ପୃଷ୍ଠା:Netrutya O Netrutwa.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୨
ନେତୃତ୍ୱ ଓ ନେତୃତ୍ୱ


ଦେଶର ଘରେ ଘରେ ସେ ପରିଚିତ କରାଇଅଛି । ବଙ୍ଗକୁ ହାସ୍ୟ ଯୋଗାଇବା ପାଇଁ ନିଜକୁ ଗୁରୁତର ରୂପେ ହୃଦୟଙ୍ଗମ କରିବାକୁ ମଧ୍ୟ ଲୋଡ଼ି ନାହିଁ । ଏପରିକି ନିଜର ସାଧାରଣ ମର୍ଯ୍ୟାଦା-ଞ୍ଜାନର ଚୂଡ଼ାନ୍ତ ପକ୍ଷାଘାତ ଏବଂ ନିଜର ଆପଦ ଓ ଧ୍ୱଂସକୁ ମଧ୍ୟ ଏଥିପାଇଁ ସେ ଡ଼ାକି ଆଣିଛି ।

ଏତଏବ ଏ ସବୁ କ୍ଷେତ୍ରରେ ଆଦାନ ପ୍ରଦାନର ତଉଲ କରିବା କଠିନ । ଉଭୟ ପ୍ରଦେଶର ରାଜନୀତିରେ ନୌକରି କରିବାଟାହିଁ ସବୁଠାରୁ ବଡ଼ ସମସ୍ୟା । ଉଭୟ ସ୍ଥାନର ରାଜନୀତିଞ୍ଜମାନେ ଯଥେଷ୍ଟ ବେଶ ଗପ କରି ପାରନ୍ତି, କିନ୍ତୁ କ‌ହ‌ନ୍ତି ଖୁବ କମ୍ । ଉଭୟ ପ୍ରଦେଶର ସାହିତ୍ୟ ଉନ୍ନତି ପଥରେ ଗତି କରୁଛି, ପୁଣି ପୃଥିବୀର ସାତ ଆଠ ଗୋଟି ଭାଷା ଭିତରେ ବଙ୍ଗଳା ଭାଷାର ନାମୋଲ୍ଲେଖ ଅଛି । ତ‌ଥାପି ଉଭୟ ପ୍ରଦେଶରେ ଯେତେ ବ‌ହି ପ୍ରକାଶିତ ହୁଏ, ସେଥି ମଧ୍ୟରୁ ସବୁଠାରୁ କମ୍ ସମୟରେ ଓ ସବୁଠାରୁ ବେଶି ସଂଖ୍ୟାରେ ବିକ୍ରି ହୋଇଥାଏ ନୂତନ ପଞ୍ଜିକା । ଉଭୟ ପ୍ରଦେଶ ଭିତରେ ଆହୁରି ଘନିଷ୍ଠତର ସାମଞ୍ଜସ୍ୟ ମଧ୍ୟ ଅଛି । ଓଡ଼ିଆ କୁଲି ଚାକରଙ୍କୁ ଶିକ୍ଷିତ ବଙ୍ଗାଳିମାନେ ଅନେକ ବର୍ଷ ଧରି 'ଶଲା-ଉଡ଼େ' କ‌ହିବା ଦ୍ୱାରା ଯେଉଁ ମିଷ୍ଟ ସମ୍ବନ୍ଧର ସୂଚନା ଦେଇଥାନ୍ତି, ତାହା ଫଳରେ ଶିକ୍ଷିତ ଓଡ଼ିଆମାନେ ବଙ୍ଗାଳିଙ୍କ ଭିତରେ ନିଜର ଶ୍ୱଶୁରଠାରୁ ଆରମ୍ଭ କରି ସଢ଼ୁ ପର୍ଯ୍ୟନ୍ତ ସବୁ ସତ୍ୟ ସମ୍ବନ୍ଧ ବସାଇ ଦେଇ ଏ ସମ୍ବୋଧନର ଏକାବେଳେ ଗୋଟାଏ ଜୀବନ୍ତ ଓ ବାସ୍ତବ ଜବାବ ଦେଇ ଅଛନ୍ତି ।

ଫରକ ଭିତରେ ଅବା ଓଡ଼ିଆମାନେ ବେଶି ପରିମାଣରେ ଚୁଡ଼ା ଖାନ୍ତି, ସେଥିପାଇଁ ହୁଏ ତ ତାଙ୍କର ମୁଣ୍ଡ ଗୁଡ଼ିକ ଟିକେ ଚେପ୍‌ଟା ଏବଂ ଖୁବ ଭାରୀ ବୋଝ ବୋହିବାକୁ ତାହା ପ୍ରଶସ୍ତ;