ଉତ୍ତରାଧିକାର
ଯେତେ ବଡ଼ ଶୋକ ଆସୁ ପଛକେ ତହିଁରେ କାତର କ୍ଲୀବ ବା ଅଥର୍ବ ହୋଇ ରହିବା ଗାନ୍ଧି-ନୀତିର ବିରୋଧୀ । ସେ ନୀତି ସବୁ ଅବସ୍ଥାରେ ଆଶାବନ୍ତ ଓ ଅଗ୍ରଗାମୀ । ଗାନ୍ଧି-ହତ୍ୟାର ବିରାଟ କଠୋରତା ଆଗରେ ଆଶାବନ୍ତ ହୋଇ ଅଗ୍ରଗାମୀ ଚିନ୍ତା କରିବା ଏକ ଅସମ୍ଭବ ବ୍ୟାପାର ବୋଲି ମନେ ହୋଇପାରେ । କିନ୍ତୁ ଗାନ୍ଧି-ନୀତି ପୃଥିବୀର ଯେ କୌଣସି ଅସମ୍ଭବକୁ ମଧ୍ୟ ଅସ୍ୱୀକାର କରେ । ତାହାର ଅନେକ ପ୍ରମାଣ ଆମେ ଗଲା ତିନିଟା ଦଶନ୍ଧି ଭିତରେ କେତେକ ଘଟଣାରେ ଦେଖି ଆସିଛୁଁ ।
ପୃଥିବୀର ରାଜନୀତିକ ଇତିହାସରେ ଯେତେଗୁଡ଼ିଏ ନୀତିର ପ୍ରଚଳନ ଦେଖାଯାଏ, ଗାନ୍ଧି-ନୀତି ତାହା ଭିତରେ ସମ୍ପୂର୍ଣ୍ଣ ଅଭିନବ । ଆନ୍ତର୍ଜାତିକ ରାଜନୀତି କ୍ଷେତ୍ରରେ କାର୍ଲ ମାର୍କସ୍ ବା ଲେନିନ୍ ଯାହା ଲୋଡ଼ିଥିଲେ ଗାନ୍ଧି ମଧ୍ୟ ସେହି ଭଳି ଚରମ-ପନ୍ଥୀ । ସବୁଠାରୁ ବେଶୀ ଲୋକଙ୍କର ହିତ ଦୃଷ୍ଟିରୁ ସେହିମାନଙ୍କ ସମ୍ମତି ଉପରେ ଶାସନ ପ୍ରତିଷ୍ଠା କରିବା, ସମାଜର ପ୍ରତି ଅବୟବକୁ ସୁସ୍ଥ ସ୍ୱାଧୀନ କରିବା କାର୍ଲ ମାର୍କସ୍ ବା ଲେନିନ୍ଙ୍କ ଭଳି ଗାନ୍ଧିଜୀଙ୍କର ମଧ୍ୟ ଚୁଡ଼ାନ୍ତ ଲକ୍ଷ୍ୟ ଥିଲା । କେବଳ କାର୍ଯ୍ୟ ପନ୍ଥା ଫରକ । ମାର୍କସ୍ବାଦର ଅସ୍ତ୍ର ହିଂସା, ଗାନ୍ଧିବାଦର ଅହିଂସା ।