ଦିଆ ହୁଏ- ଲୋକେ ଇଚ୍ଛା ନ କଲେ ମଧ୍ୟ । ମହାମାନ୍ୟ ବଡ଼ଲାଟ ହୁଏ ତ ସେମିତି ଚଉଦ ଜଣ ମାନ୍ୟବର ନେତାଙ୍କୁ ଧରି ନୂଆଦିଲ୍ଲୀରେ ଯବରଦସ୍ତି ସ୍ୱାଧୀନତା ଟିକା ଦେବାକୁ ଯାଉଛନ୍ତି । ଆମ ନିଜ ଭଲମନ୍ଦ ବିଚାରବୁଦ୍ଧି ଅଭାବରୁ ଯେ ଏ ଭଳି ଯବରଦସ୍ତି ହେଲା, ସେ କଥା ନ ମାନିବାକୁ କଣବା ଅଛି ? ନୂଆଦିଲ୍ଲୀରେ ଯାହା ଘଟୁଛି, କଲିକତା ମାନ୍ଦ୍ରାଜ ବା କଟକ ଲାଟସଭାରେ ତହିଁରୁ ବେଶି କିଛି ଘଟିବ କାହିଁକି ? ଏଥିପାଇଁ ଖାଲି ମୁସଲିମ ଲିଗ ଯଦି ଦାୟୀ ବୋଲି କୁହାଯାଏ, ତେବେ ତ ସେ କଂଗ୍ରେସ ଠାରୁ ବେଶୀ ଶକ୍ତିଶାଳୀ ମାନିବାକୁ ହେବ । ନାହିଁ ଯେବେ ଇଂରେଜ ସରକାର ଦାୟୀ ହୁଅନ୍ତି, ତେବେ ତ 'କାହାକୁ କହିବା କପାଳରେ ସିନା କର ମାରିବା'।
ତାହା ହେଲେ ଦେଶର ନେତୃତ୍ୱ ରହିଲା କେଉଁଠାରେ ? କଅଣ ଦେଖି ଆମେ ଭବିଷ୍ୟତକୁ ଆଶା କରିବୁଁ ? ଯେଉଁ ମୌଳିକ ସମସ୍ୟାଗୁଡ଼ିକୁ ଗୋପବନ୍ଧୁଙ୍କ ନେତୃତ୍ୱ ସବୁରି ଆଗରେ ଛିଡ଼ା କରାଇପାରିଥିଲା, ସେଗୁଡ଼ିକର ସମାଧାନ କେବେ ଓ କେଉଁଠାରେ ? ଅଠର ବର୍ଷ ପରେ ସେହି ସମାସ୍ୟାଗୁଡ଼ିକହିଁ ଆଜି ପୁଣି ମୁଣ୍ଡ ଟେକିଛନ୍ତି । ସେହି ପ୍ରଶ୍ନଟିର ଆଗରେ ଥିବା ପ୍ରଶ୍ନବାଚକ ଚିହ୍ନଟା କ୍ରମେ ବଡ଼ ହୋଇଉଠୁଛି । କିଏ ତାହାର ଜବାବ ଦେବ ? ସେ ଜବାବ ଆଜି ସହର ବଜାରର ଅଳ୍ପ କେତେକ ପାଠୁଆଙ୍କ ହାତରେ ନାହିଁ ଅବା ଗାଁ ଗଣ୍ଡାର କେତେ ଜଣ ଅଧାପାଠୁଆ ଅଶିକ୍ଷିତ ଦଲାଲଙ୍କ ହାତରେ ନାହିଁ । ସେ ଜବାବ ଅଛି କେବଳ ଦେଶର ଲକ୍ଷ ଲକ୍ଷ ଅଧିକାଂଶ ନରନାରୀଙ୍କ ମୁହଁରେ, ଯାହାଙ୍କର ଜବାବ ଦେବା କିମ୍ବା ଯାହାଙ୍କ ଜବାବ କାହାରି ମୁହଁରୁ ବାହାରିବା ସବୁବେଳେ ଅପରାଧ ବୋଲି ଧରା ହୋଇ ଆସିଛି । ଗୋପବନ୍ଧୁ ବଞ୍ଚିଥିଲେ ଅବା ଏକା ସେ ଜବାବ ଦେଇଥାନ୍ତେ !