ି, ଭୋକଶୋଷର ଦୁଃଖ ଏବେ ମଧ୍ୟ ସବୁଠୁଁ ବଡ଼ ହୋଇ ଉଠେ ନାହିଁ କି ? ଏବେ ମଧ୍ୟ ବହୁତ ପୁରୁଷ ନିରକ୍ଷର, ବହୁତ ନାରୀ ଘର ଭିତରେ ଲୁଚି ନାହାନ୍ତି କି ? ଏବେ ମଧ୍ୟ ସରକାର କଣ, ଜାତି କଣ, ସ୍ୱାଧୀନତା କଣ, ଶିଖିବାକୁ ବହୁତ ଲୋକଙ୍କର ବାକି ନାହିଁ କି ? ଏବେ ମଧ୍ୟ ଚୌଧୂରୀ ବଜାର ଛକରେ ଯାଦୁମଲମ ବିକିବାକୁ କେହି ଘୂଙ୍ଗୂର ପିନ୍ଧି ନାଚିଲେ, ଅବା ମଫସଲର ଗାଁକୁ ହାତୀ କି ମଟର ଚଢ଼ି ପହଞ୍ଚିଲେ ବକ୍ତୃତା ଝାଡ଼ିବା ପାଇଁ ସହଜେ ଗୋଟାଏ ସଭାର ଲୋକ ନ ମିଳିବେ କି ? ଏବେ ମଧ୍ୟ ଭାରତର ଚାରି ଶହ ଜାତିଙ୍କ ଭିତରେ ଜାତିଆଣ ବିଚାର କମିଲାଣି କି ? ଛୁଁଆ ଅଛୁଁଆ ଉଠିଲାଣି କି ?
ଭଲ ଆଡ଼କୁ ଚାହିଁଲେ 'ଶହେ ହାଣ୍ଡିକି ଏକ ଠେଙ୍ଗା' ଭଳି ଏସବୁ ପ୍ରଶ୍ନର ଗୋଟାଏ ରୋକ ଠୋକ ଜବାବ ମିଳେ-ଆମେ ସ୍ୱାଧୀନତାକାମୀ-ସେତିକି ହୋଇଗଲେ ସବୁ ପ୍ରଶ୍ନ ଆପେ ଅକାମୀ ହୋଇଯିବ । ଆମ ସରକାରର ନାମ ଏବେ 'ଲୋକପ୍ରିୟ', ଅର୍ଥତ ବହୁତ ଲୋକଙ୍କର ପ୍ରିୟ ନ ହେଲେ ଏ ଭଳି ସରକାର ତିଷ୍ଠି ନ ପାରେ । ସେ ବହୁତ ଲୋକ ଓଡ଼ିଶା ଲୋକ ସଂଖ୍ୟାର ଶତକଡ଼ା ପଛେ ବାର ଜଣ ହୁଅନ୍ତୁ, ତାଙ୍କ ଭିତରୁ କେହି ଭୋଟ ଦିଅନ୍ତୁ ଅବା ନ ଦିଅନ୍ତୁ। ପୁଣି 'ଜନପ୍ରିୟ' ବୋଇଲେ ତାହା ଭିତରେ ଦୁର୍ଜନ ସୁଜନ ଉଭୟ ଥାଇ ପାରନ୍ତି । ମୁନାଫାଖୋର ଚୋରାବଜାରୀ, ମିଲ ମାଲିକ, ଘୁସଖୋର ସରକାରୀ ବା ବେସରକାରୀ ଦଲାଲ ପୁଣି ତଣ୍ଟିଚିପା ଜମିଦାର ମଧ୍ୟ ଥାଇ ପାରନ୍ତି । ଏହି ଅଳ୍ପ କେତେକ ବଡ଼ବଡ଼ିଆଙ୍କ ତଳେ ଲକ୍ଷ ଲକ୍ଷ ମୂଲିଆ,କୁଲି ମଜୁରିଆ,-ଯେଉଁମାନେ