ପୃଷ୍ଠା:Netrutya O Netrutwa.pdf/୬୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୫
ବଙ୍ଗ ଉତ୍କଳ ଦୁଇଟି ଭଗିନୀ


 ଦ୍ୱିତୀୟ କଥା - କେବଳ ବଙ୍ଗର ମୁସଲମାନ ନୁହ‌ନ୍ତି କିମ୍ବା ବଙ୍ଗବାସୀ ଓଡ଼ିଆ ନୁହ‌ନ୍ତି ,ଓଡ଼ିଶାବାସୀ ଓଡ଼ିଆମାନେ ମଧ୍ୟ, ଏପରିକି ରାଜା ମହାରାଜା, ନେତୃସ୍ଥାନୀୟ ବ୍ୟକ୍ତି, ଶିକ୍ଷିତ ଓ ସାହିତ୍ୟିକମାନଙ୍କର ମଧ୍ୟ ବଙ୍ଗୀୟ ହେବାର ଚେଷ୍ଟା ସୁସ୍ପଷ୍ଟ । ତେଣୁ ଓଡ଼ିଶାବାସୀ ବଂଗୀୟମାନଙ୍କୁ ଓଡ଼ିଆ ହେବାକୁ କ‌ହିଲେ ପ‌ହିଲେ ଶିକ୍ଷିତ ଓଡ଼ିଆଙ୍କ ମତି ଗତିରହିଁ ପ୍ରତିକୂଳାଚରଣ କରିବାକୁ ପଡ଼େ ।

 ତୃତୀୟ କଥା - ଓଡ଼ିଶାରେ ଏପରି ବ୍ୟକ୍ତିଗତ କିମ୍ବା ସଂଘବଦ୍ଧ ଚେଷ୍ଟା ବିରଳ, ଯାହା ମୂଳରେ ବଙ୍ଗୀୟ କବି ପଣ୍ଡିତଙ୍କର ସୁପାରିସ୍ ନାହିଁ । ଓଡ଼ିଶାର ପ୍ରାଚୀନ ଶିଳ୍ପ ଇତିହାସ କଥା ଛାଡ଼ି ଦେଲେ ମଧ୍ୟ ପଠାଣି ସାମନ୍ତ, ରାଧାନାଥ ଗ୍ରନ୍ଥାବଳୀ ଓ ସତ୍ୟବାଦୀ ବିଦ୍ୟାଳୟ ପ୍ରଭୃତିରେ ସେହିମାନଙ୍କ ସାଟିଫିକେଟ୍ ଦେଖିବାକୁ ମିଳେ । ଏହିପରି ନାନା କ୍ଷେତ୍ରରେ ବଙ୍ଗାଳିମାନେହିଁ ଓଡ଼ିଆଙ୍କର ପରିଚୟ ହୋଇଥିବା ସ୍ଥଳେ, ଯେଉଁମାନେ ଆଜି ବଂଗାଳି ହୋଇ ରହିଅଛନ୍ତି,ସେମାନଙ୍କୁ ଓଡ଼ିଆ ହେବାପାଇଁ କେଉଁ ଯୁକ୍ତିରେ ପରାମର୍ଶ ଦିଆଯିବ ?

 ଚତୁର୍ଥ କଥା--ଓଡ଼ିଶାର ମାଟି ଉପରେ ଦିନ ରାତି ଗର୍ଜନ କରି ଯେଉଁ ବାସ୍ପୀୟ ଗାଡ଼ିଟା ଛୁଟିଛି, ସେ ତାହାର ନାମ ଘୋଷଣା କରୁଛି-"ବେଙ୍ଗଲ ନାଗପୁର",ଓଡ଼ିଶାର ପାଣିତକ ଧରି ଯେଉଁ ସମୁଦ୍ର ଅହରହ କଳରୋଳରେ ମାତିଛି,ସେ ତାହାର ପରିଚୟ ଦେଉଛି-"ବଙ୍ଗୋପସାଗର" । ଓଡ଼ିଶା ଆଗେ ନିଜେ ନିଜର ପରିଚୟ ଦେବାକୁ ସମର୍ଥ ହେଉ, ତା'ପରେ ଅନ୍ୟକୁ ତିଆରିବା ପାଇଁ ପରାମର୍ଶ ଦେବ ।