ପୃଷ୍ଠା:Netrutya O Netrutwa.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୭
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ


ଅବଶ୍ୟ ୟୁରୋପ ଓ ଆମେରିକାରେ ଯୁବକ ଯୁବତୀଙ୍କ ଭିତରେ ପର୍ଦାର ବାଧା ନ ଥିବାରୁ ନାରୀ ପକ୍ଷରେ ମନୋମତ ପୁରୁଷ ନିର୍ବାଚନ କିମ୍ବା ପୁରୁଷ ପକ୍ଷରେ ନାରୀ ନିର୍ବାଚନ ପାଇଁ କ୍ଷେତ୍ର ଏପରି ସଂକୀର୍ଣ୍ଣ ନୁହେ । କିନ୍ତୁ ସେଠାରେ ମଧ୍ୟ ବୟସର ଧର୍ମ ଅନୁସାରେ ତରୂଣୀ ଅତ୍ୟନ୍ତ କାଳ୍ପନିକ ହେବାକୁ ବାଧ୍ୟ; ପୁଣି ସେ କଳ୍ପନା ବା ଭାବାବେଗ ଯଥାଶୀଘ୍ର ତୁଟି ଯିବାର ହିଁ କଥା । ସେଥିପାଇଁ ବିବାହଟାକୁ ସେଠାରେ ମୂଷା ଧରା ଯନ୍ତା ପରି ରଖା ଯାଇ ନାହିଁ- ତାହା ଭିତରେ ପଶିବା ଯେମିତି ସ‌ହଜ, ଫେରି ଆସିବା ସେମିତି କଠିନ ନୁହେଁ । ଅନଭି‌ଜ୍ଞ ଯୁବକ ଯୁବତୀ ପକ୍ଷରେ ବିଚାରର ସ୍ଖଳନ ଘଟିବା ଯେ ଖୁବ୍ ସମ୍ଭବ, ସେଥିପାଇଁ ବିବାହକୁ ସେଠାରେ ଅଧିକ ଯୁକ୍ତିସଙ୍ଗତ କରି ଏଥିରୁ ମୁକ୍ତି ପାଇବାର ମାର୍ଗ ମଧ୍ୟ ନିର୍ଦ୍ଦେଶ କରା ଯାଇଅଛି ।

ତ‌ଥାପି ଏହି ଭାବାବେଗ ଦ୍ୱାରା ତରୁଣ ତରୁଣୀର ସ୍ୱାସ୍ଥ୍ୟ ହାନି ଓ ଶାନ୍ତି ହାନିର ଯେଉଁ ଆଶଙ୍କା ବିଦ୍ୟମାନ, ସମାଜରେ ବର୍ଣ୍ଣଶଙ୍କରମାନଙ୍କ ସଂଖ୍ୟା ବୃଦ୍ଧି ଦ୍ୱାରା ଚୋର, ଡ଼କାଏତ, ରୁଗ୍ଣ ଓ ଅକର୍ମା ସଂଖ୍ୟା ଯେ ରୂପେ ବଢ଼ି ଚାଲିଛି, ସେଥିପାଇଁ ଆଉ ସବୁ କ୍ଷେତ୍ରରେ ଯେପରି, ବିବାହ କ୍ଷେତ୍ରରେ ମଧ୍ୟ ସେହିପରି ରୁଷିଆରେ ଏକ ତୁମୂଳ ପରୀକ୍ଷାର ସୂତ୍ରପାତ କରା ଯାଇଅଛି । ମନୁଷ୍ୟର ବୈଜ୍ଞାନିକ ଚିତ୍ତ ଯେତେ ଦୂର ନିରପେକ୍ଷ ଓ ଯୁକ୍ତି ପୂର୍ଣ୍ଣ ଚିନ୍ତା କରିପାରେ, ତାହାକୁ ହିଁ କାର୍ଯ୍ୟକ୍ଷେତ୍ରରେ ପ୍ରମାଣ କରିବାକୁ ଚେଷ୍ଟା ଲାଗିଅଛି । ଅବଶ୍ୟ ଏ ରୂପ ପରୀକ୍ଷା ଦ୍ୱାରା ଆଦର୍ଶଟା ବାସ୍ତବ ରୂପରେ ସୀମାବଦ୍ଧ ହୋଇ ପଡ଼ିଚି ପୁଣି କଳ୍ପନା ତାହାର ରଙ୍ଗିନ ଆଭା ହରାଇ ମଣିଷର ହାତ