ଉପାର୍ଜନ । ଏ ଦୁଇଟି ବସ୍ତୁ ଏପରି ଭାବରେ ପରସ୍ପର ଜଡ଼ିତ ଯେ, ଗୋଟିଏ ଅନ୍ୟକୁ ଛାଡ଼ିପାରେ ନାହିଁ । ଅର୍ଥାତ୍ ବିବାହ କରିବାକୁ ହେଲେ ଉପାର୍ଜନ କରିବା ଦରକାର ପୁଣି ଉପାର୍ଜନ କଲେ ବିବାହ ନ କରିବାଟା ଅସୁନ୍ଦର । ଅବଶ୍ୟ ଯୁବକ ହେବା ପୂର୍ବରୁ ଏ ଦେଶରେ ଅନେକଙ୍କର ବିବାହ ହୋଇ ସାରିଥାଏ । କିନ୍ତୁ ସମସ୍ତଙ୍କର ଜନ୍ମ ପରି, ବଞ୍ଛି ରହିବା ପରି, ବିବାହଟା ମଧ୍ୟ ଅକସ୍ମାତ୍ ହୋଇ ପଡ଼େ । ଉପାର୍ଜନଟା କିନ୍ତୁ ଠିକ୍ ଏପରି ଅକସ୍ମାତ୍ ହୋଇ ପାରେ ନାହିଁ । ଆମ୍ଭେମାନେ ଆଖି ବୁଜି ଜନ୍ମ ହେଉ, ଆଖି ବୁଜି ପାଠ ପଢ଼ୁଁ, ଆଖି ବୁଜି ବିବାହ କରୁଁ, ପୁଣି ସନ୍ତାନ ଉତ୍ପାଦନ କରୁ ମଧ୍ୟ ଆଖି ବୁଜି । କେବଳ ଆହାର କରିବା ବେଳକୁ ହିଁ ଆଖି ଖୋଲି ଚାହୁଁ । କାରଣ ଆହାର ଯାହାକୁ କହନ୍ତି, ସେ ବସ୍ତୁ ଆମ ଥାଳି ଭିତରେ ନ ଥାଏ ।
କିନ୍ତୁ ଆଖି ବୁଜି ବିବାହ କରିବା ଅପେକ୍ଷା, ତରୁଣ ତରୁଣୀଙ୍କର ତତ୍ପୂର୍ବରୁ ଆଧୁନିକ ରୀତିରେ ଗୁପ୍ତ ପ୍ରେମ-ଚିଟାଉ ଦ୍ୱାରା ପରିଚିତ ହେବା ଯେ ଅଧିକ ବାଞ୍ଛନୀୟ, ତାହା ମୁଁ ଏଠାରେ କହିବାକୁ ଯାଉ ନାହିଁ । ଆଖି ବୁଜି ଯେଉଁମାନେ ବିବାହ କରନ୍ତି, ଅର୍ଥାତ୍ ତାହା ଆଗରୁ ନାରୀକୁ ପୁରୁଷ ଦେଖି ପାରେ ନାହିଁ କିମ୍ବା ପୁରୁଷ କି ବସ୍ତୁ ବୋଲି ନାରୀ ବୁଝେ ନାହିଁ' ସେଠାରେ ହୁଏ ତ ଉଭୟେ ପରସ୍ପର ଆଦର୍ଶକୁ କଳ୍ପନା କରନ୍ତି । ପୁରୁଷ କଳ୍ପନା କରେ ତାହାର ଆଦର୍ଶ ନାରୀ; ଆଉ ନାରୀ ତାହାର ଆଦର୍ଶ ପୁରୁଷ; କିନ୍ତୁ ଯେଉଁମାନେ ସେ ରୂପ କୌଣସି କଳ୍ପନାରୁ ବଞ୍ଚିତ, ତାଙ୍କର ବିବାହ ହୁଏ ନିରାଟ ଦେହ ସହିତ ଦେହର, ଗୋଟିଏ ମହମର ପୁରୁଷ ଓ ମହମର ନାରୀ ମଧ୍ୟରେ, କିମ୍ବା ଗୋଟିଏ କୁକୁର ସହିତ କୁକ୍କୁରୀର; ସେଠାରେ ମନ ବୋଲି କିଛି ବସ୍ତୁ ନାହିଁ, କେବଳ ମାଂସ;