ବଙ୍ଗାଳିମାନେ ରସଗୋଲାକୁ ବେଶି ଭଲ ପାନ୍ତି, ସେଥିପାଇଁ ତାଙ୍କର ମୁଣ୍ଡଗୁଡ଼ିକ ହୁଏତ ଗୋଲ ଏବଂ ଚୂଡ଼ାଖିଆଙ୍କଠାରୁ ମଧୂରତର ଗୋଲାମି କରିବାକୁହିଁ ନିଜର ବଡ଼ କୃତିତ୍ୱ ବୋଲି ତାହା ଆବିଷ୍କାର କରିଛି । ତେଣୁ ଦୁଇ ପ୍ରଦେଶର ସମ୍ବନ୍ଧ ଏତେ ବେଶି ଘନିଷ୍ଠ ଯେ,ଏଣିକି ବଙ୍ଗାଳିମାନେ ଓଡ଼ିଶାରେ ଆଉ କିଛି ଖାଇବାକୁ ନ ପାନ୍ତୁ ପଛେ ହାଉଆ ଖାଇବାକୁ ନିଶ୍ଚୟ ଆସିବେ; ପୁଣି ଓଡ଼ିଆମାନେ ବଙ୍ଗ ପ୍ରଦେଶରୁ ନିଜେ କିଛି ଖାଇବାକୁ ନ ପାଇଲେହେଁ ରୋଷାଇ କରି ସେମାନଙ୍କୁ ଖୋଇ ଦେବାକୁ ବରାବର ଯିବେ ।
ଓଡ଼ିଶାରେ ସ୍ଥାୟୀ ଅଧିବାସୀ ବଙ୍ଗାଳୀ—
ଦୁଇ ପ୍ରଦେଶ ଲୋକଙ୍କ ସମ୍ବନ୍ଧରେ ଏ ସବୁ କଥା ଭାବିଲା ବେଳେ ମନେ ପଡ଼େ ଓଡ଼ିଶାର ସ୍ଥାୟୀ ଅଧିବାସୀ ବଙ୍ଗୀୟମାନଙ୍କର କଥା । ଅନୁପାତରେ ଏମାନଙ୍କ ସଂଖ୍ୟା ଓଡ଼ିଶାରେ ଅଳ୍ପ ହେଲେହେଁ ଜର୍ମାନୀର ଇହୁଦୀମାନଙ୍କ ପରି ନାନା କ୍ଷେତ୍ରରେ ସେମାନେ ଓଡ଼ିଶାର ସେବା ଓ ଉପକାର କରି ଅଛନ୍ତି; ପୁଣି ସେହିମାନଙ୍କପରିହିଁ ସବୁବେଳେ ତାଙ୍କ ଉପରେ ସନ୍ଦେହ ଦୃଷ୍ଟି ପଡ଼ିଅଛି । ପାଞ୍ଚ ଶହ ବର୍ଷ ହେଲା ଓଡ଼ିଆଙ୍କର ଅଭାବ ଅଭିଯୋଗ ସଙ୍ଗେ ଏମାନେ ନିଜ ଅଭାବକୁ ଯୋଗ କରିଅଛନ୍ତି, ଓଡ଼ିଶାର ଶିକ୍ଷା ସଭ୍ୟତାର ସୁନାମ ପାଇଁ ଓଡ଼ିଆଙ୍କଠାରୁ ଅଳ୍ପ ଚେଷ୍ଟା କରି ନାହାନ୍ତି । ଓଡ଼ିଆଙ୍କ ଘରକୁ ଲଗାଇ ନିଜର ଘର କରିଛନ୍ତି; ପୁଣି ଓଡ଼ିଆଙ୍କ ଭାଷା ସଙ୍ଗେ ନିଜ ଭାଷାକୁ ମିଶାଇବାକୁ ଯାଇ ଯେଉଁ ଭାଷା କହନ୍ତି, ସେଥିରେ ଖାଣ୍ଟି ବଙ୍ଗାଳିଙ୍କ ଦ୍ୱାରା ତ ଉପହସିତ ହୁଅନ୍ତି, ଓଡ଼ିଆଙ୍କ ଠାରୁ ମଧ୍ୟ ବିଦ୍ରୂପ ଶୁଣନ୍ତି ! ଅଥଚ ସେହିମାନେହିଁ ନିଜ ଭାଷାକୁ