ପ୍ରେମର ଗ୍ରନ୍ଥି ଅଧିକ ଶିଥିଳ ପୁଣି ପରସ୍ପରର ସାହଚର୍ଯ୍ୟ ବେଶି ପରିମାଣରେ କଟୁ ହେବାର ହିଁ କଥା । କାରଣ ସେଠାରେ ପୁରୁଷ ମନେ କରେ, ନାରୀ ତାହାର ଜେଲଖାନା, ନାରୀର ମଧ୍ୟ ବିଚାର ବୁଦ୍ଧି ଥିଲେ ପୁରୁଷକୁ ସେହି ରୂପେ ସେ ଜ୍ଞାନ କରିବା ସ୍ୱାଭାବିକ । ପୁଣି ସେ ପରିସ୍ଥିତିରେ ନାରୀ ସ୍ଥିର ରୂପେ ଜାଣେ ଯେ, ତାହାର ବିନା ମୃତ୍ୟୁରେ ସ୍ୱାମୀ ଅନ୍ୟ ପତ୍ନୀ ଗ୍ରହଣ କରିବ ନାହିଁ ଏବଂ ସ୍ୱାମୀର ମଧ୍ୟ ଦୃଢ଼ ଧାରଣା, ବିବାହ ଦିନଠାରୁ ସ୍ତ୍ରୀ ଏକାବେଳେ ଅଗତି ପୁଣି ତାହାର ଏକମାତ୍ର ଗତି ପୁରୁଷ । ଅତଏବ ପରସ୍ପର ପ୍ରତି ଅବହେଳା ଦେଖାଇବାରେ ମଧ୍ୟ ସଂସାର ଭଙ୍ଗର କୌଣସି ଆଶଙ୍କା ନାହିଁ । ସେ ବିଷୟରେ ଉଭୟହିଁ ନିଶ୍ଚିନ୍ତ । ପ୍ରତି ଦିନ କଜିଆ ଓ ମନ ଅମେଳ ଲାଗି ରହିଥିଲେ ହେଁ କାହାର କିଛି ସ୍ଥାୟୀ କ୍ଷତିର ଭୟ ନାହିଁ । ସ୍ତ୍ରୀ ପ୍ରତି ସାମାନ୍ୟ ସମ୍ମାନହାନି ସୂଚକ ବ୍ୟବହାର ପାଇଁ ସ୍ୱାମୀକୁ କଚେରି ଦେଖିବାକୁ ହୁଏ ନାହିଁ କିମ୍ବା ପୁରୁଷ ପ୍ରତି ସମ୍ପୂର୍ଣ୍ଣ ତାଚ୍ଛିଲ୍ୟ ଦେଖାଇଲେ ହେଁ ଘର ଭିତରେ ସ୍ତ୍ରୀର ଆସନ ଅଟଳ । ସେଥିପାଇଁ ବିବାହକୁ ତିରିଶ ଚାଳିଶ ବର୍ଷ ପର୍ଯ୍ୟନ୍ତ କୃତିତ୍ୱର ସହିତ ସ୍ଥାୟୀ କରିବାକୁ ହେଲେ ପୁରୁଷକୁ ନାରୀ-ପ୍ରାଣ ବା ନାରୀକୁ ସ୍ୱାମୀ ସୋହାଗିନୀ ରହିବାକୁ ହେଲେ, ଉଭୟଙ୍କରହିଁ ପରସ୍ପରଠାରୁ ବେଶି ସମୟ ଅଲଗା ରହିବା ଉଚିତ; କିମ୍ବା ବେଶି ସମୟ ଜଣେ ଅନ୍ୟକୁ ଭୁଲି ରହିବା ଆବଶ୍ୟକ- ଅନ୍ୟ କଥାରେ, ଖାଲି ଛାଡ଼ପତ୍ର ପ୍ରଥାଟିକୁ ସ୍ୱୀକାର ନ କରି ବିବାହର ଧର୍ମ ଭଙ୍ଗ କରିବାକୁ ହେବ; ଅଥବା ତିରିଶ ଚାଳିଶ ବର୍ଷ ଧରି ଉଭୟ ନାରୀ ପୁରୁଷଙ୍କୁହିଁ ସମ୍ପୂର୍ଣ୍ଣ ନିର୍ବୋଧ ହେବାକୁ ପଡ଼ିବ ।
ପୃଷ୍ଠା:Netrutya O Netrutwa.pdf/୮୧
Jump to navigation
Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୬
ନେତୃତ୍ୱ ଓ ନେତୃତ୍ୱ
