ପୃଷ୍ଠା:Netrutya O Netrutwa.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୪
ନେତୃତ୍ୱ ଓ ନେତୃତ୍ୱ


ସେଠାରେ ଆଖି କାନ ମଧ୍ୟ ତାହାର କ୍ରିୟାରୁ ବଞ୍ଚିତ- ବିବେକ ନାହିଁ, ବିଚାର ନାହିଁ, ବୁଦ୍ଧି ନାହିଁ, ଚେତନା ନାହିଁ - ନାରୀ ପୁରୁଷର ସମ୍ବନ୍ଧ ମଧ୍ୟରେ ଆଦିମ ଓ ପ୍ରଧାନ ବସ୍ତୁଟାରେ ସେଠାରେ ଏକାଧିପତ୍ୟ- ଯୌନ ବୃତ୍ତି । କିନ୍ତୁ ଯେଉଁଠାରେ ଗୋପନ-ପ୍ରଣୟ-ପତ୍ର ଦ୍ୱାରା ବିବାହର ଉପକ୍ରମଣିକା ହୁଏ, ସେଠାରେ ମନର ସ୍ଥିତି ଅନୁଭୂତ ହେଲେହେଁ ସମ୍ବନ୍ଧର ଗୋପନୀୟତାରେ ସେ ମନର କଦାକାର ଓ ରୁଗ୍ନ କାପୁରୁଷତାର ଚିହ୍ନ ସୁସ୍ପଷ୍ଟ ହୁଏ । ଏ ରୂପ ବିକୃତ ମନ ଅନ୍ୟାନ୍ୟ ଦେଶ ପରି ଓଡ଼ିଶାରେ ମଧ୍ୟ ବିରଳ ନୁହେ, ପୁଣି ତାହାର ପରିଚୟ ମିଳେ ଆଜିକାଲିର ତରୁଣ ସାହିତ୍ୟରୁ । ଉକ୍ତ ସାହିତ୍ୟରେ ଅନେକ ପ୍ରେମ କବିତା, ଅନେକ ଗଳ୍ପ କିମ୍ବା ନାଟକରେ ନଟନଟୀଙ୍କର ଏଭଳି ଚରିତ୍ର ଚିତ୍ରଣ ଦେଖାଯାଏ, ଯାହାକୁ 'ନଟୁଚୋର'ର ମାର୍ଜିତ ସଂସ୍କରଣ ନ କ‌ହି କେବଳ ଅଧୁନିକ ସଂସ୍କରଣ କୁହାଯିବ ।

ଆଉ ଯେଉଁଠାରେ ମାର୍ଜିତ ରୁଚି ଓ ଭାରକୁ ଘେନି ବିବାହ ହୋଇଥାଏ, ଯେଉଁଠାରେ ଉଭୟ ପୁରୁଷ ଓ ନାରୀ ଶିକ୍ଷିତ କିମ୍ବା ଶିକ୍ଷିତା, ଯେଉଁଠାରେ ଉଭୟଙ୍କର ଦେହ ଓ ମନ ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାତନ୍ତ୍ର୍ୟ ପାଇଅଛି, ପୁଣି ଉଭୟେ ହିଁ ପରସ୍ପରକୁ ବ‌ହୁ ପରିମାଣରେ ବୁଝିଥାନ୍ତି ବୋଲି ଅନୁମାନ କରାଯାଏ, ଆଉ ମଧ୍ୟ ଯେଉଁ ବିବାହର ସଂଖ୍ୟା ଏ ଦେଶରେ ଅତି ଅଳ୍ପ, ତାହା ପାଇଁ ସୁଦ୍ଧା କ୍ଷେତ୍ର ପ୍ରଶସ୍ତ ନୁହେଁ । ସେ ବିବାହ ମଧ୍ୟ ଅଳ୍ପ ବେଶି ପରିମାଣରେ ଏହି ପରି ଅକସ୍ମାତ୍ । ଅର୍ଥାତ୍ ସେ ବିବାହରେ ପୁରୁଷ ଓ ନାରୀ ପ୍ରଥମ ପରିଚୟ ହେବା ପରେ ହଠାତ୍ ଦିନେ ବିବାହ ହୋଇଯାଏ । ଜଣେ ଅନ୍ୟକୁ ଯଥା ଅର୍ଥରେ ନିର୍ବାଚନ କରିବାର ଅବକାଶ ସେଠାରେ ନାହିଁ । କାରଣ ଆଧୁନିକ ରୀତିରେ ଶିକ୍ଷା ପାଇଲେ ହେଁ ଯୁବକ