ପୃଷ୍ଠା:Netrutya O Netrutwa.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧
ବଙ୍ଗ ଉତ୍କଳ ଦୁଇଟି ଭଗିନୀ

ଦୁନ୍ଦୁଭି ବଦଳରେ ଖୋଳ କରତାଳ ଓ ନାମ ସଂକୀର୍ତ୍ତନ ହେଲା-ନିଦ ଆଣିବାର ଧୋବାୟା ଗୀତ । ଓଡ଼ିଶାର ଦେବତା ଓ ତାଙ୍କରି ଚଳନ୍ତି ପ୍ରତିମା ରାଜାଙ୍କ ପଛେ ପଛେ ରାଜାଙ୍କର ଉଚ୍ଚ କର୍ମଚାରୀ ଓ ମନ୍ତ୍ରଣାଦାତାମାନେ ସେହି ପନ୍ଥା ଧରିଲେ । ଦକ୍ଷିଣରୁ ରାୟ ରାମାନନ୍ଦ ବିଜୟ‌ନ‌ଗରର ବିଜୟ କଳ୍ପନାକୁ ତୁଚ୍ଛ ଞ୍ଜାନ କରି ତୁଳସୀ ମାଳି ଓ କୋଥଳି ଧରି ଫେରିଲେ ପୁଣି ତାଙ୍କ ଭାଇ ଗୋପୀନାଥ ବଡ଼ଯେନା ମେଦିନୀପୁରର ଶାସକ ଥାଇ ରାଜସ୍ୱ ବାକୀ ରଖିଥିବା ଅପରାଧରେ ରାଜଦରବାରରୁ ଯେ ଶିରଚ୍ଛେଦର ଆଦେଶ ପାଇଥିଲେ ବୈଷ୍ଣବ ମାନ‌ଙ୍କର ପ୍ରରୋଚନାରେ ସେ ଆଦେଶ ମଧ୍ୟ ପ୍ରତ୍ୟାହାର କରାଗଲା । ଅନ୍ୟ କଥାରେ ଓଡ଼ିଶାର ରାଜ-ଶକ୍ତି ଏହି ଚୈତନ୍ୟ ଧର୍ମ ନିକଟରେ ଚୂଡ଼ାନ୍ତ ପରାଜୟ ମାନିଲା,ପୁଣି ଓଡ଼ିଶାର ବୁଦ୍ଧିଜୀବୀ ସମଗ୍ର କରଣ କୂଳଟା ମଧ୍ୟ ଗୋପୀନାଥବଡ଼ଜେନାଙ୍କୁ ଆଦର୍ଶ ରୂପେ ଧରି ଏହି ଧର୍ମ ସାହାଯ୍ୟରେ ହିଁ ସବୁ ଅପରାଧରୁ କ୍ଷମା ପାଇବ ବୋଲି ଭରସା ରଖିଲା । ବାକୀଥିଲା ବ୍ରାହ୍ମଣ ଜାତିଟା । ନିଜର ବିଚାରହୀନ ସ୍ଥିତିଶୀଳତା ଓ ପଣ୍ଡିତମାନ‌ଙ୍କର ମୂର୍ଖାମିରୁ ହେଉ କିମ୍ବା ଆଉ ଯେ କୌଣସି କାରଣରୁ ହେଉ, ଚୈତନ୍ୟ ଧର୍ମକୁ ବ୍ରାହ୍ମଣମାନେ ସୁଦୃଷ୍ଟିରେ ଦେଖି ପାରି ନ ଥିଲେ । କିନ୍ତୁ କ୍ଷତ୍ରିୟ ଓ କରଣମାନ‌ଙ୍କ ବ୍ୟତୀତ ଆଉ ଯେ ସବୁ ଜାତିର ଲୋକେ ଏ ଦେଶରେ ଅଛନ୍ତି, ସେମାନ‌ଙ୍କ ଭିତରେ ଏହି ପୌରୁଷହୀନ ଧର୍ମ‌ଭାବ ପ୍ରବେଶ କରାଇବା ପାଇଁ ବ୍ରାହ୍ମଣମାନେହିଁ ଦାୟୀ । ଜଗନ୍ନାଥ ଦାସ ଚୈତନ୍ୟ ଧର୍ମକୁ ଗ୍ରହଣ ନ କଲେହେଁ ଓଡ଼ିଆ ଭାଷାରେ ଯେଉଁ ଭାଗବତ ଲେଖିଲେ, ସେଥିରେ ଓଡ଼ିଶାର ଆଧ‌୍ୟାତ୍ମିକ ଉନ୍ନତି ଯେଉଁ ପରିମାଣରେ ହେଲା ସେହି ସେହି ଅନୁପାତରେ ଏହାର ବଳିଷ୍ଠ ସାମରିକ ଶକ୍ତିର ଅଧଃପାତ ଘଟିଲା ।