୨
ଗାନ୍ଧି-ବାଦର ସାମାଲୋଚକ କହନ୍ତି, ଅହିଂସା କେବଳ ଗାନ୍ଧିଜୀଙ୍କ ଛଡ଼ା ତାଙ୍କର କେହି ପଟ୍ଟଶିଷ୍ୟ ମଧ୍ୟ କାର୍ଯ୍ୟରେ ପରିଣତ କରୁଥିଲା ଭଳି ଅନେକ ସମୟରେ ଜଣା ପଡନ୍ତି ନାହିଁ । ପୁଣି ଅହିଂସା ହେଉଛି ମଣିଷ ସଭ୍ୟତାର ଶେଷ ନିଦାନ । ରାଜନୀତି କ୍ଷେତ୍ରରେ ଏଭଳି ଏକ ନୀତିର ପ୍ରଚଳନ ଆଦୌ ସମ୍ଭବ ବୋଲି ମଧ୍ୟ ଅନେକଙ୍କ ମନରେ ବିଶ୍ୱାସ ଆସେ ନାହିଁ । ତଥାପି ରାଜନୀତି କ୍ଷେତ୍ରରେ ମଧ୍ୟ ଯଦି ଏହି ଅସ୍ତ୍ର ବଳରେ ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିକୁ ହଟେଇ ଦିଆଯାଇ ପାରେ , ପୁଣି ଏହି ନୀତିକୁ ପୂର୍ଣ ରୂପେ ଅନୁସରଣ କରି ଯଦି ଜଣେ ଲୋକ ୭୮ ବର୍ଷ ପର୍ଯ୍ୟନ୍ତ ବହୁ ଶତ୍ରୁଙ୍କ ଭିତରେ ଏକାନ୍ତ ନିରସ୍ତ୍ର ଅସହାୟ ହୋଇ ବଞ୍ଚିରହି ପାରେ, ତେବେ ଅନ୍ୟ ମନୁଷ୍ୟ ପକ୍ଷ ତାହା ଯେ ଏକାବେଳେ ଅସମ୍ଭବ ସେ କଥାକୁ କୌଣସି ନ୍ୟାୟଶାସ୍ତ୍ର ସମର୍ଥନ କରିବ ନାହିଁ । ସତକୁ ସତ ଆଜି ଗାନ୍ଧି-ହତ୍ୟା ଭିତରେ ଯେଉଁ ରହସ୍ୟ ନିହିତ ଅଛି, ତାହା ଅନୁସନ୍ଧାନ କଲେ ମନ ଭିତରେ ଆଗ ହୋଇ ଗୋଟାଏ ପ୍ରଶ୍ନ ପହଞ୍ଚେ, ୭୮ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କୁ ହତ୍ୟା କରା ନ ଯାଇ କିପରି ଛାଡ଼ି ଦିଆ ଗଲା? କିମ୍ବା ଭାରତ ସ୍ୱାଧୀନତା ପୀଠ ଏହାହିଁ କଣ ଶ୍ରେଷ୍ଠତମ ବଳୀ ରୂପେ ଆଗରୁ ରଖା ହୋଇଥିଲା?
ତାହାର କାରଣ, ରାଜନୀତିକ ବିଜୟ ହାସଲ କରିବା ଯେଉଁମାନଙ୍କ ଜୀବନର ବ୍ରତ ହୋଇଛି, ଦେଶଜୟୀ ସମ୍ରାଟ, ରାଜା, ସେନାପତି, ମନ୍ତ୍ରୀ, ଜନନାୟକ ବା ବିପ୍ଲବୀ ନେତା ରୂପେ ସବୁ ଯୁଗରେ ସବୁ ଦେଶରେ ଇତିହାସରେ ଯାହାଙ୍କ ନାମ ଲିପିବଦ୍ଧ ରହିଛି, ସବୁରି ଭିତରେହିଁ ଗାନ୍ଧିଜୀ ଯେପରି ଏକକ ଓ ସ୍ୱତନ୍ତ୍ର । ସବୁ ଯୁଗରେ ସବୁ ଦେଶରେ ଇତିହାସରେ ଯେଉଁମାନଙ୍କ ନାମ ଲିପିବଦ୍ଧ ରହିଛି,