ପୃଷ୍ଠା:Netrutya O Netrutwa.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୮
ନେତୃତ୍ୱ ଓ ନେତୃତ୍ୱ


ବିଭିନ୍ନ ରୂପ ପ୍ରାୟଶ୍ଚିତ୍ତ କରିବାକୁ ପ୍ରସ୍ତୁତ କରାଯାଏ । ପୁଣ୍ୟ, ପର୍ବ, ବାର, ବ୍ରତ, ବିବାହ, ଶ୍ରାଦ୍ଧ, କେଉଁ ଗୋଟିକର ବ୍ୟତିକ୍ରମ ଆମେ ନିର୍ଭୟରେ କରିବା ପାଇଁ ସମର୍ଥ ? କେଉଁଟିରେ ଆମେ ଋଣ କରିବାକୁ ଧନୀର ଦ୍ୱାରସ୍ଥ ନ ହେଉଁ, ଦରିଦ୍ର କରି ରଖିବାକୁ ପୁରୋହିତ ନ ଡାକୁଁ ?

ଶିଶୁ-ମସ୍ତିଷ୍କରେ ବଳ ପ୍ରୟୋଗ କରି ଏହିପରି ଅବୋଧ୍ୟ ଧର୍ମ‌ଭାବ, ଗୁରୁଜନ ଭକ୍ତି ଓ ଇନ୍ଦ୍ରିୟ-ଦମନ ଆଦି ଯଥାଯଥ କାରଣ ନ ବୁଝାଇ ନିର୍ବିଚାରରେ ଯେ ପ୍ରବେଶ କରାଇ ଦିଆଯାଏ, ପୁଣି ସେ ସବୁର ଟିକିଏ କାହିଁଁ ଅନ୍ୟଥା ହେଲେ ନିର୍ମମ ଭାବରେ ଯେ ଶାସ୍ତି ଦିଆଯାଏ, ସେଥିରୁ ମନେ ହୁଏ ସକଳ ଶିଶୁହିଁଁ ବିଦ୍ରୋହ ବା ବିପ୍ଳବ କୋଳରେ ଲାଳିତ ହୁଅନ୍ତି ।

ଶିଶୁର ହକ୍-

ଶିଶୁର ଯେ ପରିବାରରେ, ସମାଜରେ ଓ ରାଷ୍ଟ୍ର ଉପରେ ମଧ୍ୟ ଗୋଟିଏ ହକ୍ ଅଛି, ଏକଥା ଯେମିତି ଭାରତର ସ୍ୱରାଜ ପରି ଅସମ୍ଭବ । ଶିଶୁର ମଧ୍ୟ ଯେ ବ୍ୟକ୍ତିଗତ ସ୍ୱାଧୀନତା ବୋଲି କିଛି ଅଛି, ଜାତୀୟ ଧନର ଗୋଟାଏ ନ୍ୟାଯ୍ୟ ଅଂଶ ଉପରେ ତାହାର ମଧ୍ୟ ଯେ ଜନ୍ମଗତ ଦାବୀ, ଏ ଯେମିତି ଗୋଟାଏ ଉଡ଼ା କଥା !

ଶିଶୁ ଅବସ୍ଥାକୁ ପାର ହୋଇ ଗଲେ ଆମେ ଅନ୍ୟ ଶିଶୁକୁ ଦେଖି ମଧ୍ୟ ନିଜର ସେହି ଅବସ୍ଥାକୁ ଭୁଲି ଯାଉଁ । ଯଦି କେବେ ସ୍ମରଣ କରୁଁ, ସେ କେବଳ କବିତା ଆକାରରେ କିମ୍ବା ଭାବାବେଗରେ ପ୍ରକାଶ ପାଏ- ଠିକ୍ ଯେମିତି ଦରିଦ୍ର କୃଷକ ବା ଶ୍ରମିକ ସରଳ ଜୀବନ ସମ୍ବନ୍ଧରେ ଭାବୋଚ୍ଛ୍ୱାସ ଦେଖାଯାଏ ।