ପୃଷ୍ଠା:Netrutya O Netrutwa.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୯
ବଙ୍ଗ ଉତ୍କଳ ଦୁଇଟି ଭଗିନୀ


ସାଧାରଣ ସ୍ୱାମୀ ହେବା ଫଳରେ ଅନେକ ସମୟରେ ସେମାନଙ୍କୁ ସୌତୁଣୀର ଆଚରଣ କରିବାକୁ ପଡ଼ିଥାଏ । ଏ ରୂପ ଆଚରଣରେ ବେଶି ପୀଡ଼ାଗ୍ରସ୍ତ କିନ୍ତୁ ଓଡ଼ିଶା । ନିଜର ସ୍ଥିତିକୁ ଅନୁଭବ କରିବା ଆଗରୁ ବଙ୍ଗର ସ୍ଥିତିକୁ ବଡ଼ ତୀବ୍ରଭାବରେ ଏହାକୁ ଅନୁଭବ କରିବାକୁ ହୋଇଅଛି । ପୁଣି ସପତ୍ନୀ ହେବାଠାରୁ ଏହି ଅନୁଭବ କ୍ରମେ ଉତକଟତର ହୋଇ ଉଠିଛି । ବଙ୍ଗର ଏହା ଘୃଣ୍ୟ, କାରଣ ତାହାର ସ୍ୱାମୀ ନିକଟରେ ଏହା ଅପର ଏକ ଭାଗଦାର; ବଙ୍ଗକୁ ମଧ୍ୟ ଏହା ଘୃଣା କରିଛି,କାରଣ ତାହାର ସ୍ୱାମୀ ପ୍ରଥମେ ଏହି ବଙ୍ଗର ହିଁ ଉଦ୍ଦିଷ୍ଟ । ପ୍ରଥମେ ଏହି ବଙ୍ଗର ଆଲିଙ୍ଗନ ଓ ଚୂମ୍ବ‌ନକୁ ସେ ଲାଭ କରି ସାରିଛି । ଗୃହ ପ୍ରବେଶ କରି ଦେଖିଲା ଯଥାର୍ଥ ଗୃହିଣୀ ହୋଇ ବସିଛି ବଙ୍ଗ, ସୁତରାଂ ଭଣ୍ଡାର ଚାବିକାଠି ଖଣ୍ଡ ପଡ଼ିଛି ପ‌ହିଲେ ତାରି ହାତରେ ! ଏହାର ନିଜର ହୋଇ କିଛି ନାହିଁ । କେଉଁଠାରେ ବସିବ, କାହା ସଙ୍ଗେ ହସିବ, କିଛି ତାକୁ ଜଣା ନାହିଁ । ସ୍ୱାମୀ ସାଥିରେ ଟିକିଏ ଦେଖା କରିବାକୁ ହେଲେ ବି ପ‌ହିଲେ ସପତ୍ନୀର ଅନୁମତି ଦରକାର । ବସ୍ତୁ‌ତଃ ତାକୁ ଏହି ସ୍ୱାମୀ ଅପେକ୍ଷା ସଉତୁଣୀ ପ୍ରଭୁତ୍ୱହିଁ ବେଶୀ ମାନିବାକୁ ପଡ଼ିଲା । ସ୍ୱାମୀର ମନସ୍ତୁଷ୍ଟି ପାଇଁ ସପତ୍ନୀ ଯେଉଁ ବେଶ ଭୂଷା ଘେନିଥିଲା, ତାହାର ମଧ୍ୟ ଅନୁକରଣ କରି ବସିଲା । ସ୍ୱାମୀର ଆକ୍ରମଣ ଅପେକ୍ଷା ସପତ୍ନୀର ଆକ୍ରମଣ ହିଁ ସେ ଅଧିକ ଅନୁଭବ କଲା । ତେଣୁ ସ୍ୱାମୀ ସଙ୍ଗେ କ‌ଜିଆ କରିବା ଆଗରୁ ସୌତୁଣୀ ସଙ୍ଗେ କ‌ଜିଆ କରିବାର ଅନେକ ଉପାଦାନ ତାକୁ ମିଳିଲା ।

ଦୁଇଟି ଭଉଣୀ ଯଦି ସୌତୁଣୀ ହୁଅନ୍ତି, ତାହାହେଲେ ସେମାନଙ୍କ ଭିତରେ ସପତ୍ନୀ ଭାବଟା ଯେପରି ଉତ୍‌କଟତର ହେବାର କଥା ବଙ୍ଗ ଉତ୍‌କଳ ଭିତରେ ସେହି ଆଦର୍ଶଟା ବେଶ୍ ଅନୁଧେୟ ।